Amit Shah Photograph: (Kanak News)
କନକ ବ୍ୟୁରୋ : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସ୍ୱତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀରୁ ଆସି ଓଡ଼ିଶାରେ ପହଞ୍ଚିବେ ଶାହ । ଆସନ୍ତାକାଲି କଟକରେ CISF ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଉଦଘାଟନ ଏବଂ ଜଟଣୀରେ ଜାତୀୟ ଫୋରେନସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଏବଂ କେନ୍ଦ୍ରୀୟ ଫୋରେନସିକ୍ ବିଜ୍ଞାନ ପରୀକ୍ଷାଗାର, ଭୁବନେଶ୍ୱର କ୍ୟାମ୍ପସ ପାଇଁ ଭୂମି ପୂଜନ କରିବେ । ଏହାପରେ ଭୁବନେଶ୍ୱରରେ ଆୟୋଜିତ ନ୍ୟାୟ ସଂହିତା ପ୍ରଦର୍ଶନୀର ଉଦଘାଟନ କରିବେ ଶାହ ।
୧୯୬୯ ମସିହାରେ ପ୍ରତିଷ୍ଠା ହୋଇଥିଲା ଦେଶର ତୃତୀୟ ବୃହତ ଅର୍ଦ୍ଧସାମରିକ ବାହିନୀ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ । CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଶାହ । କଟକ ମୁଣ୍ଡଳୀସ୍ଥିତ ଏହି ସମାରୋହରେ ଯୋଗ ଦେଇ ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୮୮୯ କୋଟି ଟଙ୍କାର ୫ଟି ବଡ଼ ପ୍ରକଳ୍ପର ଉଦ୍ଘାଟନ କରିବେ । ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା, ପରମାଣୁ ସଂସ୍ଥା, ବିମାନ ବନ୍ଦର ଆଦି ସୁରକ୍ଷା ସମ୍ଭାଳୁଥିବା CISFକୁ ମିଳିଛି ବଡ଼ ଦାୟିତ୍ୱ । କୋଇଲା ଚୋରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିବାକୁ ମିଳିଛି ଅଧିକାର । ସେହିପରି ଦେଶର ସୁରକ୍ଷା ପାଇଁ ଡ୍ରୋନ୍ ଓ ଆଣ୍ଟିଡ୍ରୋନ୍ ପରିଚାଳନା, ବନ୍ଦର ସୁରକ୍ଷାରେ ବି ନିୟୋଜିତ ହେବ CISF । ଖୁବ୍ଶୀଘ୍ର ଦେଶରେ CISFର ଏକ ସ୍ୱତନ୍ତ୍ର ମହିଳା ବାଟାଲିୟନ୍ ପ୍ରସ୍ତୁତ ହେବ ବୋଲି କହିଛନ୍ତି CISF ଡିଜି ।
ଅଧିକ ପଢ଼ନ୍ତୁ :
ଅପରାହ୍ଣରେ ଜଟଣୀ ଠାରେ ଜାତୀୟ ଫୋରେନସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଏବଂ କେନ୍ଦ୍ରୀୟ ଫୋରେନସିକ୍ ବିଜ୍ଞାନ ପରୀକ୍ଷାଗାର, ଭୁବନେଶ୍ୱର କ୍ୟାମ୍ପସ ପାଇଁ ଭୂମି ପୂଜନ କରିବେ ଅମିତ ଶାହ । ଏହାପରେ ଅପରାହ୍ଣରେ ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ନ୍ୟାୟ ସଂହିତା ପ୍ରଦର୍ଶନୀକୁ ଶୁଭାରମ୍ଭ କରିବେ । ସେଠାରେ ବିଏନ୍ଏସ୍ ଓ ବିଏନ୍ଏସ୍ଏସ୍ ଆଦିର କାର୍ଯ୍ୟକାରିତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ । ନ୍ୟାୟ ପ୍ରକ୍ରିୟାକୁ ତ୍ୱରିତ କରିବା, ପୀଡ଼ିତ ଓ ପୀଡ଼ିତାଙ୍କ ଅଧିକାରକୁ ପ୍ରାଧାନ୍ୟ, ତଦନ୍ତ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ସହ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଆଦି ଉପରେ ଗୁରୁତ୍ୱ ରହିବ । ଏହି ପ୍ରଦର୍ଶନୀରେ ଗୃହ ମନ୍ତ୍ରଣାଳୟର ୧୦ଟି ଥିମ୍ ଭିତ୍ତିକ ଷ୍ଟଲ୍ ନିର୍ମାଣ କରାଯାଇଛି ।
ଆସନ୍ତା ୭ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକେ ନ୍ୟାୟ ସଂହିତା ପ୍ରଦର୍ଶନୀ ବୁଲିପାରିବେ ।
Follow Us