କନକ ବ୍ୟୁରୋ : ନିଲମ୍ବିତ କଂଗ୍ରେସ ବିଧାୟକମାନେ ବିଧାନସଭା ଗେଟ୍ ବାହାରେ ହଙ୍ଗାମା କରୁଥିବାବେଳେ ଭିତରୁ ମାଡି ଆସିଥିଲେ ବିଜେଡି ବିଧାୟକ । ଗଣତନ୍ତ୍ରର କଣ୍ଠରୋଧ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଥିବା ଅଭିଯୋଗ ଆଣି ଗେଟକୁ ଜୋର ଜବରଦସ୍ତି ଖୋଲି ଦେଇଥିଲେ । ବିଧାନସଭା ସମ୍ମୁଖରେ ତିଆରି କରାଯାଇଥିବା ବ୍ୟାରିକେଡ୍‌କୁ ଭାଙ୍ଗି ବାବା ସାହେବ ଆମ୍ବଦକରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ସେଠାରେ କଂଗ୍ରେସ ବିଧାୟକଙ୍କ ନିଲମ୍ବନକୁ ନିନ୍ଦା କରିବା ସହ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଥିଲେ । ଶୂନ୍ୟକାଳରେ ଗୃହ କାର୍ଯ୍ୟରେ ସାମିଲ ହୋଇ ପଏଣ୍ଟ ଅଫ୍ ଅର୍ଡର ଜରିଆରେ କଂଗ୍ରେସ ବିଧାୟକଙ୍କ ନିଲମ୍ବନ ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ବିବୃତି ଦାବି କରିଥିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ।

Advertisment

ବିରୋଧୀ ଦଳର ଦାବି ଅନୁସାରେ ବାଚସ୍ପତି ଗୃହରେ ବିବୃତି ରଖିଛନ୍ତି । ୨୦ ମାର୍ଚ୍ଚରୁ କଳା ବ୍ୟାଜ, କଳା ପୋଷାକ ପରିଧାନ କରି ହୁଇସିଲ, ତୂରୀ, ଘଣ୍ଟ, ବଂଶୀ ବଜାଇ ଗୃହ କାର୍ଯ୍ୟରେ ବାଧା ପହଞ୍ଚାଇଥିଲେ । ସେଥିପାଇଁ ମାର୍ଚ୍ଚ ୧୦,୧୩,୨୪ ଓ ୨୫ ତାରିଖରେ ସର୍ବଦଳୀୟ ବୈଠକ ଡକାଯାଇଥିଲା । କିନ୍ତୁ ଏହା ସତ୍ତ୍ୱେ ବିଶୃଙ୍ଖଳିତ ଆଚରଣ ଜାରି ରଖିଥିଲେ । ୨୧ ମାର୍ଚ୍ଚ ଉପବାଚସ୍ପତି ରୁଲିଂ ଦେଇଥିଲେ ବିଶୃଙ୍ଖଳିତ ଆଚରଣରୁ ନିବୃତ ରହିବାକୁ । ଏସବୁ ସତ୍ତ୍ୱେ ବିଶୃଙ୍ଖଳିତ ଆଚରଣ ଜାରି ରଖିବାରୁ କଂଗ୍ରେସର ୧୨ ଜଣ ସଦସ୍ୟଙ୍କୁ ଗତକାଲି ନିଲମ୍ବନ କରାଯାଇଥିଲା । ଗୃହ ପରିତ୍ୟାଗ ନକରି ଅହୋରାତ୍ର ଧାରଣାରେ ରହିବେ ବୋଲି କହିବାରୁ ସେମାନଙ୍କ ପାଇଁ ସବୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାତ୍ର ୯ ଘଟିକା ସମୟରେ କଂଗ୍ରେସ ସଦସ୍ୟ ଓ ତାଙ୍କ ସହିତ ଆସିଥିବା କିଛି ରାଜନୈତିକ କର୍ମୀ ମାର୍ଶଲ ଓ ସୁରକ୍ଷା କର୍ମୀଙ୍କୁ ବିଧାନସଭା ବାରଣ୍ଡାକୁ ଆସି ଆକ୍ରମଣ କରିଥିଲେ । ବାଚସ୍ପତିଙ୍କ ବିବୃତି ପରେ ଉଭୟ ବିରୋଧୀ ଦଳଙ୍କ ଉପରେ ବର୍ଷିଛନ୍ତି ଆଇନମନ୍ତ୍ରୀ ।

ତିନି ଦଳର ଆରୋପ ପ୍ରତ୍ୟାରୋପ ଭିତରେ ବଳି ପଡିଛି ରାଜ୍ୟର ସ୍ୱାର୍ଥ । ଯେଉଁଠି ରାଜ୍ୟର ବିକାଶ ପାଇଁ ଯୋଜନା ହେବା କଥା ସେଠି ହଟ୍ଟଗୋଳରେ ସମୟ ସରିଛି । ଅନ୍ୟପଟେ ଏକ ଅଲୋଡା ପ୍ରସଙ୍ଗକୁ ନେଇ ଓଡ଼ିଶା ସାରାଦେଶରେ ଚର୍ଚ୍ଚାକୁ ଆସିଛି । ତେଣୁ ପ୍ରଶ୍ନ ଉଠୁଛି, ବିଧାନସଭାର ମର୍ଯ୍ୟାଦା ହାନି କରିଛି କିଏ ? ଆଲୋଚନାକୁ ନଆସି କାହିଁକି ଜିଦରେ ଅଟ୍ଟଳ ରହିଲେ ବିରୋଧୀ ? ବିରୋଧୀଙ୍କ ଦାବିକୁ ସରକାର ମାନିଥିଲେ କଣ ହୋଇଥାନ୍ତା ଅସୁବିଧା ?