କନକ ବ୍ୟୁରୋ: କେନ୍ଦ୍ରରେ ଧୀରେ ଧୀରେ ଦୁର୍ବଳ ହେଉଛି କି କଂଗ୍ରେସ । କାରଣ ମୋଦୀ ସରକାର ବିରୋଧରେ ବିରୋଧୀମାନେ ଏକତ୍ରିତ ହୋଇ ମହାମେଣ୍ଟ ଘୋଷଣା କରିଥିଲେ । ଲକ୍ଷ୍ୟ ଥିଲା ମୋଦୀ ସରକାରକୁ ଚେକ୍‌ ଦେବେ, ନିଜେ ସରକାର କରିବେ । ହେଲେ ସବୁ ଆଶା ଆଶାରେ ହିଁ ରହିଗଲା । ଅର୍ଥାତ୍‌ ମୋଦୀ ସରକାରକୁ ଚେକ୍‌ ଦେବେ କଣ  ବରଂ ନିଜେ ଏବେ ଟେନସନରେ ପଡ଼ିଲେଣି ।  

Advertisment

ଖାସ୍‌ କରି ଆମ୍ ଆଦମୀ ପାର୍ଟି (ଆପ୍) ଆନୁଷ୍ଠାନିକ ଭାବେ ଇଣ୍ଡିଆ ମେଣ୍ଟରୁ ନିଜକୁ ଦୂରେଇ ନେଇଛି ଏବଂ ଆଗାମୀ ଦିନରେ କୌଣସି ବୈଠକରେ ଅଂଶଗ୍ରହଣ କରିବ ନାହିଁ ବୋଲି ସ୍ପଷ୍ଟ କରିସାରିଛି । ଦଳର ନେତା କହିଛନ୍ତି, ଇଣ୍ଡିଆ ମେଣ୍ଟ କେବଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଗଠନ କରାଯାଇଥିଲା ଏବଂ ବର୍ତ୍ତମାନ ଏହାର କୌଣସି ଆବଶ୍ୟକତା ଥିବା ପରି ମନେ ହେଉନି । ତେଣୁ ଏହି ମେଣ୍ଟରେ ରହି ଲାଭ କଣ ବୋଲି ଓଲଟି ପ୍ରଶ୍ନ କରିଛନ୍ତି ।

କାହିଁକି ମେଣ୍ଟ ଛାଡ଼ିଲା ଆପ୍‌ ?

ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟ ଦଳୀୟ ନେତାମାନେ ମେଣ୍ଟରୁ ବାହାରିବାର ଅନେକ କାରଣ ଦର୍ଶାଇଛନ୍ତି । ସେମାନଙ୍କର ମୁଖ୍ୟ ଅଭିଯୋଗ ହେଉଛି କଂଗ୍ରେସ ଏବଂ ବିଜେପି ମଧ୍ୟରେ ଏକ "ଗୁପ୍ତ ବୁଝାମଣା" ରହିଛି। କେଜ୍ରିୱାଲ ଅଭିଯୋଗ କରି କହିଛନ୍ତି, କଂଗ୍ରେସ ଗୁଜରାଟର ଭିସାଭାଦର ଉପ-ନିର୍ବାଚନରେ ଆପକୁ ହରାଇବା ପାଇଁ ପ୍ରାର୍ଥୀ ଦେଇଥିଲା । ଖାଲି ଏତିକି ନୁହେଁ ବରଂ ସେଠାକାର ନିର୍ବାଚନରେ କଂଗ୍ରେସ ବିଜେପିକୁ କୁଆଡେ ସାହାଯ୍ୟ କରିଥିଲା । ଖାଲି ଏତିକି ନୁହେଁ ବରଂ ଆପ୍ ନେତା ଆହୁରି ଅଭିଯୋଗ କରିଛନ୍ତି କି,ଇଣ୍ଡିଆ ମେଣ୍ଟର ଉଦ୍ଦେଶ୍ୟ ଲୋକସଭା ନିର୍ବାଚନରେ ବିଜେପିକୁ କ୍ଷମତାରୁ ହଟାଇବା ଥିଲା ହେଲେ ସେମିତି କିଛି ହେଲାନାହିଁ । ତେଣୁ ଏବେ ମେଣ୍ଟ ରହିକି ଲାଭ କଣ ବୋଲି ସେ ପ୍ରଶ୍ନ କରିଛନ୍ତି । 

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ,ଆମ୍ ଆଦମୀ ପାର୍ଟି ବର୍ତ୍ତମାନ ନିଜର ସଂଗଠନକୁ ମଜଭୁତ କରିବା ଏବଂ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି କରିବା ଉପରେ ଧ୍ୟାନ ଦେଉଛି । ବିହାର, ଆସାମ, ଗୁଜରାଟ୍‌ ଏବଂ ଦିଲ୍ଲୀ ଭଳି ରାଜ୍ୟରେ ଦଳ ଏକାକୀ ନିର୍ବାଚନ ଲଢିବ ବୋଲି ଘୋଷଣା କରିଛି । ପୂର୍ବରୁ ମଧ୍ୟ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ସହ ଆସନ ବୁଝାମଣାକୁ ନେଇ ଆପ୍ ଏବଂ କଂଗ୍ରେସ ମଧ୍ୟରେ ମତଭେଦ ଦେଖାଦେଇଥିଲା । ଡିସେମ୍ବର ୨୦୨୪ରେ ଆପ୍ ନେତା ଅଜୟ ମାକେନଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସକୁ ଇଣ୍ଡିଆ ମେଣ୍ଟରୁ ବହିଷ୍କାର କରିବାକୁ ଦାବି କରିଥିଲା ।

ଆପ୍‌ର ଏହି ନିଷ୍ପତ୍ତି ପରେ ବିରୋଧୀ ଏକତାର ପ୍ରୟାସକୁ ଏକ ବଡ଼ ଧକ୍କା ଲାଗିଛି । ତେବେ ସଂସଦରେ ବିଭିନ୍ନ ପ୍ରସଙ୍ଗରେ ଦେଶର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିରୋଧୀଙ୍କୁ ସମର୍ଥନ ଦିଆଯିବ ବୋଲି ଆପ୍ ପକ୍ଷରୁ କୁହାଯାଇଛି । ସେ ଯାହା ବି ହେଉ, ଆପ୍‌ ଏମିତି ନିଷ୍ପତ୍ତି ନେଇଥିବା କାରଣରୁ ପୂରା ଦେଶରେ ଚର୍ଚ୍ଚା ହେଉଛି ।