କନକ ବ୍ୟୁରୋ : କର୍ଣ୍ଣାଟକ ରାଜନୀତିରେ ବଡ଼ ହଲଚଲ । ଖୁବଶୀଘ୍ର ବଦଳିପାରନ୍ତି ମୁଖ୍ୟମନ୍ତ୍ରୀ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବୟାନ ପରେ ସିଦ୍ଧରମୈୟାଙ୍କ ହାତରୁ ଶାସନ କ୍ଷମତା ଯିବା ନେଇ ଚାଲିଥିବା ଚର୍ଚ୍ଚା ଏବେ ଜୋର ଧରିଛି ।
କିଛିଦିନ ହେବ କର୍ଣ୍ଣାଟକ ରାଜନୀତିରେ ଚାଲିଥିବା ଶୀତଳ ଯୁଦ୍ଧକୁ ନେଇ ଏବେ ଆକ୍ସନ ମୋଡରେ କଂଗ୍ରେସ ହାଇକମାଣ୍ଡ । ନେତୃତ୍ୱ ପରିବର୍ତ୍ତନ ଓ କ୍ୟାବିନେଟ ସମ୍ପ୍ରସାରଣ ପାଇଁ ବିଚାର କରାଯାଉଥିବା ସଙ୍କେତ ମିଳିଛି । ଦଳର ବରିଷ୍ଠ ନେତା ତଥା କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସୁରଜେୱାଲ ବେଙ୍ଗାଲୁରୁରେ ବିଧାୟକଙ୍କ ସହ ୱାନ ଟୁ ୱାନ ବୈଠକ କରିଛନ୍ତି । ବୈଠକର ପଛର କାରଣ ଦଳର ଆଭ୍ୟନ୍ତରୀଣ କନ୍ଦଳ ବୋଲି କୁହାଯାଉଛି । ସିଦ୍ଦରମୈୟାଙ୍କୁ ନେଇ କିଛି ବିଧାୟକ ଅସନ୍ତୁଷ୍ଟ ଅଛନ୍ତି । ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସହ ସିଦ୍ଦରମୈୟାଙ୍କ ନିରବ ଝଗଡ଼ା ଚାଲିଛି, ଯାହା ହାଇକମାଣ୍ଡଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି । ସରକାର ବଦଳିବା ନେଇ ନିକଟରେ ସଙ୍କେତ ଦେଇଥିଲେ ମନ୍ତ୍ରୀ କେଏନ୍ ରାଜନ୍ନା । ସେପ୍ଟେମ୍ବର ସୁଦ୍ଧା ସତ୍ତା ପରିବର୍ତ୍ତନ ନେଇ ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଆଜି ବୟାନ ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚାକୁ ଅଧିକ ତୀବ୍ର କରିଛି ।
କର୍ଣ୍ଣାଟକ କଂଗ୍ରେସ ମନ୍ତ୍ରୀମଣ୍ଡଳ ଆଗାମୀ ଅକ୍ଟୋବର ୨୦୨୫ରେ ଅଢ଼େଇବର୍ଷ କାର୍ଯ୍ୟକାଳ ପୂରଣ କରିବ । ଗତ ବିଧାନସଭା ନିର୍ବାଚନ ପରେ ସିଦ୍ଦରମୈୟା ଓ ଶିବକୁମାର ଉଭୟ ଅଢ଼େଇବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ପଦ ପାଇବେ ବୋଲି ହାଇକମାଣ୍ଡ ପାଖରେ ଏକ ଅଲିଖିତ ଚୁକ୍ତି ହୋଇଥିଲା । ତେଣୁ ଏହି ସମୟ ଯେତିକି ପାଖେଇ ଆସୁଛି ସେହି ଅନୁପାତରେ କର୍ଣ୍ଣାଟକ କଂଗ୍ରେସର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ବଢୁଛି । ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ଶିବକୁମାର ଚୁପ ଅଛନ୍ତି । ରାଜ୍ୟରେ ସାନି ଜାତି ଜନଗଣନା ପାଇଁ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ତାଙ୍କର ବିଜୟ ବୋଲି ଶିବକୁମାର ଭାବୁଛନ୍ତି । ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକ କଂଗ୍ରେସରେ ଛକାପଞ୍ଝା ଆହୁରି ବଢ଼ିବା ସମ୍ଭାବନା ଅଛି ।