କନକ ବ୍ୟୁରୋ : ଭାରତ ଉପରେ ଆମେରିକାର ଟାରିଫ୍ ଲଗାଇବା ଏବଂ ପାକିସ୍ତାନ ସହ ହାତ ମିଳାଇବା ନେଇ ଟ୍ରମ୍ପକୁ କଟାକ୍ଷ କରିଛନ୍ତି ଶଶି ଥରୁର । ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ନେଇ କରିଛନ୍ତି, ପାକିସ୍ତାନରେ ତେଲ ପାଇବାକୁ ନେଇ ଆମେରିକା ଦ୍ୱନ୍ଦ୍ୱରେ ଅଛି । ପାକିସ୍ତାନରୁ ତେଳ ମିଳିବା ଏକ ଭ୍ରମ । "ଆମେ ଦିନେ ସମାନ ଦେଶ ଥିଲୁ ଏବଂ ମୁଁ କେବେ କୌଣସି ରିପୋର୍ଟରେ ଶୁଣିନାହିଁ ଯେ ପାକିସ୍ତାନରେ କୌଣସି ତୈଳ ଭଣ୍ଡାର ଅଛି, କିନ୍ତୁ ଯଦି ଆମେରିକୀୟମାନେ ସେଠାକୁ ଯାଇ ସନ୍ଧାନ କରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ଏହା କରିବାକୁ ଦିଅ ।"
ଏହାସହ ଥରୁର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତର ଅର୍ଥନୀତିକୁ 'ମୃତ ଅର୍ଥନୀତି' ବୋଲି ଦେଇଥିବା ବିବାଦିୟ ବୟାନ ଉପରେ ବି ପ୍ରତିକ୍ରିୟା ରଖିଛନ୍ତି । ସେ ଟ୍ରମ୍ପଙ୍କ ବୟାନକୁ ଅତ୍ୟନ୍ତ ଗମ୍ଭୀର ବିଷୟ ବୋଲି କହିଛନ୍ତି । "ଋଷରୁ ତେଲ ଏବଂ ଗ୍ୟାସ କିଣୁଥିବାରୁ ଆମେରିକା ଆମ ଉପରେ ୨୫ ପ୍ରତିଶତରୁ ଅଧିକ ଶୁଳ୍କ ଲଗାଇଛି, ଯାହା ୩୫ ରୁ ୪୫ ପ୍ରତିଶତ ପର୍ଯ୍ୟନ୍ତ ଯାଇପାରେ । ୧୦୦ ପ୍ରତିଶତ ଶୁଳ୍କ ଲଗାଇବା ବିଷୟରେ ମଧ୍ୟ ଆଲୋଚନା ହେଉଛି, ଯାହା ଆମେରିକା ସହିତ ଆମର ବାଣିଜ୍ୟକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେବ ବେଲି ଥରୁର ଚିନ୍ତା ପ୍ରକଟ କରିଛନ୍ତି । କେରଳର ତିରୁବନନ୍ତପୁରମର ଲୋକସଭା ସାଂସଦ ଶଶି ଥରୁର ଆଜି ସଂସଦ ପରିସରରେ ଏକ ଆଲୋଚନା ସମୟରେ ସମ୍ବାଦ ସରବରାହ ସଂସ୍ଥାକୁ ଏହି ବୟାନ ଦେଇଛନ୍ତି । ଶଶି ଥରୁରଙ୍କ ବୟାନର କିଛି ଘଣ୍ଟା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଘୋଷଣା କରିଥିଲେ ଯେ ଆମେରିକା ପାକିସ୍ତାନ ସହିତ ମିଳିତ ଭାବରେ ଏକ ବିଶାଳ ତୈଳ ଭଣ୍ଡାର ବିକାଶ ପାଇଁ ଚୁକ୍ତି ସ୍ୱାକ୍ଷର କରିଛି ।