Central OBC list Photograph: (Kanak News)
କନକ ବ୍ୟୁରୋ : ରାଜ୍ୟରେ ପଛୁଆ ବର୍ଗ ପାଇଁ ପୁଣି ଚିନ୍ତା ପ୍ରକଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପଛୁଆ ବର୍ଗଙ୍କ ପାଇଁ କମିସନ୍ ଗଠନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମେ ଚିଠି କରିବା ପରେ ଏବେ ରାଜ୍ୟର ୧୦୮ଟି ଏସଇବିସି ସମୁଦାୟଙ୍କୁ ପଛୁଆବର୍ଗ ତାଲିକାରେ ସାମିଲ କରିବାକୁ କେନ୍ଦ୍ର ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ।
ପଛୁଆ ବର୍ଗଙ୍କ ପାଇଁ ସ୍ୱର ଆହୁରି ଶାଣିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କେତେ ବେଳେ ଓବିସି କମିସନ୍ ତ କେତେବେଳେ ମୁଖ୍ୟମନ୍ତ୍ରୀ । ଆଉ କେତେବେଳେ ବିଭାଗୀୟ ମନ୍ତ୍ରୀ । ପୂର୍ବରୁ ବାରମ୍ବାର ଚିଠି ଲେଖି ପଛୁଆ ବର୍ଗଙ୍କ ଦାବି ଓ ହକ୍ ସମ୍ପର୍କରେ ଅବଗତ କରାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ୧୦୮ଟି ଏସ୍ଇବିସି ସମୁଦାୟଙ୍କୁ କେନ୍ଦ୍ରୀୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡାକ୍ତର ବୀରେନ୍ଦ୍ର କୁମାରଙ୍କୁ ଚିଠି ଲେଖିଛନ୍ତି । ଏସ୍ଇବିସି ସମୁଦାୟ, କେନ୍ଦ୍ର ସରକାରଙ୍କ ଚାକିରି, ଶିକ୍ଷାନୁଷ୍ଠାନରେ ନାମଲେଖା ତଥା ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । କେନ୍ଦ୍ରୀୟ ତାଲିକାରେ ଏହି ସମ୍ପ୍ରଦାୟର ଜାତି/ଉପଜାତି/ବର୍ଗର ଲୋକଙ୍କୁ ଅନ୍ତର୍ଭୁକ୍ତ କରାଗଲେ ସେମାନଙ୍କର ଆର୍ଥିକ ଓ ଶିକ୍ଷାଗତ ଅଭିବୃଦ୍ଧିରେ ସହାୟକ ହେବ ।
ଅଧିକ ପଢ଼ନ୍ତୁ : ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗର ତୁରନ୍ତ ପୁନର୍ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଧର୍ମେନ୍ଦ୍ର ଚିଠି ପରେ ତେଜିଛି ରାଜନୀତି । ଡବଲ୍ ଇଞ୍ଜିନ ସରକାର ଥାଇ କାହିଁକି ପଛୁଆବର୍ଗଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିପାରିନାହିଁ । କେବଳ ଚିଠିରେ ସୀମିତ ନରହି ଏହାର ସମାଧାନ ଦିଗରେ କାମ କରିବାକୁ କହିଛନ୍ତି ବିରୋଧୀ । ଏପଟେ ବିଜେପି କହିଛି, ସରକାର ଏ ଦିଗରେ ବିଚାର କରୁଛନ୍ତି । ପଛୁଆବର୍ଗଙ୍କ ସହ ଦଳ ସବୁବେଳେ ରହିଥିଲା ଓ ରହିବ ମଧ୍ୟ । ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।
ପୂର୍ବ ସରକାର ସମୟରେ ଓବିସି କମିସନର ଅଧ୍ୟକ୍ଷ ଥିଲେ ଜଷ୍ଟିସ ରଘୁନାଥ ବିଶ୍ୱାଳ । ରାଜ୍ୟ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ପଛୁଆବର୍ଗଙ୍କୁ ଚିହ୍ନଟ କରିଥିଲେ ସରକାର । ଏହାର ରିପୋର୍ଟ ମଧ୍ୟ ଦିଆଯାଇଥିଲା । ହେଲେ ତାହା ଶୀତଳ ଭଣ୍ଡାର ରହିଯାଇଥିଲା । ଓବିସିଙ୍କ ପାଇଁ କୌଣସି ନୀତିଗତ ନିଷ୍ପତ୍ତି ନେଇନଥିଲେ ପୂର୍ବ ସରକାର । ତେଣୁ କେନ୍ଦ୍ରୀୟ ଓବିସି ତାଲିକାରୁ ବଞ୍ଚିତ ଏକାଧିକ ବର୍ଗ ବାରମ୍ବାର ତାଲିକାରେ ଯୋଡ଼ିହେବା ପାଇଁ ଦାବି କରିଛନ୍ତି ।
Follow Us