କନକ ବ୍ୟୁରୋ : ବିଜେପିକୁ ମିଳିଲା ନୂଆ ମଙ୍ଗୁଆଳ । ୪୫ ବର୍ଷ ପୁରୁଣା ଏହି ଦଳକୁ ମିଳିଲା ୪୫ ବର୍ଷୀୟ ସର୍ବକନିଷ୍ଠ ରାଷ୍ଟ୍ରୀୟ ଅଧ୍ୟକ୍ଷ । ନିତିନ ନବୀନ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ, ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଦେଖିବାକୁ ମିଳିଥିଲା ଉତ୍ସବମୁଖର ପରିବେଶ । ତେବେ ନିତିନ ନବୀନଙ୍କ ଫୋକସରେ କେମିତି ରହିବ ଓଡ଼ିଶା ଏବଂ ତାଙ୍କ ଆଗରେ କଣ ରହିଛି ପ୍ରମୁଖ ଆହ୍ୱାନ ।

Advertisment

ମୋ ପାଇଁ ପ୍ରଥମେ ଦେଶ, ତା ପରେ ଦଳ, ସର୍ବଶେଷରେ ସ୍ୱାର୍ଥ । ଭାରତୀୟ ଜନତା ପାର୍ଟିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ବନିବା ପରେ ଏହା କହିଛନ୍ତି ନିତିନ ନବୀନ । ପ୍ରଥମ ଭାଷଣରେ ଦଳର ଇତିହାସ, ଆଦର୍ଶଗତ ସଂଘର୍ଷ ଓ ଭବିଷ୍ୟତର ଚ୍ୟାଲେଞ୍ଜ ଉପରେ ମତ ରଖିଛନ୍ତି ନିତିନ ନବୀନ । କହିଛନ୍ତି, ବିଜେପିରେ ରାଜନୀତି ଏକ ପଦବୀ ନୁହେଁ, ଏହା ଏକ ଦାୟିତ୍ୱ । ବିଜେପି ଆଜି ବିଶ୍ୱର ସର୍ବବୃହତ୍ ଦଳ । ନେତୃତ୍ୱ, ବିଚାରଧାରା ଓ କର୍ମୀଙ୍କ ଯୋଗୁଁ ଏହା ସମ୍ଭବ ହୋଇଛି । ସେପେଟ ବିଜେପିର ନୂଆ ପିଢ଼ିର ନେତୃତ୍ୱକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ସେ ଜଣେ ସାଧାରଣ କର୍ମକର୍ତ୍ତା ଏବଂ ଆଜିଠାରୁ ନବୀନ ତାଙ୍କ ବସ୍ ବୋଲି କହିଛନ୍ତି ମୋଦୀ ।

ଅଧିକ ପଢ଼ନ୍ତୁ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ନେଲେ ନିତିନ ନବୀନ

ନବୀନ ବିଜେପିର ବସ୍‌ ହେବା ପରେ ଏବେ ଓଡ଼ିଶା ସମେତ ବିଜେପି ଶାସିତ ରାଜ୍ୟମାନଙ୍କ ସଂଗଠନ ସଜାଡ଼ିବା ଉପରେ ଫୋକସ୍ । ରାଜ୍ୟରେ ବିଜେପି ଶାସନ କ୍ଷମତାକୁ ଆସିବା ପରେ ଦଳୀୟ ଅନ୍ତଃକନ୍ଦଳ କେନ୍ଦ୍ରୀୟ ନେତୃତ୍ବଙ୍କ ବଡ଼ ଚିନ୍ତା ପାଲଟିଛି । ସମସ୍ତଙ୍କୁ ଏକାଠି ନେଇ ତୃଣମୂଳସ୍ତରରୁ ସଂଗଠନକୁ ମଜଭୁତ କରିବା ନବୀନଙ୍କ ପାଇଁ ଅଗ୍ନିପରୀକ୍ଷା ହେବ । ଚର୍ଚ୍ଚା ଅନୁସାରେ ଦଳୀୟ ଅନ୍ତଃକନ୍ଦଳ ପାଇଁ ମନ୍ତ୍ରିମଣ୍ଡଳ, ବୋର୍ଡ, ନିଗମ ଏବଂ ସାଂଗଠନିକ ପୁନର୍ବିନ୍ୟାସ ହୋଇପାରୁନାହିଁ । ଯାହାକୁ ନେଇ ଗତ ୧୮ ମାସ ମଧ୍ୟରେ ତୁହାକୁ ତୁହା ଦିଲ୍ଲୀ ଯାଇ ଶୀର୍ଷ ନେତୃତ୍ୱଙ୍କୁ ଭେଟିଛନ୍ତି ରାଜ୍ୟର ଛାମୁଆ ନେତା । ଏବେ ନବୀନଙ୍କ ହାତକୁ କମାଣ ଯିବା ପରେ ବିବାଦକୁ ଦୂର କରି ସଂଗଠନକୁ ମଜଭୁତ କରିବା, ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳର ଛବି ସଜାଡ଼ିବା ଓ ୨୦୨୯ରେ ରାଜ୍ୟରେ ପୁଣି କିପରି ବିଜେପି ଶାସନ କରିବ, ତାହା ବଡ଼ ଚ୍ୟାଲେଞ୍ଜ ହେବ ।

ଆଗକୁ ପାଞ୍ଚ ରାଜ୍ୟରେ ରହିଛି ବିଧାନସଭା ନିର୍ବାଚନ । ସୀମିତ ସମୟ ମଧ୍ୟରେ ଅନେକ ଆହ୍ବାନକୁ ସାମ୍ନା କରିବେ ସର୍ବକନିଷ୍ଠ ରାଷ୍ଟ୍ରୀୟ ଅଧ୍ୟକ୍ଷ ।