କନକ ବ୍ୟୁରୋ : ସଙ୍ଗଠନରେ ନାଁ ଅଛି ନା ନାହିଁ ତାହା ଜଣାନାହିଁ । ହେଲେ ସଙ୍ଗଠନକୁ ସୁଦୃଢ କରିବାକୁ ନବୀନ ନିବାସରୁ ଦିଆଯାଉଛି ମନ୍ତ୍ର । ଦଳୀୟ ପଦବୀ ମୁଆଁ ଆଶାରେ ବୈଠକ ଆସୁଛନ୍ତି ନେତା, ହେଲେ ଫେରିବା ବେଳକୁ ଦ୍ୱନ୍ଦ୍ୱ ଓ ଶଙ୍କାରେ ଫେରୁଛନ୍ତି । ଏପଟେ ତୃଣମୁଳସ୍ତରରେ କର୍ମୀଙ୍କର ବିଜେଡି ପ୍ରତି ବଢୁଛି ଅବିଶ୍ୱାସ । ନବୀନଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେଣି କର୍ମୀ ।

Advertisment

ଅରବିନ୍ଦ ଓ ସନାଙ୍କୁ ନିଲମ୍ବନ ପରେ ବିଜେଡି କ୍ୟାମ୍ପ ପୂରା ନୀରବ ଥିଲା । ହେଲେ ୫ ଦିନ ପରେ ସକାଳୁ ସକାଳୁ ଚଳଚଞ୍ଚଳ ହୋଇଥିଲା ବିଜେଡି ଶିବିର । ପ୍ରମିଳାଙ୍କ ବାସଭବନରେ ବସିଥିଲା ରୁଦ୍ଧଦ୍ୱାର ବୈଠକ । ଯାଜପୁର ନେତା ଏକାଠି ହୋଇ ଭୁଶୁଡି ପଡୁଥିବା ସଙ୍ଗଠନକୁ ସୁଦୃଢ କରିବାକୁ ପ୍ରସ୍ତୁତ କରିଥିଲେ ରଣନୀତି । ବୈଠକର କିଛି ସମୟ ପରେ ନବୀନ ନିବାସରୁ ନେତାଙ୍କୁ ଯାଇଥିଲା ଫୋନ୍‌ କଲ । ବରିଷ୍ଠ ନେତାଙ୍କ ସହ ଚାଲିଥିଲା ଘଣ୍ଟା ଘଣ୍ଟା ଆଲୋଚନା । ଏହାପୂର୍ବରୁ ବିଜେଡିର ବିଧାୟକଙ୍କୁ ଡାକି ସଙ୍ଗଠନକୁ ସୁଦୃଢ କରିବାକୁ ମନ୍ତ୍ର ଦେଇଥିଲେ ନବୀନ । ହେଲେ ଶୀର୍ଷ ସଂଗଠନ କାହାକୁ ନେଇ ଆଗକୁ ଚାଲିବ, ତାହା ଉପରୁ ଏଯାଏଁ ପରଦା ହଟିନି ।

ଅଧିକ ପଢ଼ନ୍ତୁ : ଅରବିନ୍ଦଙ୍କ ନିଲମ୍ବନ ପଛର କାରଣ କହିଲା ବିଜେଡି: ଜାଣନ୍ତୁ, କଣ କହିଲେ ବିଜେଡି ନେତା

ଗତ ଏପ୍ରିଲ ୧୯ରେ ବିଜେଡି ସଭାପତି ଭାବେ ପୁଣିଥରେ ସର୍ବସମ୍ମତ ନିର୍ବାଚିତ ହୋଇଥିଲେ ନବୀନ । ହେଲେ ଏବେ ଯାଏଁ ଅଧପନ୍ତରିଆ ଟିମକୁ ନେଇ ଚାଲିଛନ୍ତି । ଦଳର ରାଜ୍ୟ କାର୍ଯ୍ୟକାରିଣୀ ଓ ରାଜ୍ୟ ପରିଷଦ ତାଲିକାକୁ ଏଯାଏଁ ପ୍ରକାଶ କରିନାହାନ୍ତି ବିଜେଡି ସୁପ୍ରିମୋ । ତାଲିକାରେ କାହା ନାଁ ଅଛି ତାହା କାହାକୁ ଜଣାନାହିଁ । ଏଭଳି ସ୍ଥିତିରେ ଆଲୋଚନାକୁ ଆସୁଥିବା ନେତା ଶଙ୍କାରେ । ପଦବୀ ମିଳିଛି ନା ନାହିଁ, ନେତାଙ୍କ ଏଭଳି ପ୍ରଶ୍ନରେ ନବୀନ ନିବାସ ମଧ୍ୟ ନିରବ । ତେଣୁ ବିନା ପଦପଦବୀରେ ସଙ୍ଗଠନ କଥା ବୁଝିବାକୁ ବିଜେଡିର ତୁଙ୍ଗ ନେତା ନାକ ଟେକୁଥିବା ଚର୍ଚ୍ଚା ।

କେବଳ ଶୀର୍ଷସ୍ତରରେ ନୁହେଁ ତୃଣମୂଳସ୍ତରରେ ଏବେ ବିଜେଡି ସଙ୍ଗଠନ ଫାଳଫାଳ । ପ୍ରିୟ ନେତାଙ୍କ ପଦବୀ ପକ୍କା ହେଉନଥିବାରୁ ମୁହଁ ମୋଡିଲେଣି କର୍ମୀ । ଅବାନ୍ତର ଯୁକ୍ତି ରଖି ଅରବିନ୍ଦଙ୍କୁ ନିଲମ୍ବନ କରାଯାଇଥିବାରୁ ଦଳପତିଙ୍କ ଉପରୁ କର୍ମୀଙ୍କର ମଧ୍ୟ ଭରସା ତୁଟୁଥିବାର ଝଲକ କେନ୍ଦ୍ରାପଡାରେ ଦେଖିବାକୁ ମିଳିଛି ।