କନକ ବ୍ୟୁରୋ : ବିହାର ନିର୍ବାଚନ ଯେତିକି ପାଖଉଛି, ରାଜ୍ୟ ରଜନୀତି ସେତିତି ଗୋଳିଆ ହେବାରେ ଲାଗିଛି । ସବୁକିଛି ଠିକ୍ ଚାଲିଥିବା ମନେହେଉଥିବା ବେଳେ ବର୍ତ୍ତମାନ ଯେଉଁ ଖବର ସାମ୍ନାକୁ ଆସିଛି ତାହା ବିହାର ନିର୍ବାଚନରେ ବିଜେପି ପାଇଁ ବଡ଼ ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଉଛି । ଚିରାଗ ପାସଓ୍ୱାନ ବିଜେପିର ଖେଳ ବିଗାଡି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।
ବିହାର ବିଧାନସଭା ନିର୍ବାଚନ ପାଇଁ ଆଉ ବେଶି ସମୟ ନାହିଁ । ଏପରି ପରିସ୍ଥିତିରେ, ମହାଗଠବନ୍ଧନ ଏବଂ ଏନଡିଏ ମଧ୍ୟରେ ଆସନ ବଣ୍ଟନ ନେଇ ଶିତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି । ମହାଗଠବନ୍ଧନ ନିରନ୍ତର ବୈଠକ କରୁଥିବା ବେଳେ, ଏନଡିଏ ନେତା କିନ୍ତୁ କହୁଛନ୍ତି ଯେ ଆସନ ବଣ୍ଟନରେ କୌଣସି ସମସ୍ୟା ହେବ ନାହିଁ । ଲୋକସଭା ପରି, ଆମେ ଏକାଠି ବସି ବିଧାନସଭାରେ ମଧ୍ୟ ନିଷ୍ପତ୍ତି ନେବୁ। ଏନଡିଏ ନେତାଙ୍କ ଏପରି କଥା ଶୁଣିବା ପରେ ପ୍ରଶ୍ନ ଉଠୁଛି, ଏହା କ’ଣ ଏତେ ସହଜ ହେବ? ଏହା ଭିନ୍ନ କଥା ଯେ ମେଣ୍ଟରେ ଥିବା ସମସ୍ତ ଦଳ ସର୍ବାଧିକ ସଂଖ୍ୟକ ଆସନ ଚାହାଁନ୍ତି, କିନ୍ତୁ ଚିରାଗ ପାସୱାନ ଏବଂ ମାଞ୍ଝି କ’ଣ ବିଜେପି ଏବଂ ଜେଡିୟୁ ଏନଡିଏରେ ଯେଉଁ ଫର୍ମୁଲା ତିଆରି କରିବାକୁ ଚେଷ୍ଟା କରୁଛନ୍ତି ସେଥିରେ ସହମତ ହେବେ? ଏହା ଏକ ବଡ଼ ପ୍ରଶ୍ନ, ଯାହା ଏବେ ଉଠିବା ଆରମ୍ଭ ହୋଇଛି ।
ବିହାର ନିର୍ବାଚନରେ ଆସନ ବଣ୍ଟନ ନେଇ NDAରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବୈଠକ ହୋଇନାହିଁ, କିନ୍ତୁ ବିଜେପିର ଫର୍ମୁଲା ଅନୁସାରେ, ୨୪୩ ଆସନ ମଧ୍ୟରୁ ୧୦୨ ଆସନ ବିଜେପିକୁ, ୧୦୨ ଆସନ JDUକୁ, ୨୮ ଆସନ ଚିରାଗ ପାସୱାନଙ୍କ ଦଳକୁ, ୭ ଆସନ ଜିତନ ରାମ ମାଞ୍ଝିଙ୍କ ଦଳକୁ ଏବଂ ୪ ଆସନ ଉପେନ୍ଦ୍ର କୁଶୱାହାଙ୍କୁ ଦିଆଯାଇପାରେ । ଏବେ ଏହା ମଧ୍ୟ କୁହାଯାଉଛି ଯେ ଯଦି ଚିରାଗ ପାସୱାନ ରାଜି ନ ହୁଅନ୍ତି, ତେବେ ଜେଡିୟୁ ଏବଂ ବିଜେପି ଗୋଟିଏ ଲେଖାଏଁ ଆସନ ହରାଇପାରନ୍ତି ଏବଂ ଚିରାଗଙ୍କୁ 30ଟି ଆସନ ଦିଆଯାଇପାରେ ।
୭୦ଟି ଆସନ ଦାବି କରିପାରନ୍ତି ଚିରାଗ
ପ୍ରଶ୍ନ ଉଠାଯାଉଛି, କଣ ଚିରାଗ ପାସୱାନ ୩୦ ଆସନ ପାଇଁ ରାଜି ହେବେ? ଲୋକ ଜନ ଶକ୍ତି ପାର୍ଟିର ଜଣେ ବରିଷ୍ଠ ନେତା ନିଜ ନାଁକୁ ଗୋପନୀୟ ରଖି କହିଛନ୍ତି, ଯଦି NDA ବୈଠକ ହେବ, ତେବେ ଦଳ ୭୦ ଆସନ ଦାବି କରିବ ଏବଂ ଏକ ତାଲିକା ଦେବ ବୋଲି ଦଳ ଦ୍ୱାରା ନିଷ୍ପତ୍ତି ନିଆଯାଇଛି । ସେହିପରି ଏଲଜେପି ଯେକୌଣସି ପରିସ୍ଥିତିରେ ୪୦ ଆସନ ନେବାକୁ ଚାପ ପକାଇପାରେ ।
କ’ଣ ୧୦୦ରୁ କମ୍ ଆସନ ପାଇଁ ରାଜି ହେବାକୁ ପଡିବ ବିଜେପି-ଜେଡିୟୁକୁ?
ଯଦି ଚିରାଗ ପାସୱାନଙ୍କ ଦଳର ଏହି ଦାବି ଅକ୍ଷୁଣ୍ଣ ରହେ, ତେବେ ଏନଡିଏରେ କିଛି ଆସନ ପାଇଁ ନିଶ୍ଚିତ ଭାବରେ ଟକ୍କର ହୋଇପାରେ । ବିଜେପି ଏବଂ ଜେଡିୟୁକୁ କୌଣସି ସ୍ଥାନରେ ୧୦୦ ଆସନ ତଳକୁ ଆସିବାକୁ ପଡ଼ିପାରେ । ତେବେ ଯାଇଁ ଏନଡିଏ ଶକ୍ତିଶାଳୀ ରହିପାରିବ । କାରଣ ମାଞ୍ଝିଙ୍କ ଦଳ ମଧ୍ୟ ୧୫ ରୁ ୨୦ ଆସନ ଦାବି କରୁଛି, କିନ୍ତୁ ଯଦି ଚିରାଗ ୩୫ ପାଆନ୍ତି, ତେବେ ସେହି ସୂତ୍ର ଅନୁସାରେ, ମାଞ୍ଝିଙ୍କୁ ୭ ଆସନ ଦିଆଯାଇପାରିବ ।
ଶେଷ ଥର ପାଇଁ ୨୦୨୦ ରେ, ଜିତନ ରାମ ମାଞ୍ଝିଙ୍କୁ JDU ଖାତାରୁ ୭ ଟି ଆସନ ଦିଆଯାଇଥିଲା ଯେଉଁଥିରେ ସେ ୪ ଟି ଆସନ ଜିତିଥିଲେ । ଏବେ ଯଦି ଆମେ ଗଣିତ ଉପରେ ନଜର ପକାଇବା, ଯଦି ଚିରାଗ ପାସୱାନଙ୍କୁ ୩୫ ଟି ଆସନ, ଜିତନ ରାମ ମାଞ୍ଝିଙ୍କୁ ୭ଟି ଆସନ ଏବଂ ଉପେନ୍ଦ୍ର କୁଶୱାହାଙ୍କୁ ୪ ଟି ଆସନ ଦିଆଯାଏ, ତେବେ ମୋଟ ଆସନ ସଂଖ୍ୟା ୪୬ ହୋଇଯିବ । ଏପରି ପରିସ୍ଥିତିରେ, JDU ଏବଂ BJP ୧୯୭ ଟି ଆସନ ବାଣ୍ଟି ପାରିବେ ଏବଂ ୯୮-୯୯ ର ଏକ ଫର୍ମୁଲା ସ୍ଥିର କରାଯାଇପାରିବ ।