କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ସବୁ ରାଜନୈତିକ ଦଳ ତତ୍ପର ହୋଇଉଠିଛନ୍ତି । ତେବେ ସବୁ ଦଳଙ୍କ ମଧ୍ୟରେ ଆସନ ବୁଝାମଣା ନେଇ ବିବାଦ ଦେଖାଦେଇଛି । ସହଯୋଗୀ ଦଳଙ୍କୁ ସନ୍ତୁଷ୍ଟ କରି ଆସନ ବଣ୍ଟନ ପାଇଁ ଜୋରଦାର କସରତ ଚଳାଇଛନ୍ତି ବିରୋଧୀ ମହାଗଠବନ୍ଧନ ଏବଂ ଶାସକ ଏନଡିଏ ।
ବିହାରରେ ବାଜି ସାରିଲାଣି ନିର୍ବାଚନୀ ବିଗୁଲ । ଭୋଟ୍ କବାଟ ବାଡ଼େଇଲାଣି, ନେତା ଘରେ କମ୍ ବାହାରେ ବେଶି ଡେରା ପକାଇଲେଣି । ଚା’ ଦୋକାନଠାରୁ ଆରମ୍ଭ କରି କର୍ପୋରେଟ୍ ଅଫିସ୍, ସବୁଠି ରାଜନୀତିର ଗପ । ଏଥର କିଏ ମାରିବ ବାଜି, ନୀତୀଶ ନା ତେଜସ୍ୱୀ । ଏସବୁ ଭିତରେ ଆଶାୟୀ ପ୍ରାର୍ଥୀଙ୍କ ଛାତି ଧଡ଼ଧଡ଼ । କାରଣ ଆସନ ଭାଗବଣ୍ଟା ଗଣିତ ଛିଡୁନି । ତେଜସ୍ୱୀ ଯାଦବଙ୍କ ଘରେ ବସୁଛି ମହାଗଠବନ୍ଧନର ମାରାଥନ ବୈଠକ । କୁହାଯାଉଛି, ଦିନେ ଦୁଇଦିନ ମଧ୍ୟରେ ମହାଗଠବନ୍ଧନ ଆସନ ଘୋଷଣା କରିପାରେ । ସେହିପରି ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ମଧ୍ୟ ତେଜସ୍ୱୀଙ୍କ ନାଁରେ ବିଧିବଦ୍ଧ ମୋହର ବାଜିନାହିଁ । ଏଥର ନଜର କଂଗ୍ରେସ ଉପରେ ରହିବ । ରାହୁଲଙ୍କ ମାରାଥନ ରାଲି ପରେ କେତେ ଆସନ ପାଉଛି କଂଗ୍ରେସ ।
ଏନଡିଏ ଶିବିର ମଧ୍ୟ ଚିନ୍ତାରେ ଅଛି । କୁହାଯାଉଛି ଯେ ଏନଡିଏ ଉପରେ ଚିରାଗ ଖପ୍ପା, ଫୋନ ଅଫ୍ । ବିଜେପିର ନିର୍ବାଚନ ପ୍ରଭାରୀ ଧମେନ୍ଦ୍ର ପ୍ରଧାନ ଓ ରାଜ୍ୟ ପ୍ରଭାରୀ ବିନୋଦ ତାୱଡ଼େ ଚିରାଗଙ୍କ ଘରକୁ ଯାଇ ସାକ୍ଷାତ କରିଛନ୍ତି । ଚିରାଗ ପୂର୍ବରୁ କହିସାରିଛନ୍ତି, ଦଳକୁ ସମ୍ମାନଜନକ ଆସନ ମିଳିବା ଦରକାର । ଚିରାଗ ପ୍ରାୟ ୪୦ଟି ଆସନ ଦାବି କରୁଛନ୍ତି । ପାଞ୍ଚଟି ପ୍ରମୁଖ ଆସନ ପାଇଁ ମଧ୍ୟ ନେଇ ଜିଦ୍ ଧରିଛନ୍ତି । ଗୋବିନ୍ଦଗଞ୍ଜ, ବ୍ରହ୍ମପୁର, ଅଟ୍ରି, ମହୁଆ ଏବଂ ସିମରି ବଖତିୟାରପୁର ।
ଅନ୍ୟପଟେ ଜେଡିୟୁ ମଧ୍ୟ ଏଥିରୁ ତିନିଟି ଆସନ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ । ଚିରାଗଙ୍କ ଦଳ ୨୦୨୦ ବିଧାନସଭା ନିର୍ବାଚନରେ ମେଣ୍ଟରୁ ବାହାରେ ରହି ନୀତୀଶ କୁମାରଙ୍କ ଗେମ୍ ପ୍ଲାନ୍କୁ ନଷ୍ଟ କରିଦେଇଥିଲେ । ଏହି କାରଣରୁ ଅମିତ ଶାହ ଦିଲ୍ଲୀରେ ଅନୁଷ୍ଠିତ ବିହାର କୋର କମିଟି ବୈଠକରେ ସ୍ପଷ୍ଟ କରିଥିଲେ ଯେ, ୨୦୨୦ର ଭୁଲ ପୁନରାବୃତ୍ତି କରାଯିବା ଉଚିତ୍ ନୁହେଁ । ବିଜେପି ସାମ୍ନାରେ ଥିବା ଚ୍ୟାଲେଞ୍ଜ ହେଉଛି ଚିରାଗଙ୍କ ସହିତ ଜିତନ ରାମ ମାଞ୍ଜି ଏବଂ ଉପେନ୍ଦ୍ର କୁଶୱାହାଙ୍କ ଦଳଗୁଡ଼ିକ ମଧ୍ୟ ଅଧିକ ଆସନ ମାଗିପାରନ୍ତି ।