Photograph: (Kanak News)
କନକ ବ୍ୟୁରୋ : ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣାକୁ ନେଇ ହୁଲସ୍ତୁଲ ହେଉଛି ଓଡ଼ିଶା । ଛାତ୍ରୀଙ୍କ ମୃତ୍ୟୁ ପରେ ରାଜ୍ୟବ୍ୟାପୀ ବିକ୍ଷୋଭ, ଶୋଭାଯାତ୍ରା ଚାଲିଥିବା ବେଳେ ଆଜି ରାଜଧାନୀ ପାଲଟିଛି ରଣକ୍ଷେତ୍ର ।
ପୀଡ଼ିତାଙ୍କ ପରିବାରକୁ ନ୍ୟାୟ, ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରି ଲୋୟର ପିଏମ୍ଜିରେ ଗର୍ଜିଛି ବିଜେଡି । ସକାଳ ପ୍ରାୟ ୧୦ଟା ୩୦ରେ ଲୋକସେବା ଭବନ ଘେରାଉ କରିବାକୁ ମାଷ୍ଟରକ୍ୟାଣ୍ଟିନ ଆଡ଼ୁ ମାଡ଼ି ଆସିଥିଲେ ଶହ ଶହ ବିଜେଡି ନେତା ଓ କର୍ମୀ । କେହି କିଛି ଭାବିବା ପୂର୍ବରୁ ବ୍ୟାରିକେଡ୍ ନିକଟରେ ପହଞ୍ଚିଯାଇଥିଲେ । ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ବ୍ୟାରିକେଡ୍ ଡେଇଁବାକୁ ଉଦ୍ୟମ କରିଥିଲେ । ଆନ୍ଦୋଳନକାରୀଙ୍କୁ ପୁଲିସ ଅଟକାଇବାରୁ ଧସ୍ତାଧସ୍ତି ହୋଇଥିଲା । ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପୁଲିସ ପାଣିମାଡ଼ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଧସ୍ତାଧସ୍ତିରେ ଉଭୟ ପକ୍ଷର କିଛି ଲୋକ ଆହତ ହୋଇଛନ୍ତି ।
ଗୋଟିଏ ପଟେ ଲୋୟର ପିଏମ୍ଜିରେ ବିଜେଡି, ବିଜେପି ସରକାର ବିରୋଧରେ ବିକ୍ଷୋଭ କରୁଥିବା ବେଳେ ଅନ୍ୟପଟେ ଅଚାନକ ମାଡ଼ି ଆସିଥିଲେ ଯୁବ କଂଗ୍ରେସ ନେତା ଓ କର୍ମୀ । ଶୋଭାଯାତ୍ରାରେ ଆସି ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଥିଲେ । ବାମପନ୍ଥୀ ଦଳର ବହୁ ସଂଖ୍ୟାରେ କର୍ମୀ ମଧ୍ୟ ଲୋୟର ପିଏମ୍ଜିରେ ପ୍ରତିବାଦ କରିଥିଲେ । ସରକାର ବିରୋଧରେ ବି ନାରାବାଜି କରିଥିଲେ ।
ସରକାର ବିରୋଧରେ ବିରୋଧୀ ଆନ୍ଦୋଳନ ଚଳାଇଥିବା ବେଳେ ନିର୍ଭୟା ଭଳି ସ୍ୱତନ୍ତ୍ର ଆଇନ ଆଣିବାକୁ ଦାବି କରିଛି ଏବିଭିପି । ଏଫ୍ଏମ୍ ଛାତ୍ରୀଙ୍କୁ ସୋସିଆଲ ମିଡିଆରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ଛାତ୍ର ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବାଣୀବିହାର ଛକରେ ରାଜରାସ୍ତା ଅବରୋଧ କରିଛନ୍ତି ଏବିଭିପି କର୍ମୀ
ସେପଟେ ବିଜେଡି ଆଜି ବାଲେଶ୍ୱର ବନ୍ଦ ପାଳନ କରିଛି । ସକାଳ ୬ଟାରୁ ଦିନ ୨ଟା ଯାଏ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ବିଜେଡି ନେତା ଓ କର୍ମୀ । ଯାହା ଫଳରେ ବାଲେଶ୍ୱରରେ ଠପ୍ ହୋଇଯାଇଥିଲା ଯାତାୟାତ ।
Follow Us