କନକ ବ୍ୟୁରୋ :  ଟିଟୋଙ୍କ ସହଯୋଗୀ ଜ୍ୟୋତିକାନ୍ତ ପରିଡାଙ୍କୁ ଜଗତସିଂହପୁର ଜିଲ୍ଲା ବିଜେଡି ଉପ-ସଭାପତି କରାଯିବାକୁ ନେଇ ବିଜେଡିରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପର ପର୍ବ । ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଏ ପ୍ରସଙ୍ଗରେ ପୂର୍ବତନ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲିଙ୍କୁ ଦାୟୀ କରିଛନ୍ତି । ତେବେ ଏହାର ଜବାବ ରଖି ପ୍ରଶାନ୍ତ କହିଛନ୍ତି, ମୁଁ ଏବେ ଜିଲ୍ଲା ସଭାପତି ନୁହେଁ । ମୁଁ ଜିଲ୍ଲା ସଭାପତି ଥିବା ବେଳେ ଏ ତାଲିକା ଆସିନାହିଁ । କିଏ କଣ କହୁଛି ସେ ବାବଦରେ ତାଙ୍କୁ ପଚାରିଲେ ସେ ଭଲ ଭାବେ ଉତ୍ତର ଦେବେ । କିଏ କଣ  ହେବ ବା ପଦବୀ ପାଇବ ତାହା ଦଳୀୟ ନିଷ୍ପତିରେ ହୁଏ । ସେ ବିଷୟରେ କିଛି କହିବି ନାହିଁ କହିଛନ୍ତି ପ୍ରଶାନ୍ତ ମୁଦୁଲି ।

Advertisment

ଅନ୍ୟପଟେ ଜ୍ୟୋତିକାନ୍ତଙ୍କୁ ଜିଲ୍ଲା ଉପ-ସଭାପତି ପଦରେ ଦାୟିତ୍ୱ ଦେବାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ । ସମ୍ବିତ କହିଛନ୍ତି, ସେ ତାଙ୍କ ନାଁ ସୁପାରିଶ କରିନଥିଲେ । କେମିତି ତାଙ୍କ ନାଁ ତାଲିକାରେ ଆସିଲା ସେନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଏହା ସହ ସମ୍ବିତ ରାଉତରାୟ କହିଛନ୍ତି ତାଙ୍କ ବିନା ପରାମର୍ଶରେ ଅପରାଧିକ ମାମଲା ଥିବା ବାପୁ ପରିଡ଼ାଙ୍କୁ ଦଳୀୟ ସଂଗଠନରେ ସାମିଲ କରାଯାଇଛି । ଏଥିପାଇଁ ସେ ପୂର୍ବତନ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲିଙ୍କୁ ଦାୟୀ କରିଛନ୍ତି । ତାଙ୍କୁ ନାଁ ଗୁଡିକ ଅସ୍ୱାଭାବିକ ଲାଗିବାରୁ ସେ ପ୍ରଶାନ୍ତ ମୁଦୁଲିଙ୍କ ସହ ଏସଂପର୍କରେ କଥା ହୋଇଥିଲେ । ପ୍ରଶାନ୍ତ ମୁଦୁଲି ତାଲିକା ଦେଇଥିବା ନେଇ ତାଙ୍କୁ କହିଥିବା କହିଛନ୍ତି ସମ୍ବିତ ରାଉତରାୟ ।

୨୦୧୮ ମସିହାରେ ଟିଟୋ ଲିଙ୍କରେ ବାପୁ ପରିଡ଼ାକୁ ଏସଟିଏଫ୍ ଦ୍ୱାରା ଗିରଫ କରାଯାଇଥିଲା । ହତ୍ୟା, ଦାଦା ବଟି, ଗୁଳିକାଣ୍ଡ, ଅପହରଣ ଓ ଧମକ ଚମକ ଭଳି ୨୮ଟି ମାମଲାରେ ସେ ସଂପୃକ୍ତ ଥିବା ଏସଟିଏଫ୍ ଜାଣିବାକୁ ପାଇଥିଲା । ଜ୍ୟୋତିକାନ୍ତ ପରିଡାକୁ ଟିଟୋର ଡାହାଣ ହାତ କୁହାଯାଉଥିଲା । ଟିଟୋ ଇସାରାରେ ବାପୁ କାମ କରୁଥିବା ବେଳେ ବାପୁ ଇଙ୍ଗିତରେ ଅପରାଧ ଘଟୁଥିବା ଅଭିଯୋଗ ହୋଇଥିଲା । ବାପୁ ପରିଡା ନାଁରେ ୨୮ଟି ସଂଗୀନ ମାମଲା ରହିଛି । ଦାଦାବଟି, ହତ୍ୟା, ହତ୍ୟା ଉଦ୍ୟମ, ଗୁଳିମାଡ଼, ଡକାୟତିଠାରୁ ଆରମ୍ଭ କରି ବେଆଇନ ମାରଣାସ୍ତ୍ର ମାମଲା ରହିଛି । ପାରଦୀପ, କୁଜଙ୍ଗ ଥାନା ସମେତ କଟକ ଚାଉଳିଆଗଂଜ ଥାନାରେ ମାମଲା ରହିଛି ।