କନକ ବ୍ୟୁରୋ : ଦେଶରେ ଲାଗୁ ଜରୁରୀକାଳୀନ ପରିସ୍ଥିତିକୁ ପୂରିଛି ୫୦ବର୍ଷ । ଆଜିର ଦିନକୁ ବିଜେପି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳୁଥିବାବେଳେ କଂଗ୍ରେସ କହିଛି ଯେଉଁ ଦଳର ଦେଶର ସ୍ୱାଧୀନତା, ସମ୍ବିଧାନ ନିର୍ମାଣରେ କୌଣସି ଭୂମିକା ନାହିଁ ସେ ସବୁବେଳେ ସମ୍ବିଧାନ ବିରୋଧୀ ବୟାନବାଜୀ କରେ ।
୧୯୭୫ ମସିହା ଜୁନ ୨୫ ତାରିଖ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ ସରକାରଙ୍କ ସୁପାରିଶରେ ଭାରତୀୟ ସମ୍ବିଧାନର ଧାରା ୩୫୨ ଅନୁଯାୟୀ ତତ୍କାଳୀନ ରାଷ୍ଟ୍ରପତି ଫଖରୁଦ୍ଦିନ ଅଲ୍ଲି ଅହମ୍ମଦ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଏହାର ପରଦିନ ଅର୍ଥାତ ଜୁନ ୨୬ ତାରିଖରେ ନିଜେ ଇନ୍ଦିରା ଗାନ୍ଧୀ ରେଡ଼ିଓ ମାଧ୍ୟମରେ ସୂଚନା ଦେଇଥିଲେ । ଆଜିର ଦିନକୁ ବିଜେପି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରୁଛି । ସେପଟେ କଂଗ୍ରେସ କହିଛି ବିଜେପି ଶାସନ ସମୟରେ ବାକ୍ ସ୍ୱାଧୀନତା ନାହିଁ ଓ ଦଳ ସମ୍ବିଧାନ କଥା କହିବା କେତେ ଯୁକ୍ତିଯୁକ୍ତ ।
ଜରୁରୀକାଳୀନ ପରିସ୍ଥିତିର ମୁଖ୍ୟ କାରଣ ଆହ୍ଲାବାଦ ହାଇକୋର୍ଟର ଏକ ନିଷ୍ପତ୍ତି ବୋଲି କୁହାଯାଏ । ନିଜ ଆସନ ବଞ୍ଚାଇବାକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜରୁରୀକାଳୀନ ଘୋଷଣା ପାଇଁ ସୁପାରିଶ କରିଥିଲେ । ଇନ୍ଦିରା ଗାନ୍ଧୀ ୧୯୭୧ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ପ୍ରତିଦ୍ୱନ୍ଦ୍ୱୀ ରାଜ ନାରାୟଣ ଇନ୍ଦିରାଙ୍କ ବିଜୟକୁ ପ୍ରଶ୍ନ କରି କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ରାଜ ନାରାୟଣ ତାଙ୍କ ଆବେଦନରେ ଅଭିଯୋଗ କରିଥିଲେ । ଆହ୍ଲାବାଦ ହାଇକୋର୍ଟ ଆବେଦନର ଶୁଣାଣି କରିଥିଲେ ।
୧୨ ଜୁନ ୧୯୭୫ରେ, ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଗମୋହନଲାଲ ସିହ୍ନା ସରକାରୀ କଳର ଅପବ୍ୟବହାର କରିବା ଅଭିଯୋଗରେ ପ୍ରଧାନମନ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । କୋର୍ଟ ଉକ୍ତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ଏବଂ ତାଙ୍କୁ ଲୋକସଭା ଆସନରୁ ବହିଷ୍କାର କରିଥିଲେ । ଆଗାମୀ ଛଅ ବର୍ଷ ପାଇଁ କୌଣସି ନିର୍ବାଚନ ଲଢ଼ିବା ଉପରେ କୋର୍ଟ ପ୍ରତିବନ୍ଧକ ଲଗାଇଥିଲେ ।
ଇନ୍ଦିରା ଗାନ୍ଧୀ ହାଇକୋର୍ଟର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ୨୪ ଜୁନ୍ ୧୯୭୫ରେ, ଜଷ୍ଟିସ୍ ଭି.ଆର. କୃଷ୍ଣା ଆୟର ହାଇକୋର୍ଟର ନିଷ୍ପତ୍ତିକୁ କାୟମ ରଖିଥିଲେ । ଗାନ୍ଧୀଙ୍କୁ ସାଂସଦ ଭାବରେ ସମସ୍ତ ସୁବିଧାକୁ ସ୍ଥଗିତ ରଖିବାକୁ ଏବଂ ତାଙ୍କୁ ଭୋଟ ଦେବାରୁ ନିଷେଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତଥାପି ତାଙ୍କ ଆବେଦନର ସମାଧାନ ନହେବା ପର୍ଯ୍ୟାନ୍ତ ସେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇ ପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । ଇନ୍ଦିରା ସରକାର ଦେଶର ସୁରକ୍ଷା ଦ୍ୱାହି ଦେଇ ଜରୁରୀକାଳୀନ ଘୋଷଣା କରିଥିଲେ ।