କନକ ବ୍ୟୁରୋ: ମୋଦୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ବିଜେପି ସରକାର ଉପରେ ବର୍ଷିଲେ କଂଗ୍ରେସ ନେତା । ରାଜ୍ୟରେ ବଢୁଥିବା ଦୁଷ୍କର୍ମ ମାମଲା ଓ ନାରୀ ସୁରକ୍ଷା ପ୍ରସଙ୍ଗରେ ଉଭୟ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କଡ଼ା ସମାଲୋଚନା କରି ସୁର କହିଛନ୍ତି, ଗୋଟିଏ ପଟେ ଦୁଷ୍କର୍ମ ବଢୁଛି ଆଉ ଏପଟେ ବର୍ଷ ପୂର୍ତ୍ତି ନେଇ ଡ୍ରାମା କରୁଛନ୍ତି ମୋହନ ସରକାର । ଭୁବନେଶ୍ବରରେ ୨୦ଟା ଷ୍ଟେଜ୍ ହୋଇଛି, ଭଡ଼ାରେ ବମ୍ବେରୁ କଳାକାର ଆସିଛନ୍ତି ଆଉ ୨ ଲକ୍ଷ ଲୋକଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା କରିଛନ୍ତି ମୋହନ ସରକାର । ଏଭଳି ବଡ଼ ଆୟୋଜନ କ’ଣ ତାଙ୍କ ପୈତୃକ ପଇସାରେ କରିଛନ୍ତି ବିଜେପି ସରକାର?

Advertisment

ସୁର ଆହୁରି ମଧ୍ୟ କହିଛନ୍ତି, ଖାଲି ଗୋପାଳପୁରରେ ନୁହେଁ ଆନନ୍ଦପୁର, ବଲାଙ୍ଗୀର, ସମ୍ବଲପୁର ଭଳି ଓଡ଼ିଶାର ଅନେକ ସ୍ଥାନରେ ଦୁଷ୍କର୍ମ ଭଳି ଘଟଣା ସାମ୍ନାକୁ ଆସିଛି । ପ୍ରତିଦିନ ହତ୍ୟା, ଚୋରି, ଡକାୟତି ବଢ଼ିବାରେ ଲାଗିଛି ଆଉ ଏ ଅପାରଗ ସରକାର ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ତେଣୁ ମୋହନ ସରକାର ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଦେବା କଥା । 

ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ମଧ୍ୟ ବିଜେପି ସରକାରକୁ ଟାର୍ଗେଟ୍ କରିଛନ୍ତି । ଲଲ୍ଲୁ କହିଛନ୍ତି, ଏ ବିଜେପି ସରକାର ଏକ ବର୍ଷର ଉପଲବ୍ଧି ପାଳନ କରୁଛନ୍ତି କିନ୍ତୁ ୬୪ ହଜାର ମହିଳା ଗଲେ କୁଆଡେ? ଗୋପାଳପୁର ବେଳାଭୂମି ଘଟଣା ଦେଶର ମୁଣ୍ଡ ତଳକୁ କରିଦେଇଛି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ଜଣେ ୧୬ ବର୍ଷୀୟ ନାବାଳିକା ସହ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ଚିନ୍ତାର ବିଷୟ ପାଲଟିଛି । ମହିଳାଙ୍କ ପାଇଁ ‘ସୁଭଦ୍ରା’ ଯୋଜନା କରିଛନ୍ତି କିନ୍ତୁ ଏ ରାଜ୍ୟରେ ସୁଭଦ୍ରାମାନେ ଏବେ ଅସୁରକ୍ଷିତ । ଏ ବିଜେପି ସରକାର ମହିଳାଙ୍କ ସୁରକ୍ଷାକୁ ନେଇ ଆଦୌ ସମ୍ବେଦନଶୀଳ ନୁହେଁ । ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ।