Annamalai Photograph: (Kanak News)
କନକ ବ୍ୟୁରୋ : ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍ ଠାକ୍ରେ ଓ ତାମିଲନାଡ଼ୁର ବିଜେପି ନେତା କେ ଅନ୍ନାମଲାଇଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି । ରାଜ୍ ଅନ୍ନାମଲାଇଙ୍କୁ ‘ରସ୍ମଲାଇ’ କହି ଉପହାସ କରିବା ସହିତ ଧୋତିକୁ ଲୁଙ୍ଗି ଭାବେ ବର୍ଣ୍ଣନା କରିଥିଲେ । ଅନ୍ନାମଲାଇ ମୁମ୍ବାଇ ପ୍ରସଙ୍ଗରେ କହିବାକୁ କିଏ ବୋଲି ରାଜ୍ କହିବା ସହିତ ‘ହଟାଓ ଲୁଙ୍ଗି,ବଜାଓ ପୁଙ୍ଗି’ ବୋଲି ସ୍ଲୋଗାନ ଦେଇଥିଲେ ।
ଜାନୁଆରି ୧୫ରେ ମୁମ୍ବାଇ ସମେତ ମହାରାଷ୍ଟ୍ରର ୨୯ଟି ମ୍ୟୁନିସିପାଲ କର୍ପୋରେସନରେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ପ୍ରଚାର ଅବସରରେ ଏମ୍ଏନ୍ଏସ୍ ଓ ଶିବସେନା (ୟୁବିଟି)ର ଯୁଗ୍ମ ରାଲିକୁ ସମ୍ବୋଧିତ କରି ରାଜ୍ ଅନ୍ନାମଲାଇଙ୍କୁ ଟାର୍ଗେଟ କରିଥିଲେ । ମୁମ୍ବାଇ ଓ ତାମିଲ ଆଇକନ କେ କାମରାଜଙ୍କୁ ନେଇ ଅନ୍ନାମଲାଇଙ୍କ ମନ୍ତବ୍ୟ ପରେ ରାଜ୍ ଠାକ୍ରେ ଏହି କହିଥିଲେ ।
ତେବେ ସୋମବାର ଅନ୍ନାମଲାଇ ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ତାଙ୍କୁ ଧମକ ଦେବାକୁ ଏମ୍ଏନ୍ଏସ୍ ମୁଖ୍ୟ କିଏ ? ସେ ଜଣେ କୃଷକଙ୍କ ପୁଅ, ଏପରି ରାଜନୈତିକ ଧମକ ଦ୍ୱାରା ସେ ଭୟଭୀତ ହୁଅନ୍ତି ନାହିଁ । ଅନ୍ନାମଲାଇ ଗଣମାଧ୍ୟମ ରିପୋର୍ଟ ଯେଉଁଥିରେ ସେ ମୁମ୍ବାଇ ଆସିଲେ ସେମାନେ (ଏମ୍ଏନ୍ଏସ୍ ଓ ଶିବସେନା ୟୁବିଟି କର୍ମୀ) ତାଙ୍କ ଗୋଡ଼ କାଟିଦେବେ ବୋଲି ଧମକ ଦେଇଛନ୍ତି । ସେହି ପରିପ୍ରେକ୍ଷୀରେ ଏହି ମନ୍ତବ୍ୟ ଦେଇଥିଲେ। ଅନ୍ନାମଲାଇ କହିଛନ୍ତି, ମୁଁ ଯଦି କହିବି କାମରାଜ ଭାରତର ଜଣେ ମହାନ ନେତା ଥିଲେ ତା’ମାନେ ନୁହେଁ କି ସେ ତାମିଲ ଲୋକ ନୁହନ୍ତି । ମୁଁ ଯଦି କହିବି ମୁମ୍ବାଇ ଏକ ବିଶ୍ବସ୍ତରୀୟ ସହର ତା’ର ଅର୍ଥ ନୁହେଁ, ମହାରାଷ୍ଟ୍ର ଲୋକ ଏହାର ନିର୍ମାଣ କରିନାହାନ୍ତି । ତାଙ୍କ ବିରୋଧରେ ଯେଉଁ ମନ୍ତବ୍ୟ ରାଜ୍ ଠାକ୍ରେ ଦେଇଛନ୍ତି ତାହା ତାମିଲ ଲୋକଙ୍କୁ ଅପମାନ କରିବାର ସମସ୍ତ ସୀମା ପାର୍ କରିଛି ବୋଲି ପୂର୍ବତନ ଆଇପିଏସ୍ ଅଧିକାରୀ କହିଛନ୍ତି ।
Follow Us