କନକ ବ୍ୟୁରୋ : କୃଷି ଓ କୃଷକର ଉନ୍ନତି ପାଇଁ ଚାଷୀଙ୍କ ଗଣନା କରିବେ ରାଜ୍ୟ ସରକାର । ପ୍ରସ୍ତୁତ ହେବ କୃଷକଙ୍କ ଡାଟାବେସ୍ । ଏବଂ ଡାଟାବେସର ଯାଂଚ ପରେ ଚାଷୀଙ୍କୁ ପରିଚୟ ପତ୍ର ଦେବାର ଯୋଜନା ରହିଛି । ସେପଟେ ସରକାରଙ୍କ ଏହି କୃଷକ ଡାଟାବେସ୍ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।
ପ୍ରସ୍ତୁତ ହେବ କୃଷକଙ୍କ ଡାଟାବେସ । ୧୦୦ ଦିନରେ ସରିବ ଯାଞ୍ଚ, ଚାଷୀଙ୍କୁ ମିଳିବ ପରିଚୟ ପତ୍ର । ସରକାର କରୁଥିବା ଯୋଜନାର ଲାଭ ପହଞ୍ଚାଇବା ପାଇଁ ରାଜ୍ୟରେ ଥିବା ଚାଷୀଙ୍କର ପ୍ରସ୍ତୁତ ହେବ ଡାଟା ବେସ୍ । ଏଥିରେ ରାଜ୍ୟର ପ୍ରାୟ ୭୬ ଲକ୍ଷ କୃଷକ ପଞ୍ଜିକୃତ ହୋଇଛନ୍ତି । କୃଷକମାନଙ୍କ ତଥ୍ୟ, ବ୍ୟାଙ୍କ ଆକାଉଣ୍ଟ ଓ ଆଧାରକାର୍ଡ ମାଧ୍ୟମରେ ଏହି ଡାଟାବେସକୁ ଯାଞ୍ଚ କରାଯିବ । ୧୦୦ ଦିନ ଭିତରେ ଯାଞ୍ଚ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖିଛି କୃଷି ବିଭାଗ । ଏହି ଡାଟାବେସ୍ ମାଧ୍ୟମରେ କୃଷକମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ । ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତି ନିଆଯାଇଥିବା ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ।
କୃଷକ ଡାଟାବେସରୁ କଣ ମିଳିବ ଲାଭ ?
- ଚାଷୀଙ୍କୁ ନୂଆ ପରିଚୟପତ୍ର ମିଳିବ
- ଚାଷୀମାନେ ସହଜରେ ବିଭିନ୍ନ ସରକାରୀ ସୁବିଧା ପାଇପାରିବେ
- ବିଭିନ୍ନ ଯୋଜନା ଓ ସେବା ବିଷୟରେ ଜାଣିପାରିବେ
- ଚାଷୀଙ୍କୁ ସ୍ୱାବଲମ୍ବୀ କରିବାରେ ସହାୟକ ହେବ
ରାଜ୍ୟ ସରକାର କୃଷକଙ୍କ ଡାଟାବେସ ପ୍ରସ୍ତୁତ କରିବା କାର୍ଯ୍ୟକ୍ରମ ଆରମ୍ଭ କରିବା ପରେ ଘେରିଛନ୍ତି ବିରୋଧୀ । ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୂରୋହିତ କହିଛନ୍ତି ରାଜ୍ୟରେ ବଢ଼ୁଥିବା ଚାଷୀ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ସରକାରଙ୍କ ଏ ବ୍ୟବସ୍ଥା । ସେହିପରି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଭୋଟ ନେବା ପାଇଁ ସରକାରଙ୍କର ଏକ ଷଡଯନ୍ତ୍ର ।
ଫାଇଭ୍-ଟି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା କୃଷି ବିଭାଗର ବିଭିନ୍ନ ଯୋଜନାର ସଫଳ ରୂପାୟନ ଲକ୍ଷ୍ୟରେ କୃଷି ଓଡିଶା ସହ କୃଷି ସାମଗ୍ରୀ ବିକ୍ରି ପାଇଁ ଅନଲାଇନ୍-ଲାଇସେନ୍ସ ପ୍ରଦାନ, ଦକ୍ଷ କର୍ମଚାରୀଙ୍କ ପ୍ରୋତ୍ସାହନ ପାଇଁ ଦକ୍ଷତା କାର୍ଯ୍ୟକ୍ରମ ଓ ଓୟୁଏଟି ଛାତ୍ରଛାତ୍ରୀଙ୍କୁ ଅନଲାଇନ ସାର୍ଟିଫିକେଟ ପ୍ରଦାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।