କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ତେଜୁଛି ରାଜନୀତି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳର ନେତା ଜି- ଜାନ୍ ଲଗାଇ ଦେଇଛନ୍ତି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପୁଣି ବିହାର ଯାଉଛନ୍ତି । ସେପଟେ ବିହାରବାସୀଙ୍କ ପାଇଁ ୧୨୫ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ପୁଣି ବିହାର ଯାଉଛନ୍ତି । ମୋଦୀ ଗତ ଜାନୁଆରି ମାସରୁ ଏବେ ସୁଦ୍ଧା ୪ ଥର ବିହାର ଗଲେଣି । ଆସନ୍ତାକାଲିର ଗସ୍ତ ପଞ୍ଚମ ଗସ୍ତ ହେବ । ବିହାର ପାଇଁ ମୋଦୀ ଆସନ୍ତାକାଲି ପ୍ରାୟ ୭ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିପାରନ୍ତି । ମୋଦୀ ନିକଟରେ ଯେତେଥର ବିହାର ଯାଇଛନ୍ତି, ସେତେଥର ବହୁ ପ୍ରକଳ୍ପ ଘୋଷଣା କରିଛନ୍ତି । ମୋଦୀ ଆସନ୍ତାକାଲି ଚମ୍ପାରନ ଜିଲ୍ଲାର ମୋତିହାରି ଗାନ୍ଧୀ ମୈଦାନରେ ସାଧାରଣ ସଭାରେ ଉଦବୋଧନ ଦେବେ । ବିହାର ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଜୟସୱାଲ ଓ ଦଳର ଅନ୍ୟ ନେତାମାନେ ମୋଦୀଙ୍କ ଗସ୍ତ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ।
ସେପଟେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟବାସୀଙ୍କ ପାଇଁ ୧୨୫ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଘୋଷଣା କରିଛନ୍ତି । ଏହି ମାଗଣା ବିଦ୍ୟୁତ୍ ଯୋଜନା ଆସନ୍ତା ଅଗଷ୍ଟ ୧ ତାରିଖରୁ ଲାଗୁ ହେବ । ଚଳିତ ଜୁଲାଇ ମାସର ବିଦ୍ୟୁତ୍ ବିଲରେ ୧୨୫ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଖର୍ଚ୍ଚ ପାଇଁ ଦେୟ ଦେବାକୁ ପଡ଼ିବ ନାହିଁ । ସେହିପରି ଘରୋଇ ଗ୍ରାହକଙ୍କ ଘରର ଛାତ ଉପରେ ସୋଲାର ପାୱାର ପ୍ଲାଣ୍ଟ କିମ୍ୱା କିମ୍ୱା ନିକଟସ୍ଥ ସ୍ଥାନରେ ବସାଇଇବା ପାଇଁ ବିହାର ସରକାର ସ୍ଥିର କରିଛନ୍ତି । ଆଗାମୀ ତିନିବର୍ଷ ମଧ୍ୟରେ ଏହା କାର୍ଯ୍ୟକାରୀ ହେବ । ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ନୀତୀଶ କୁମାର ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ବିହାରରେ ଭୋଟର ତାଲିକା ସଂଶୋଧନକୁ ବିଜେପିର ଷଡ଼୍ଯନ୍ତ୍ର ବୋଲି ଜନ ସୁରାଜ ପାର୍ଟି ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର କହିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନସିଭ୍ ସଂଶୋଧନକୁ ଭୋଟ୍ ଚୋରି ଉଦ୍ୟମ ବୋଲି ଅଭିଯୋଗ କରିଛନ୍ତି । ଆସନ୍ତା ଅକ୍ଟୋବର- ନଭେମ୍ୱର ମାସରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ଜୋର ଧରିଛି ରାଜନୀତି ।