କନକ ବ୍ୟୁରୋ : ଦୀର୍ଘ ଦିନର ଛକାପଞ୍ଜା ପରେ ପୁଣି ଥରେ ରାଜ୍ୟ ବିଜେପିକୁ ମିଳିଛି ମଙ୍ଗୁଆଳ । ମନମୋହନ ସାମଲଙ୍କୁ ପୁଣି ଥରେ ଦଳ ଭରସା କରିବ ନା ଆଉ କାହାକୁ ବାଛିବ ସେ ନେଇ ଚର୍ଚ୍ଚା ଭିତରେ ଆଜି ହୋଇଛି ନାମାଙ୍କନ ଦାଖଲ । ଆଉ ଏକମାତ୍ରା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ ମନମୋହନ ହିଁ ପୁଣି ଥରେ ରାଜ୍ୟ ବିଜେପିର ମଙ୍ଗ ଧରିବେ ଏହା ସ୍ପଷ୍ଟ ହୋଇଛି ।
ବିଜେପିର ରାଜ୍ୟ ସଭାପତି ପଦକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଏକପ୍ରକାର ଅନ୍ତ ଘଟିଛି । ମନମୋହନ ସାମଲ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବା ପରେ ସେ ହିଁ ପୁଣି ଥରେ ରାଜ୍ୟ ବିଜେପି ସଭାପତି ହେବା ନିଶ୍ଚିତ ହୋଇଛି । ସଭାପତି ନିର୍ବାଚନ ପାଇଁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦିନ ତମାମ ଲାଗି ରହିଥିଲା ଗହଳି ଚହଳି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦଳୀୟ ବିଧାୟକ, ମନ୍ତ୍ରୀ, ସାଂସଦ ଓ ଅନ୍ୟ ନେତା ପହଞ୍ଚିଥିଲେ । କିଏ କିଏ ନାମାଙ୍କନ ଦାଖଲ କରିବେ ସେ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିଲା । ଶେଷରେ ସମସ୍ତଙ୍କ ଉପସ୍ଥିତିରେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ମନମୋହନ । ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପାଇଁ ୩୨ଜଣ ନାମାଙ୍କନ କରିଛନ୍ତି । କାଲି ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ତା'ପରେ ଆସନ୍ତାକାଲି ବିଧିବଦ୍ଧ ଭାବେ ସଭାପତିଙ୍କ ନାଁ ଘୋଷଣା ହେବ ।
ମନମୋହନଙ୍କ ଉପରେ ଦଳ ପୁଣି ଥରେ ଭରସା କରିବା ପଛରେ ଅନେକ କାରଣ ରହିଥିବା କୁହାଯାଉଛି । ବିଶେଷକରି ମନମୋହନ ୨୦୨୪ ନିର୍ବାଚନରେ ଦଳର ଉତ୍ତମ ପ୍ରଦର୍ଶନ । ନୂଆ ଓ ପୁରୁଣା ନେତାଙ୍କ ନେଇ ଆଗକୁ ବଢ଼ିବାର କୌଶଳ । ରାଜ୍ୟ ସଭାପତି ଭାବେ ମନମୋହନଙ୍କ ୮ବର୍ଷର ଅଭିଜ୍ଞତା ।ତୃଣମୂଳସ୍ତରର ଟାଣୁଆ ଓ ଦକ୍ଷ ସଂଗଠକ ହୋଇଥିବାରୁ ତାଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜେପି ଆହୁରି ଆଗକୁ ବଢ଼ିବ ଆଶା ରଖିଛି ଦଳ ।
ତେବେ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା । ଦଳର ସବୁ ନେତାଙ୍କୁ ସନ୍ତୁଷ୍ଟ କରି ରଖିବା । ବିଭିନ୍ନ ନିଗମ ଓ ଆୟୋଗର ଅଧ୍ୟକ୍ଷ ଚୟନ କରିବା । ମନମୋହନଙ୍କ ପାଇଁ ଚ୍ୟାଲେଞ୍ଜ ହେବ ।