କନକ ବ୍ୟୁରୋ : ଓବିସି କାର୍ଡ ଖେଳି ପୂରା ଶ୍ରେୟ କାଳେ ବିଜେପି ନେଇଯିବ ସେଥିପାଇଁ ମୈଦାନକୁ ଓହ୍ଲାଇଥିଲା ବିଜେଡି । ଦଳର ପଞ୍ଝାଏ ନେତା ରାଜଭବନ ସମ୍ମୁଖରେ ଡବଲ ଇଞ୍ଜିନ ବିରୋଧରେ ଗର୍ଜନ ତର୍ଜନ କରି ବିଜେପିକୁ ଅକଳରେ ପକାଇବାକୁ ଚାହିଁଥିଲେ । କିନ୍ତୁ ବରିଷ୍ଠ ନେତା ରାଜା ସ୍ୱାଇଁ ବିଜେଡିର ଏହି ମାଇଲେଜ ନେବା ମନୋବୃତ୍ତିକୁ ଫସର ଫଟାଇ ଦେଇଛନ୍ତି । ରାଜାଙ୍କ ବାଣ ବିଜେଡିକୁ ବେଶ ବିନ୍ଧିଛି ।
ଶିକ୍ଷାନୁଷ୍ଠାନରେ ଏସଇବିସି ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫% ସଂରକ୍ଷଣ ନିଷ୍ପତ୍ତିରେ ମୋହର ମାରିଥିଲା ମୋହନଙ୍କ କ୍ୟାବିନେଟ । ଐତିହାସିକ ନିଷ୍ପତ୍ତି କହି ଜୋରଦାର ପ୍ରଚାର କଲା । ଯାହାକୁ ସହ୍ୟ କରିପାରିନି ବିଜେଡି । ତେଣୁ ବିଜେପିର ପ୍ରଚାରରେ ବ୍ରେକ ଦେବାକୁ ପ୍ରତିବାଦ ଅସ୍ତ୍ର ଆପଣାଇଛି ବିଜେଡି । ରାଜଭବନ ସାମ୍ନାରେ ସବୁ ମୋର୍ଚ୍ଚାକୁ ଏକଜୁଟ୍ କରି ଗଣଧାରଣା ଦେଇଛି ଦଳ । ପଛୁଆବର୍ଗଙ୍କୁ ୨୭% ସଂରକ୍ଷଣ ନଦେଲେ ଆନ୍ଦୋଳନ ପଞ୍ଚାୟତସ୍ତରକୁ ଯିବ ବୋଲି ଚେତାବନୀ ଦେଇଛି ବିଜେଡି । ଅନ୍ୟପଟେ ୨୪ ବର୍ଷ ସରକାରରେ ପଛୁଆବର୍ଗଙ୍କୁ ପାଇଁ କଣ କରିଛ ବୋଲି ପ୍ରଶ୍ନ କରିଛି ବିଜେପି ।
ବିଜେପିର ପ୍ରଶ୍ନ ବିଜେଡିକୁ କେବଳ ଅକଳରେ ପକାଇଛି । କିନ୍ତୁ ଦଳର ବରିଷ୍ଠ ବିଧାୟକ ରାଜା ସ୍ୱାଇଁଙ୍କ ବୟାନ ବିଜେଡିକୁ ବ୍ୟାକଫୁଟକୁ ଠେଲି ଦେଇଛି । ମଞ୍ଚ ଉପରୁ ଦଳର ବରିଷ୍ଠ ବିଧାୟକ ରାଜା ସ୍ୱାଇଁ ଯେଉଁ ପ୍ରଶ୍ନବାଣ ମାରିଛନ୍ତି ସେଥିରେ ଇତଃସ୍ତତ ହୋଇ ପଡିଛି ବିଜେଡି ଶିବିର । ଭାଷଣରେ ଶାସକ ଦଳ ଅପେକ୍ଷା ନିଜ ଦଳକୁ ଷଣ୍ଢୁଆସୀ ଆକ୍ରମଣ କରିଛନ୍ତି ରାଜା । ପୂର୍ବ ଭୁଲକୁ ପଦାରେ ପକାଇ ଦଳର ପୋଲ ଖୋଲିଛନ୍ତି ଏହି ଅନୁଭବୀ ନେତା ।
ବିଜେଡିକୁ ରାଜାଙ୍କ ଓବିସି ବାଣ
ବିଜେଡି ସମୟରେ ଗଠନ ଓବିସି କମିଶନର ମେଥଡୋଲୋଜି ଭୁଲ ଥିଲା
ହିସାବ ଯଦି ଠିକ୍ ଥିଲା ତେବେ ବୁଡିଲ କାହିଁକି?
ଓବିସି ପ୍ରସଙ୍ଗରେ ଆଭିମୁଖ୍ୟ ଠିକ୍ ଥିଲେ ଏଭଳି ଦଶା ହୋଇନଥାନ୍ତା
ବିଜୁ ବାବୁ ଏସସି,ଏସଟି, ଓବିସିଙ୍କୁ ନେଇ ଆଗକୁ ବଢୁଥିଲେ, ଦଳର କିଛି ନେତା ଅଗଲବଗଲ କରିଛନ୍ତି
ପଛୁଆବର୍ଗ ଆନ୍ଦୋଳନକୁ ନେଇ ବିଜେଡି ଏବେ ଦ୍ୱନ୍ଦ୍ୱରେ । ବିଜେପିକୁ ଏହି ପ୍ରସଙ୍ଗରେ ଘେରିବା ବିଜେଡି ପାଇଁ ଯେତିକି ଆହ୍ୱାନପୂର୍ଣ୍ଣ । ନିଜ ଦଳର ବିଧାୟକ ରାଜା ସ୍ୱାଇଁଙ୍କୁ ଏ ପ୍ରସଙ୍ଗରେ ଚୁପ୍ କରିବା ବିଜେଡି ପାଇଁ ସେତିକି କଷ୍ଟକର । କାରଣ ରାଜାଙ୍କ ପଦେ ପଦେ ଅପ୍ରିୟ କଥା ପାଇଁ ହରଡ଼ଘଣାରେ ପଡୁଛି ବିଜେଡି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/05/21/9cuFDrMp3vDKpEv2vKNJ.jpg)