କନକ ବ୍ୟୁରୋ : ବିଜେଡିକୁ ପଛରେ ପକାଇ ବିରୋଧୀ ଦଳର ଦାୟିତ୍ୱ ତୁଲାଇ ଲୋକଙ୍କ ବିଶ୍ୱାସଭାଜନ ହେଉଛି କଂଗ୍ରେସ । ତୃଣମୁଳସ୍ତରରେ କଂଗ୍ରେସ କର୍ମୀ ସରକାରଙ୍କ ବିରୋଧରେ ହୁଙ୍କାର ଦେଲେଣି । ଆଉ ସେମାନଙ୍କ ମନରେ ଜୋସ ଭରିବାକୁ ଏବେ ଦିଲ୍ଲୀରୁ ଆସୁଛନ୍ତି ରାହୁଲ ଗାନ୍ଧୀ ।

Advertisment

ଦୀର୍ଘ ୨୬ ବର୍ଷ ଧରି ଓଡ଼ିଶାରେ କ୍ଷମତା ଅଳିନ୍ଦରୁ ଦୂରେଇ ରହିଛି କଂଗ୍ରେସ । କିନ୍ତୁ ଏଥର କମବ୍ୟାକ୍ କରିବାକୁ କଂଗ୍ରେସ କସରତକୁ ଜୋରଦାର କରିଛି । ବିଜେଡି ସରକାରରୁ ବିଦା ହେବା କଂଗ୍ରେସ ପାଇଁ ସମ୍ଭାବନା ସୃଷ୍ଟି କରିଛି । ଗତ ଗୋଟିଏ ବର୍ଷ ମଧ୍ୟରେ ମୋହନ ସରକାରକୁ ବିଭିନ୍ନ ପ୍ରସଙ୍ଗରେ ବିଜେଡି ଅପେକ୍ଷା ଅଧିକ ହଲାପଟା କରିଛି କଂଗ୍ରେସ । ମହିଳା ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟ ସାଧାରଣ ଲୋକଙ୍କୁ ବେଶ ପ୍ରଭାବିତ କରିଛି ।

ସ୍ଲୋଗାନବାଜିରେ ସୀମିତ ନରହି ସଡ଼କକୁ ଓହ୍ଲାଇଛନ୍ତି କଂଗ୍ରେସର କ୍ୟାଡର । ଏପରିକି ପୁର୍ନବାର କ୍ଷମତାକୁ ଫେରିବାକୁ ତୃଣମୂଳସ୍ତରରୁ ଦମ୍ଭ ଜୁଟାଇଲେଣି କଂଗ୍ରେସ କର୍ମୀ । ଆଉ ଜୋସ ଭରିବାକୁ ଦିଲ୍ଲୀରୁ ରୋଡମ୍ୟାପ୍ ଧରି ଆସୁଛନ୍ତି ନିଜେ ରାହୁଲ ଗାନ୍ଧୀ । କଂଗ୍ରେସର ମୁଖିଆ, କଂଗ୍ରେସର ଚେହେରା ଓ କଂଗ୍ରେସର ସଙ୍ଗଠକ ଏକାଠି ଓଡ଼ିଶା ଆସୁଛନ୍ତି । ଯାହା ସ୍ପଷ୍ଟ ସଙ୍କେତ ଦେଉଛି, ଓଡ଼ିଶାରେ ‘ହାତ’ ଉଠିବାର ସୁଯୋଗକୁ ଶୁଙ୍ଘି ସାରିଲେଣି ଦିଲ୍ଲୀ ନେତା । ଅନ୍ୟପଟେ ସଙ୍ଗଠନର ନବକଳେବର କରି ବିଜେପି ଓ ବିଜେଡି ଠାରୁ ଦୁଇ ପାଦ ଆଗରେ ରହିଛି କଂଗ୍ରେସ ।

ନିର୍ବାଚନ ଋତୁ ବାହାରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ଯାହା ଦର୍ଶାଉଛି କଂଗ୍ରେସର ଫୋକସରେ ରହିଛି ଓଡ଼ିଶା । ଏହାପୂର୍ବରୁ ନିଜ କୋର ଟିମକୁ ପଠାଇ ଓଡ଼ିଶାର ସ୍ଥିତି ବାବଦରେ ଟିକିନିକି ତଥ୍ୟ ହାସଲ କରିଛନ୍ତି । ଓଡ଼ିଶାର ପ୍ରତିଟି ପ୍ରସଙ୍ଗରେ ଦିଲ୍ଲୀରୁ ରହି ରାଜ୍ୟ ସରକାରଙ୍କୁ ଘେରୁଛନ୍ତି ରାହୁଲ । ଆସନ୍ତା ୧୧ ତାରିଖରେ ବରମୁଣ୍ଡା ପଡ଼ିଆରେ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେବାକୁ ଓଡ଼ିଶା ଆସିବେ କଂଗ୍ରେସର ଟପ୍-୩ ନେତା । କେନ୍ଦ୍ର ବିଜେପି ସରକାର ଉପରେ ବର୍ଷିବା ସହ ରାଜ୍ୟ ବିଜେପି ସରକାର ବିରୋଧରେ ଲଢ଼େଇକୁ ଆହୁରି ଶାଣିତ କରିବାକୁ ଦଳୀୟ ନେତାଙ୍କୁ ଦେବେ ଗୁରୁମନ୍ତ୍ର ।

ସମ୍ବିଧାନ ବଞ୍ଚାଅ ସମାବେଶକୁ ସଫଳ କରିବାକୁ ଜି ଜାନ୍ ଲଗାଇଛି କଂଗ୍ରେସ । ଏହି ସମାବେଶ ଜରିଆରେ କଂଗ୍ରେସ ନିଜର ସାଙ୍ଗଠନିକ ଶକ୍ତି ପ୍ରଦର୍ଶନ କରିବ ।