କନକ ବ୍ୟୁରୋ : ସାହସ ଦେଖାଇଲେ, ତଥ୍ୟ ଓ ପ୍ରମାଣ ରଖି ନବୀନଙ୍କ ଅସଲ ମୁଖା ଖୋଲିଦେଲେ ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ । ଦ୍ୱିତୀୟ କ୍ଷମତାକେନ୍ଦ୍ର ୧୦ ମାସ ପୂର୍ବରୁ ଦଳର ସଙ୍କଟମୋଚକ ଭାବେ ପରିଚିତ କରିଥିଲେ । ଏବେ ଦଳରେ ନଥିବାର ସାର୍ଟିଫିକେଟ କିଭଳି ଧରାଇଲେ ବୋଲି ନମ୍ବର ୧ କ୍ଷମତାକେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ପ୍ରଭାତ ।
ୱାକଫ ବିଲକୁ ନେଇ ନବୀନ ଅସମ୍ଭବ ନିରବତା ଅବଲମ୍ବନ କରିଛନ୍ତି । ହେଲେ ପାଣ୍ଡିଆନଙ୍କ ନାଁ ନେଲେ, ନବୀନ ଚିହିଁକି ଉଠୁଛନ୍ତି । ଆଉ ଏହି କ୍ରମରେ ନବୀନଙ୍କ ରୋଷର ପ୍ରଥମ ଶିକାର ହୋଇଛନ୍ତି ଦଳର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ । ଦୁଇ ଧାଡ଼ିଆ କଥା କହି ପ୍ରଭାତଙ୍କ ପତ୍ତା କାଟିଛନ୍ତି ନବୀନ । ଅନ୍ୟପଟେ ୪୦ ମିନିଟର ପ୍ରେସମିଟ କରି କଡାଗଣ୍ଡା କରି ହିସାବ ରଖିଛନ୍ତି ନିଜେ ପ୍ରଭାତ । ଚିଠି ଓ ଫଟୋ ଦେଖାଇ କହିଛନ୍ତି, ନିଲମ୍ବନକୁ ନେଇ ମିଛ କହିଛନ୍ତି ନବୀନ । ୨୦୧୭ରେ ମୋ ଉପରୁ ନିଲମ୍ବନ ହଟିଥିଲା । ୨୦୧୯ରୁ ୨୦୨୪ ଯାଏଁ ଦଳ ପାଇଁ କାମ କରିଛି । ଏପରିକି ୨୦୨୪ ସଭାରେ ଦ୍ୱିତୀୟ କ୍ଷମତାକେନ୍ଦ୍ର ମିଡ୍ ନାଇଟ୍ ଅପରେସନ ରୋକିବା କଥା କହି ପ୍ରଶଂସା କରିଥିଲେ । ତେଣୁ ମୁଁ ଦଳରେ ନାହିଁ ବୋଲି କହିବା ନବୀନଙ୍କୁ ଶୋଭା ଦେଉନି ବୋଲି କହିଛନ୍ତି ପ୍ରଭାତ ତ୍ରିପାଠୀ ।
୨୦୨୪ରେ ବିଜେଡି ପରାଜୟର ପୋଲ ଖୋଲିଛନ୍ତି ପ୍ରଭାତ । କହିଛନ୍ତି, ଗତ ନିର୍ବାଚନରେ ନବୀନଙ୍କୁ ଦୁଇଟି ଜାଗାରେ ଛିଡ଼ା କରି ବିଜେଡିକୁ ଅବିଶ୍ୱାସର ପାତ୍ର କରିଥିଲେ ଦ୍ୱିତୀୟ କ୍ଷମତାକେନ୍ଦ୍ର । ନବୀନ ଓଡ଼ିଶା ଛାଡିଥାନ୍ତେ, ଆଉ କ୍ଷମତାକୁ ପାଣ୍ଡିଆନଙ୍କ ହାତରେ ଟେକି ଦେଇଥାନ୍ତେ । ତେଣୁ ଓଡ଼ିଶାବାସୀ ଏହାର ଜବାବ ଦେଲେ ବୋଲି ପ୍ରଭାତ ଅଭିଯୋଗ କରିଛନ୍ତି ।
ପ୍ରଭାତଙ୍କ ଅଭିଯୋଗ ପରେ କୋର୍ଟ କପି ଦେଖାଇ କାଉଣ୍ଟର କରିଛି ବିଜେଡି । ନିଜର ଭୁଲ ଲୁଚାଇବାକୁ ନବୀନଙ୍କୁ ଅପବାଦକୁ ଟାଣୁଛନ୍ତି ପ୍ରଭାତ । ଆଗରୁ ପ୍ରଭାତ ଦୁଇଥର ସସପେଣ୍ଡ ହୋଇଛନ୍ତି । ତେଣୁ ସେ କେତେ ଶୃଙ୍ଖଳିତ ତାହା ଜଣାପଡୁଛି ବୋଲି କହିଛନ୍ତି ଦଳର ନେତା ଲେନିନ୍ ମହାନ୍ତି ।
ଆରୋପ-ପ୍ରତ୍ୟାରୋପ ଭିତରେ ପ୍ରଶ୍ନ ଉଠୁଛି, ଯଦି ପ୍ରଭାତଙ୍କ ଚିଠି ସତ, ତେବେ ମିଛ କହୁଛନ୍ତି କି ନବୀନ ? ପାଣ୍ଡିଆନ କ'ଣ ସତରେ କ୍ଷମତା ହରଣ ପାଇଁ କରିଥିଲେ ଯୋଜନା ? ସତ କହିବା ପ୍ରଭାତଙ୍କୁ ମହଙ୍ଗା ପଡ଼ିଲା କି ?