କନକ ବ୍ୟୁରୋ : ବିହାରର ନୂଆ ବିଧାନସଭାକୁ ନିର୍ବାଚିତ ଅଧାରୁ ଅଧିକ ବିଧାୟକଙ୍କ ନାଁରେ ଆପରାଧିକ ମାମଲା ରହିଛି । ୯୦ ପ୍ରତିଶତ ବିଧାୟକ କୋଟିପତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅଧାରୁ ଅଧିକ ବିଧାୟକଙ୍କ ନାଁରେ ଆପରାଧିକ ମାମଲା ଥିଲେ ବି ଗତ ବିଧାନସଭା ତୁଳନାରେ ଅପରାଧ ରେକର୍ଡ ଥିବା ବିଧାୟକଙ୍କ ସଂଖ୍ୟା ହ୍ରାସ ପାଇଛି ।

Advertisment

ବିହାର ବିଧାନସଭାକୁ ଏଥର ନିର୍ବାଚିତ ୨୪୩ ବିଧାୟକଙ୍କ ମଧ୍ୟରେ ୨୧୪ ଜଣ ପୁରୁଷ ଓ ୨୯ ଜଣ ମହିଳା ଅଛନ୍ତି । ୨୦୨୦ ନିର୍ବାଚନ ତୁଳନାରେ ଏଥର ମହିଳା ବିଧାୟକଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ବିହାର ବିଧାନସଭାକୁ ୨୦୨୦ରେ ୨୬ ଜଣ ମହିଳା ନିର୍ବାଚିତ ହୋଇଥିଲେ । ମୋଟ୍ ବିଧାୟକଙ୍କ ମଧ୍ୟରୁ ଏଥର ମାତ୍ର ୧୨ ପ୍ରତିଶତ ହେଉଛନ୍ତି ମହିଳା । ମହିଳାଙ୍କ ପ୍ରତିନିଧିତ୍ୱ କ୍ଷେତ୍ରରେ ବିହାର ତଥାପି ପଛୁଆ ରହିଛି ।

ଅଧିକ ପଢ଼ନ୍ତୁ : ରିୟଲଟି ମଞ୍ଚରୁ ରାଜନୀତି; ମନ ଜିତିଲେ ମୈଥିଳୀ ଠାକୁର

୨୦୨୦ରେ ବିହାର ବିଧାନସଭାକୁ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୬୮ ପ୍ରତିଶତଙ୍କ ନାଁରେ ଆପରାଧିକ ରେକର୍ଡ ଥିଲା । ୨୦୨୫ରେ ଏହି ସଂଖ୍ୟା ୫୩ ପ୍ରତିଶତକୁ ହ୍ରାସ ପାଇଛି । ସେପିପରି ଗୁରୁତର ଆପରାଧିକ ରେକର୍ଡ ଥିବା ବିଧାୟକଙ୍କ ସଂଖ୍ୟା ୫୧ ପ୍ରତିଶତରୁ ୪୨ ପ୍ରତିଶତକୁ ହ୍ରାସ ପାଇଛି । ବିଜେପିରେ ଆପରାଧିକ ମାମଲା ଥିବା ବିଧାୟକଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ଆରଜେଡି ଓ କଂଗ୍ରେସରେ ଏହି ସଂଖ୍ୟା ହ୍ରାସ ପାଇଛି । ଏହି ଧାରା ସାରାଦେଶରେ ଦେଖାଦେଇଥିବା ଢାଞ୍ଚାର ଏକ ଅଂଶ ।

ଭୋଟରମାନେ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ଅପେକ୍ଷା ବିଜୟ ସମ୍ଭାବନା ଓ ଆଞ୍ଚଳିକ ପ୍ରଭାବ ଥିବା ନେତାଙ୍କୁ ଲୋକ ନିର୍ବାଚିତ କରୁଛନ୍ତି । ନିର୍ବାଚନ ସଂସ୍କାର ପାଇଁ ବାରମ୍ବାର ଆହ୍ୱାନ ସତ୍ତ୍ୱେ ଆପରାଧିକ ପୃଷ୍ଠଭୂମି ଥିବା ନେତାମାନଙ୍କର ପ୍ରଭାବ ରହିଆସିଛି । ବିଶେଷକରି ଜାତି ଓ ସମ୍ପ୍ରଦାୟର ପ୍ରଭାବ ଥିବା ରାଜ୍ୟଗୁଡ଼ିକରେ ଏଭଳି ଘଟୁଛି ।

ଅନ୍ୟପକ୍ଷରେ ବିହାର ବିଧାନସଭାରେ ବଢ଼ିଛି ଧନୀ ବିଧାୟକଙ୍କ ସଂଖ୍ୟା । ୯୦ ପ୍ରତିଶତ ନୂଆ ବିଧାୟକ କୋଟିପତି । ପ୍ରତି ୧୦ ଜଣରେ ଜଣେ ବିଧାୟକଙ୍କର ୧ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି । ୨୦୨୦ରେ ୮୧ ପ୍ରତିଶତ କୋଟିପତି ବିଧାୟକ ନିର୍ବାଚିତ ହୋଇଥିଲେ । ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ସହ ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠରୁ ଏହି ସୂଚନା ମିଳିଛି । ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ -ଏଡିଆର୍ ଏବଂ ବିହାର ଇଲେକ୍ସନ ୱାଚ୍ ଏହି ହିସାବ କରିଛନ୍ତି ।