Bhadrak BJD Leaders Photograph: (Kanak News)
କନକ ବ୍ୟୁରୋ : ଭଦ୍ରକରେ ୪ ବ୍ଲକ ଅଧ୍ୟକ୍ଷକଙ୍କ ଇସ୍ତଫା ପରେ ଦୋହଲିଯାଇଛି ବିଜେଡି ଗଡ଼ । ଏହାପରେ ଆଜି ଭଦ୍ରକ ବିଜେଡି ନେତା ନବୀନ ନିବାସରେ ପହଞ୍ଚି ଆଲୋଚନା କରିଛନ୍ତି । ଭଦ୍ରକରେ ବିଜେଡି ଦଳକୁ ସଂଗଠିତ କରି ରଖିବା ପାଇଁ ପ୍ରଫୁଲ୍ଲ ସାମାଲଙ୍କୁ ଦାୟିତ୍ୱ ଦେଇଛନ୍ତି ନବୀନ ପଟ୍ଟନାୟକ । ବୈଠକ ପରେ ଦଳୀୟ ନେତା କହିଛନ୍ତି, ଯାହାର ମୂଲ୍ୟ ନାହିଁ ସେମାନେ ଦଳ ଛାଡୁଛନ୍ତି । ସମସ୍ତଙ୍କୁ ଅନୁରୋଧ ଦଳକୁ ମଜଭୂତ କର ଦୁର୍ବଳ କରନାହିଁ । ମୋ ସହିତ କୌଣସି ଅଧକ୍ଷ ଆଲୋଚନା କରିନାହାନ୍ତି । ବ୍ଲକ ଅଧକ୍ଷ ମାନଙ୍କୁ ବିଜେପିରେ ମିଶିବା ପାଇଁ ଚାପ ପ୍ରୟୋଗ କରାଯାଉଛି । ନିର୍ବାଚନ ରେ ଆମେ ଶତପ୍ରତିଶତ ଜିତିଥିଲୁ । ବିଜେପି ରାଜ୍ୟ ସଭାପତିଙ୍କ ଜିଲ୍ଲା । ତାଙ୍କର ପୂର୍ଣ୍ଣ ସମ୍ପୃକ୍ତି ରହିଛି । କାହାକୁ ମୂଳଚାଲ କରି ଆଉ କାହାକୁ ଚାକିରୀ ସ୍ତରରେ ହଇରାଣ କରି ଚାପ ପକାଉଛନ୍ତି ।
ଅଧିକ ପଢ଼ନ୍ତୁ : ଭଦ୍ରକ ବିଜେଡିରେ କମ୍ପନ: ଥରକେ ଛାଡ଼ିଲେ ୩ ବ୍ଲକ୍ ଅଧ୍ୟକ୍ଷ
ଭଦ୍ରକ ବିଜେଡିରେ କମ୍ପନ । ଭାଙ୍ଗୁଛି ବିଜେଡିର ଭଦ୍ରକ ଗଡ଼ । ଶନିବାର ଗୋଟିଏ ଦିନରେ ବିଜେଡି ସମର୍ଥିତ ୩ ଜଣ ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଇଛନ୍ତି । ପ୍ରଥମେ ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ ଇସ୍ତଫା ଦେଇଥିଲେ । ବିଜେଡି ମଧ୍ୟ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା । ଇସ୍ତଫା ନା ନିଲମ୍ବନ-କିଏ ଆଗ ତାହାକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଭଣ୍ଡାରିପୋଖରୀ ଓ ଭଦ୍ରକ ବ୍ଲକ୍ର ଅଧ୍ୟକ୍ଷା ବିଜେଡି ଛାଡ଼ିଥିଲେ । ତେବେ ଏହି ସଂଖ୍ୟା ଆଗାମୀ ଦିନରେ ବଢ଼ିବ ବୋଲି ଅନୁମାନ କରାଯାଉଛି । ଫଳରେ ବିଜେଡି ପାଇଁ ଏହା ଏକ ଶକ୍ତ ଝଟକା ହୋଇଛି । ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ଓ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ରାଜନୈତିକ ପତିଆରା ଏବେ କାଠଗଡ଼ାକୁ ଠେଲି ହୋଇଯାଇଛି ।
ସୂଚନା ମୁତାବକ, ଦଳ ବିରୋଧୀ କାର୍ଯ୍ୟ ପାଇଁ ଭଦ୍ରକ ଜିଲ୍ଲା ବନ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇଙ୍କୁ ନିଲମ୍ୱିତ କରିଛି ବିଜେଡି । ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଦଳର ରାଜ୍ୟ ଉପସଭାପତି ପ୍ରତାପ ଜେନା ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି । କିଛିଦିନ ହେଲା ବିଜେଡି ଛାଡି ବିଜେପିରେ ମିଶିବା ନେଇ ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇଙ୍କ ସମେତ ଭଣ୍ଡାରିପୋଖରୀ, ବାସୁଦେବପୁର, ଭଦ୍ରକ ବ୍ଲକ ଅଧ୍ୟକ୍ଷଙ୍କୁ ନେଇ ଚର୍ଚ୍ଚା ହୋଇଆସୁଥିଲା । ସେମାନେ ବିଜେପିରେ ମିଶିବା ପାଇଁ ସମସ୍ତ ପ୍ରକାର ଯୋଜନା ପ୍ରସ୍ତୁତ ହୋଇସାରିଥିବା କୁହାଯାଉଛି । ସମ୍ଭବତଃ ଆସନ୍ତା ଡିସେମ୍ବର ୭ ତାରିଖରେ ଏହି ମିଶ୍ରଣ ପର୍ବ ଆୟୋଜନ ହେବ ।
Follow Us