କନକ ବ୍ୟୁରୋ : ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣାରେ ସରଗରମ ହେଉଛି ରାଜନୀତି । ଆଜି ରାଜଧାନୀ ଭୁବନେଶ୍ୱରରେ ବିଜୁ ଜନତା ଦଳ ଶକ୍ତି ପ୍ରଦର୍ଶନ କରିଥିବାବେଳେ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି ରାଜ୍ୟ କଂଗ୍ରେସ । ଅନ୍ୟ ବିରୋଧୀ ଦଳ ବି ଏହାକୁ ସମର୍ଥନ ଘୋଷଣା କରିଛନ୍ତି । କିନ୍ତୁ ସବୁଥର ଭଳି ପୁଣି ସମସ୍ୟା ଭୋଗିବେ ସାଧାରଣ ଜନତା ।
ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣାରେ ରାଜରାସ୍ତାକୁ ଓହ୍ଲାଇବ ରାଜ୍ୟ କଂଗ୍ରେସ । ଓଡ଼ିଶା ବନ୍ଦ କରିବା ପାଇଁ ଦେଇଛି ଡାକରା । ସାରା ଓଡ଼ିଶାରେ ହେବ ଚକା ବନ୍ଦ । ଠପ୍ ହୋଇଯିବ ସାରା ରାଜ୍ୟ । ଗାଡ଼ି ମୋଟର ବନ୍ଦ ହେବ ଓ ରାସ୍ତାରେ ସରକାର ବିରୋଧରେ ବର୍ଷିବେ କଂଗ୍ରେସ ନେତା ଓ କର୍ମୀ । ଏହି ପ୍ରସଙ୍ଗରେ ଆଜି ବିଜୁ ଜନତା ଦଳ ବି ସରକାରଙ୍କୁ ଘେରିଥିଲା । ସାରା ସହର ହୋଇଯାଇଥିଲା ସିଲ୍ । ଯିଏ ଯୁଆଡ଼େ ଯାଉଥିଲା ସେଇଠି ଫସିଯାଉଥିଲା । ଅସ୍ତବ୍ୟସ୍ତ ହୋଇଯାଇଥିଲେ ସାଧାରଣ ଲୋକ । ନିଜର ପତିଆରା ଦେଖାଇବା ପାଇଁ ରାଜନେତା ବିକ୍ଷୋଭ ପ୍ରଦର୍ଶନ କଲେ । ପୁଲିସ ସହ ମୁହାଁମୁହିଁ ହେଲେ । କିନ୍ତୁ ସାଧାରଣ ଲୋକ କିଭଳି ସମସ୍ୟା ଭୋଗୁଛି ତା ଉପରେ କାହାରି ନଜର ନାହିଁ ।
ଗତ ସପ୍ତାହରେ ଡ୍ରାଇଭର ସଂଘ ରାସ୍ତାକୁ ଓହ୍ଲାଇଥିଲେ । ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିଥିଲେ । ଠପ୍ ହୋଇଯାଇଥିଲା ଗମନାଗମନ ବ୍ୟବସ୍ଥା । ତେଲ ଗାଡ଼ି ନଆସିବାରୁ ଅନ୍ୟାନ୍ୟ ସାମଗ୍ରୀର ଦର ଉପରେ ବି ପ୍ରଭାବ ପଡ଼ିଥିଲା । ଦୋହଲି ଯାଇଥିଲା ରାଜ୍ୟର ଅର୍ଥନୀତି । ଗୁରୁବାର ପୁଣିଥରେ ହେବ ସମାନ ସ୍ଥିତି । କଂଗ୍ରେସର ଓଡ଼ିଶା ବନ୍ଦ ଡାକରାରେ ଅଖ ଚକ ସବୁ ବନ୍ଦ ହୋଇଯିବ । ପରିବହନ ଗାଡ଼ି ସମେତ ମାଲବାହୀ ଟ୍ରକ ଗଡ଼ିବନି । ରେଳ ଯାତ୍ରା ବି ଏକପ୍ରକାର ଠପ୍ ହୋଇପାରେ ।
ରାଜ୍ୟ କଂଗ୍ରେସର ଓଡ଼ିଶା ବନ୍ଦ ଡାକରାରେ ଅନ୍ୟ ବିରୋଧୀ ଦଳ ବି ସାମିଲ ହେଉଛନ୍ତି । ବାମପନ୍ଥୀ ଦଳ ସହ ଅନ୍ୟ କିଛି ସାମାଜିକ ସଙ୍ଗଠନ ବି ଏହାକୁ ସମର୍ଥନ କରୁଛନ୍ତି । କିନ୍ତୁ ରାଜନୀତିର ରୁଟି ସେକିବାକୁ ଆନ୍ଦୋଳନ ଭିତରେ ସାଧାରଣ ଲୋକଙ୍କ ସମସ୍ୟା କଥା ସମସ୍ତେ ଭୁଲି ଯାଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/07/16/again-and-again-strike-2025-07-16-20-11-23.png)