କନକ ବ୍ୟୁରୋ: ଧନତେରସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବବର୍ଗଙ୍କୁ ଦେବେ ବଡ଼ ଉପହାର । ୭୫ ହଜାର ନୂଆ ନିଯୁକ୍ତିପତ୍ର ପ୍ରଦାନ କରିବେ ମୋଦୀ । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଏହି ନିଯୁକ୍ତି ଦିଆଯିବ । ତେବେ ମୋଦୀଙ୍କ ଏହି ଘୋଷଣାକୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ଆଗକୁ ହିମାଚଳପ୍ରଦେଶ ଓ ଗୁଜରାଟରେ ବିଧାନସଭା ନିର୍ବାଚନ ଥିବାରୁ ମୋଦୀଙ୍କର ଏହା ନିର୍ବାଚନୀ ଥୋପ ବୋଲି ବିରୋଧୀ କହିଛନ୍ତି । ସେପଟେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜୀବ ରଞ୍ଜନ ସିଂ ମୋଦୀଙ୍କ ଚାକିରି ପ୍ରତିଶ୍ରୁତିକୁ ନେଇ ବର୍ଷିଛନ୍ତି ।

Advertisment

ରାଜୀବ ରଞ୍ଜନ ସିଂ ଟ୍ୱିଟ୍ କରି ଲେଖିଛନ୍ତି, ୨୦୧୪ରେ ମାନନୀୟ ପ୍ରଧାନମନ୍ତ୍ରୀ ଜୀ ପ୍ରତିବର୍ଷ ୨ କୋଟି ନିଯୁକ୍ତି ଦେବା କଥା କହିଥିଲେ । ଆଉ ୮ ବର୍ଷ ପରେ ୧୬ କୋଟି ବଦଳରେ ୭୫ ହଜାର ନିଯୁକ୍ତି କଥା କହୁଛନ୍ତି । କୁଆଡ଼େ ଗଲା ଆପଣଙ୍କ ପ୍ରତିଶ୍ରୁତି । ଆଉ କେତେ ଦିନ ଦେଶବାସୀଙ୍କୁ ଏମିତି ମିଛ ପ୍ରତିଶ୍ରୁତି ମିିଳିବ?

ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ଯେ ୧୦ ଲକ୍ଷ ନିଯୁକ୍ତି କେଉଁଠୁ ଆସିବ । ଏହାର ଜବାବ ରଖିଛି ପିଏମଓ । କେନ୍ଦ୍ର ସରକାରଙ୍କ ୩୮ ମନ୍ତ୍ରାଳୟ ଓ ଏହାର ବିଭାଗ ଦ୍ୱାରା ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କହିଛି ପିଏମଓ । ଗ୍ରୁପ୍-ଏ ବର୍ଗରେ ୨୩ହଜାର ୫୮୪ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଗ୍ରୁପ-ବି’ରେ ୨୬ହଜାର ୨୮୨ ଏବଂ ଗ୍ରୁପ୍-ସି’ରେ ୮ଲକ୍ଷ ୩୬ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଏହାସହ କେବଳ ପ୍ରତିରକ୍ଷା ମନ୍ତ୍ରାଳୟ ୩୯ହଜାର ୩୬୬ ଏବଂ ଗ୍ରୁପ-ସି ପାଇଁ ୨ଲକ୍ଷ ୧୪ହଜାର ନିଯୁକ୍ତି ଦେବ । ରେଲୱେ ଗ୍ରୁପ୍-ସି’ ପାଇଁ ୨ଲକ୍ଷ ୧୯ହଜାର ଏବଂ ଗୃହ ମନ୍ତ୍ରଣାଳୟରେ ଗ୍ରୁପ୍-ସି’ରେ ୧ଲକ୍ଷ ୨୧ହଜାର ପଦବୀ ଖାଲି ପଡ଼ିଛି ।

ସେଂଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନମୀ ବା ସିଏମଆଇ ପକ୍ଷରୁ ଜାରି ସଦ୍ୟତମ ତଥ୍ୟରୁ ଜଣାପଡ଼ିଛି ଯେ ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ହରିୟାଣାରେ ବେକାରୀ ହାର ସର୍ବାଧିକ ୩୭ ଦଶମିକ ୩ ପ୍ରତିଶତ ରହିଛି । ଏହା ପଛକୁ ଜମ୍ମୁ-କାଶ୍ମୀରରେ ୩୨ ଦଶମିକ ୮ ପ୍ରତିଶତ, ରାଜସ୍ଥାନ ଓ ଝାଡ଼ଖଣ୍ଡରେ ଯଥାକ୍ରମେ ୩୧ ଦଶମିକ ୪ ପ୍ରତିଶତ ଓ ୧୭ ଦଶମିକ ୩ ପ୍ରତିଶତ ବେକାରୀ ରହିଛନ୍ତି । ଏହି ତାଲିକାରେ ଛତିଶଗଡ଼ରେ ସର୍ବନିମ୍ନ ୦.୪ ପ୍ରତିଶତ ବେକାରୀ ଥିବା ବେଳେ ମେଘାଳୟ ଓ ମହାରାଷ୍ଟ୍ରରେ ଯଥାକ୍ରମେ ୨.୨ ପ୍ରତିଶତ ବେକାରୀ ରହିଛନ୍ତି ।

ଶନିବାର ମୋଦୀ ସରକାର ସରକାରୀ ଚାକିରି ଦେବା ପାଇଁ ନିଯୁକ୍ତି ମେଳା ଆୟୋଜନ କରୁଛନ୍ତି । ଭିଡିଓ କନ୍ଫରେନ୍ସରେ ଚାକିରି ପାଉଥିବା ଯୁବକଙ୍କ ସହ ଯୋଡି ହେବେ ମୋଦୀ । ଦେଶର ୭୫ଟି ସ୍ଥାନରେ ଏନେଇ କାର୍ଯ୍ୟକ୍ରମ କରାଯିବ । ଦେଶର ବିଭିନ୍ନ ସହରରୁ କେନ୍ଦ୍ରମନ୍ତ୍ରୀ ଓ ସାଂସଦମାନେ ଏହି କାର୍ଯ୍ୟକ୍ରମରେ ଯୋଡିହେବେ ।