ମାଗଣା ଚାଉଳ ସହ ବ୍ୟାଗ ବଂଟାକୁ ନେଇ ତେଜିଲା ରାଜନୀତି: ରାଜ୍ୟର କିଛି ସ୍ଥାନରେ ବ୍ୟାଗ ପୋଡ଼ିଲେ ବିଜେପି କର୍ମୀ

305

କନକ ବ୍ୟୁରୋ: ମାଗଣା ଚାଉଳ ସହ ବ୍ୟାଗ ବଂଟାକୁ ନେଇ ଜୋର ଧରିଲା ରାଜନୀତି । ରାଜ୍ୟର କିଛି ସ୍ଥାନରେ ଏହି ବ୍ୟାଗକୁ ପୋଡ଼ି ଦେଇଛନ୍ତି ବିଜେପି ନେତା ଓ କର୍ମୀ । ଆଜି ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରାଯାଇଛି, ମୋଦୀ ମାଗଣା ଚାଉଳ ଦେଉଛନ୍ତି, ହେଲେ ଶ୍ରେୟ ନେବାକୁ ବ୍ରାଣ୍ଡିଂ କରି ବ୍ୟାଗ ବାଂଟୁଛନ୍ତି ରାଜ୍ୟ ସରକାର । ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି । ଯେଉଁମାନେ ବ୍ୟାଗ ପୋଡ଼ିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ ।

ସରକାରୀ ରାସନ୍ କେନ୍ଦ୍ରରେ ବ୍ୟାଗ ବଂଟାକୁ ନେଇ ପ୍ରତିବାଦ କରିଛି ବିଜେପି । ଫୁଲବାଣୀ ପୌର ପରିଷଦ ମାଷ୍ଟ୍ରପଡ଼ାସ୍ଥିତ ରାସନ ବଣ୍ଟନ କେନ୍ଦ୍ର, ବାଲୁଗାଁ ବିଦ୍ୟାଧରପୁରରେ ଥିବା ଯୋଗାଣ କେନ୍ଦ୍ର ଓ ଅସ୍ତରଙ୍ଗ ବ୍ଲକ କରଂଜପୁରର ଚିତ୍ର । ଅସ୍ତରଙ୍ଗରେ ବ୍ୟାଗ ବଂଟାଯାଉଥିବା ବେଳେ ଫୁଲବାଣୀ ଓ ବାଲୁଗାଁରେ ଖାଉଟି କେନ୍ଦ୍ରରୁ ବ୍ୟାଗ ଆଣି ପୋଡ଼ି ଦେଇଛନ୍ତି ବିଜେପି କର୍ମୀ ଓ ନେତା । ଦଳ ଅଭିଯୋଗ କରିଛି, ଖାଦ୍ୟ ସୁରକ୍ଷା ଯୋଜନାରେ ମୋଦୀ ସରକାର ହିତଧିକାରୀଙ୍କୁ ମାଗଣା ଚାଉଳ ଯୋଗାଇ ଦେଉଛନ୍ତି, କିନ୍ତୁ ବ୍ୟାଗ ଦେଇ ବ୍ରାଣ୍ଡିଂ କରୁଛି ବିଜେଡି । ଏପଟେ ବିଜେଡି ବିଧାୟକ ଅଙ୍ଗଦ କହଁର କହିଛନ୍ତି, ଚାଉଳ ସହ ହିତାଧିକାରୀଙ୍କୁ ବ୍ୟାଗ ଦିଆଯାଉଛି । ଲୋକଙ୍କ ହାତରୁ ବ୍ୟାଗ ଛଡ଼ାଇ ନେଇ ପୋଡି ଦେବା ଅପରାଧିକ କାର୍ଯ୍ୟ । ଇର୍ଷା ପରାୟଣ ହେଉଛି ବିଜେପି । ଯେଉଁମାନେ ବ୍ୟାଗ ଜାଳିଛନ୍ତି, ସେମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ଫୁଲବାଣୀ ବିଧାୟକ ।

ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା । କହିଛନ୍ତି- ରାଜ୍ୟର ୩ କୋଟି ୨୭ ଲକ୍ଷ ଲୋକଙ୍କୁ କେନ୍ଦ୍ର ଚାଉଳ ଦେଉଥିବା ବେଳେ ମାତ୍ର ୫ ଲକ୍ଷ ଲୋକଙ୍କୁ ଚାଉଳ ଦେଉଛି ରାଜ୍ୟ । ହେଲେ ଶ୍ରେୟ ନେବାକୁ ସମସ୍ତ ହିତାଧିକାରୀଙ୍କୁ ବ୍ୟାଗ ବଂଟାଯାଉଛି । ଏପଟେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ବିଭିନ୍ନ ଯୋଜନାକୁ ରାଜ୍ୟରେ ଭଲ ଭାବେ କାର୍ଯ୍ୟକାରୀ କରାଯାଉଛି । ଏହାକୁ କେନ୍ଦ୍ର ସରକାର ମଧ୍ୟ ପ୍ରଶଂସା କରିଛନ୍ତି । ତେଣୁ ଏଭଳି ଅଭିଯୋଗର ଅର୍ଥ କିଛି ନାହିଁ ।

ମାଗଣା ଚାଉଳର ଶ୍ରେୟ ନେବାକୁ ଅନେକ ଥର ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ଦୁଇ ଦଳ ମଧ୍ୟରେ ଏହାକୁ ନେଇ ପୁଣିଥରେ ଛକାପଂଝା ଆରମ୍ଭ ହୋଇଯାଇଛି ।