‘କାଳିଆ’ ଟଙ୍କାକୁ ନେଇ କଳି । ନବୀନ କହିଲେ, ପିଏମ କିଷାନ ଯୋଜନା ଚାଲୁ ରହିଥିବାବେଳେ କାହିଁକି ଅଟକିଲା କାଳିଆ? କାଉଣ୍ଟର କଲେ ଧର୍ମେନ୍ଦ୍ର ।

256

କନକ ବ୍ୟୁରୋ: କାଳିଆ ଯୋଜନାକୁ କେନ୍ଦ୍ରକରି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାଣିଶୁଣି କାଳିଆ ଟଙ୍କା ଅଟକାଇ ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ନବୀନ । ନବୀନ କହିଛନ୍ତି, କେନ୍ଦ୍ରର ଯୋଜନା ଚାଲିଥିବା ବେଳେ କାଳିଆ ଯୋଜନାକୁ ଅଟକାଇ ଦିଆଯାଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ନବୀନ । ଅନ୍ୟପକ୍ଷରେ ଏହାର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, କାଳିଆ ଯୋଜନା ତାଲିକାରେ ରହିଛି ମନ୍ତ୍ରୀ ଓ ପ୍ରଭାବଶାଳୀ ଲୋକଙ୍କ ନାଁ । ଲୋକେ ଏହାର ଉପଯୁକ୍ତ ଜବାବ ଦେବେ ବୋଲି ସେ କହିଛନ୍ତି ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ନବୀନ ପଟ୍ଟନାୟକ । କାହିଁକି ଅଟକିଲା କାଳିଆ ଟଙ୍କା ଏନେଇ ସିଧା ସିଧା ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ । କାଳିଆ ଟଙ୍କା ଚାଷୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହାକୁ ଜାଣିଶୁଣି ଅଟକାଇ ଦିଆଯାଇଛି ବୋଲି ନବୀନ ଆପତି ଉଠାଇଛନ୍ତି । ସମସ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେତେବେଳେ ମୁଖ୍ୟମନ୍ତ୍ରୀ ସିଧା ପହଂଚି ଯାଇଥିଲେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ । କେନ୍ଦ୍ରର ପ୍ରଧାନମନ୍ତ୍ରୀ କିଶାନ ଯୋଜନା ଚାଲିଥିବା ବେଳେ କାଳିଆ ଯୋଜନାକୁ ବନ୍ଦ କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ନବୀନ । ତେଣୁ ଆଗାମୀ ନିର୍ବାଚନରେ ବିଜେପିକୁ ଚାଷୀମାନେ ଉଚିତ ଜବାବ ଦେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ନବୀନଙ୍କ ପରେ ପରେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କାଳିଆ ଯୋଜନା ତାଲିକାରେ ମନ୍ତ୍ରୀ ଓ ପ୍ରଭାବଶାଳୀଙ୍କ ନାଁ ରହିଥିବା କଥା କହିଛନ୍ତି ଧର୍ମେନ୍ଦ୍ର । ତେବେ ପିଏମ କିଷାନ ଯୋଜନାରେ ମଗାଯାଇଥିବା ତାଲିକା ଏ ଯାଏଁ କାହିଁକି ମିଳିଲା ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର । ସେପଟେ ବିଜେଡି ଅଭିଯୋଗ କରିଛି ଯେ, ନିର୍ବାଚନ ଆଚରଣବିଧି ଆଳରେ କାଳିଆ ଟଙ୍କାକୁ ବିଜେପି ବନ୍ଦ କରିଦେଇଛି । ଏହି ସମୟରେ ଚାଷୀ ଟଙ୍କା ଆବଶ୍ୟକ କରୁଥିବା ବେଳେ ଟଙ୍କା ଅଟକାଇ ଦେବା ଘଟଣାକୁ ବିଜେଡି ଗମ୍ଭୀରତାର ସହ ନେଇଛି । ତେବେ ଏହାର ପ୍ରଭାବ ଆଗମୀ ନିର୍ବାଚନରେ କେତେ ପରିମାଣରେ ପଡ଼ିବ ତାହା ଉପରେ ସମସ୍ତଙ୍କ ନଜର ।