ରାଜନୀତିରେ ‘ମନ୍ଦିର’ । ରାଜ୍ୟ ସରକାରଙ୍କ ମନ୍ଦିର ବିକାଶ କାର୍ଯ୍ୟକୁ ନେଇ ଆପତ୍ତି ଉଠାଇଲେ ବିରୋଧୀ, ଜବାବ ରଖିଲା ବିଜେଡି ।

180

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ମନ୍ଦିରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ୟାକେଜ୍ ଘୋଷଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପରେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ସୁଯୋଗର ଅବସ୍ଥା ଶୋଚନୀୟ ଥିବା ବେଳେ ଧର୍ମ ନାମରେ ରାଜ୍ୟ ସରକାର ରାଜନୀତି କରୁଛନ୍ତି । ସେହିପରି ବିଜେପି ବିଧାୟିକା କୁସୁମ ଟେଟେ ପ୍ରଶ୍ନ କରିବା ଛଳରେ କହିଛନ୍ତି, ମନ୍ଦିରର ବିକାଶ ପାଇଁ କାହିଁକି ଏତେ ଦରଦ । ଏହାର ଜବାବ ରଖିଛି ବିଜେଡି ।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ୫ଶହ କୋଟି । କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ପାଇଁ ସାଢ଼େ ୮ କୋଟି । ବାରିପଦା ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ୫ କୋଟି । ସମ୍ବଲପୁର ସମଲେଶ୍ୱରୀ ମନ୍ଦିର ପାଇଁ ଆସୁଛି ବଡ଼ ପ୍ୟାକେଜ୍ । ଆଉ କୋଣାର୍କ ସୂର୍ଯ୍ୟ ମନ୍ଦିର ପାଇଁ ପ୍ରସ୍ତୁତ ହେଉଛି ବଡ଼ ଖସଡ଼ା ।

ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଆସ୍ଥା ସହ ଜଡ଼ିତ ଥିବା ପ୍ରମୁଖ କ୍ଷେତ୍ରର ବିକାଶ ପାଇଁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର । ପୁରୀକୁ ଐତିହ୍ୟ ସହର, ହୀରାକୁଦକୁ ବିଶ୍ୱ ପର୍ଯ୍ୟଟନ ସ୍ଥଳୀ, ଭୁବନେଶ୍ୱରକୁ ଅନ୍ତର୍ଜାତୀୟ ସହର ଭାବେ ଗଢ଼ି ତୋଳିବାକୁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଆଉ ଠିକ୍ ଏତିକି ବେଳେ ରାଜ୍ୟ ସରକାରଙ୍କ ଏହି ସବୁ ଉଦ୍ୟମକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ବିରୋଧୀ । ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ସୁଯୋଗର ଅବସ୍ଥା ଶୋଚନୀୟ ଥିବା ବେଳେ ଧର୍ମ ନାମରେ ରାଜ୍ୟ ସରକାର ରାଜନୀତି କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ଏପଟେ ବିରୋଧୀ କରୁଥିବା ଅଭିଯୋଗକୁ ଖଣ୍ଡନ କରିଛି ଶାସକ ଦଳ । ଓଡ଼ିଶାର ଐତିହ୍ୟ ସହ ଜଡ଼ିତ ଥିବା କ୍ଷେତ୍ରର ବିକାଶ ସହ କୃଷି, ଜଳ ସେଚନ, ଗମନାଗମନ ଭଳି ଏକାଧିକ ଦିଗରେ ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।

ତେବେ ରାଜନୀତିର ଏହି ବୟାନବାଜୀ ଭିତରେ କିନ୍ତୁ ପୁରୀ ଶ୍ରୀମନ୍ଦିର ବିକାଶକୁ ନେଇ ନିଆଯାଇଥିବା ପଦକ୍ଷେପକୁ ଦେଶବ୍ୟାପୀ ପ୍ରଶଂସା କରାଯାଉଛି । ଏ ସଂପର୍କରେ ଏକାଧିକ ରିପୋର୍ଟ ମଧ୍ୟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।