BJD Photograph: (Kanak News)
କନକ ବ୍ୟୁରୋ : ବିଜେଡିକୁ ବିବାଦ ପିଛା ଛାଡୁନି । ରାଜ୍ୟସଭା ପ୍ରାର୍ଥୀଙ୍କୁ ନେଇ ଅସନ୍ତୋଷ ଜାହିର କରି ବିଜେଡିରୁ ବିଦା ହୋଇଥିବା ପ୍ରଭାତ ଦଳୀୟ ପାଣ୍ଠିକୁ ନେଇ ବଡ଼ ବିସ୍ଫୋରଣ କରିଛନ୍ତି । ୪ ହଜାର କୋଟିର ଦଳୀୟ ପାଣ୍ଠି ହଡ଼ପ ଅଭିଯୋଗ ଆଣି ବିଜେଡିର ଶୀର୍ଷ ନେତୃତ୍ୱଙ୍କୁ ପ୍ରଶ୍ନର ପାହାଡ଼ ଉପରେ ଛିଡ଼ା କରିଛନ୍ତି ପ୍ରଭାତ । କଟକର ବଡ଼ ବଡ଼ ନେତା ଚୁପ୍ ରହିବା ଭିନ୍ନ ଚର୍ଚ୍ଚାକୁ ଖୋରାକ୍ ଯୋଗାଉଛି । ତେବେ ଦଳର ବିଧାୟକ ପ୍ରଭାତଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ରାଜ୍ୟସଭା ପ୍ରାର୍ଥୀକୁ ନେଇ ମୁହଁ ଖୋଲିବା ପ୍ରଭାତ ବିଶ୍ୱାଳଙ୍କୁ ମହଙ୍ଗା ପଡ଼ିଛି । ଦଳରୁ ବହିଷ୍କାରର ବାଟ ଦେଖାଇଛନ୍ତି ବିଜେଡି ସୁପ୍ରିମୋ । ହେଲେ ଦଳରୁ ଯିବା ପୂର୍ବରୁ ସାଂଘାତିକ ଅଭିଯୋଗ ଆଣିଥିଲେ ପ୍ରଭାତ । ୪ ହଜାର କୋଟିର ଦଳୀୟ ଫାଣ୍ଠି ହଡ଼ପ କରାଯାଇଥିବା କହିବା ପରେ ବିଜେଡି ରାଜନୀତିରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । କିଏ ଖାଇଛି ଦଳର ୪ ହଜାର କୋଟି ? ରାଜ୍ୟ ବାହାରେ ଘରୋଇ ବ୍ୟାଙ୍କରେ କାହିଁକି ଖୋଲାଯାଇଥିଲା ଆକାଉଣ୍ଟ ? ଏବେ ଦଳୀୟ ପାଣ୍ଠି ଥିବା ଆକାଉଣ୍ଟ ପରିଚାଳନା ପାଇଁ ଅଧିକୃତ କିଏ ? ଆକାଉଣ୍ଟରେ ଟଙ୍କା ନେଣଦେଣ ବାବଦରେ ଦଳରେ କିଏ କିଏ ଜାଣିଛନ୍ତି ?
ଅଧିକ ପଢ଼ନ୍ତୁ : ବିଜେଡିରୁ ପ୍ରଭାତ ବିଦା
ପ୍ରଭାତ ବିଜେଡି ପାଣ୍ଠିକୁ ନେଇ ଯେଉଁ ଅଭିଯୋଗ ଆଣିଛନ୍ତି ସେ ପ୍ରସଙ୍ଗରେ ଦଳ ଏକଦମ ଚୁପ୍ । କଟକରେ ଅନେକ ବରିଷ୍ଠ ନେତା ଥିଲେ ମଧ୍ୟ ପ୍ରଭାତଙ୍କ ଅଭିଯୋଗକୁ ମିଛ କହିବାକୁ ସାହସ ଜୁଟାଇ ପାରିନାହାନ୍ତି । ତେବେ ଜିଲ୍ଲା ବାହାରର କିଛି ଦଳୀୟ ବିଧାୟକ ପ୍ରଭାତଙ୍କ ଅଭିଯୋଗକୁ ଜୋରଦାର କାଉଣ୍ଟର କରିଛନ୍ତି । ‘ପ୍ରଭାତଙ୍କ ଅଭିଯୋଗ ପଛରେ ମାଷ୍ଟରମାଇଣ୍ଡ ଅନ୍ୟ କେହି ଅଛି । ଏ ଭାଷା ତାଙ୍କର ନୁହେଁ’ ।
ପ୍ରଭାତଙ୍କ ଅଭିଯୋଗ, ବିଧାୟକଙ୍କ ଜବାବ ଭିତରେ ୪ ହଜାର କୋଟିର ରହସ୍ୟକୁ ନେଇ ନବୀନ ନୀରବ । ଯାହା ସନ୍ଦେହକୁ ବଢ଼ାଉଛି ।
Follow Us