କନକ ବ୍ୟୁରୋ: ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ଦଳମତ ନିର୍ବିଶେଷରେ ରାଜ୍ୟର ସମସ୍ତ ବିଧାୟକ, ସାଂସଦ ଓ ବରିଷ୍ଠ ନେତାଙ୍କୁ ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । କିନ୍ତୁ ୧୭ତାରିଖ ଲୋକାର୍ପଣ ଉତ୍ସବରେ ବିରୋଧୀ ବିଜେପି ଓ କଂଗ୍ରେସର ନେତା ଯୋଗ ଦେବେ କି ନାହିଁ, ସେ ନେଇ ବିବାଦ ସୃଷ୍ଟି ହୋଇଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାକ୍ଷୀ ବନିବେ କୋଟି କୋଟି ଜଗା ପ୍ରେମୀ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଥିସହ ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ଦଳ ମତ ନିର୍ବିଶେଷରେ ରାଜ୍ୟର ସମସ୍ତ ବିଧାୟକ, ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ ବି ଦିଆଯାଇଛି । ହେଲେ, ଲୋକର୍ପଣ ଉତ୍ସବ ପୂର୍ବରୁ ପରିକ୍ରମା ପ୍ରକଳ୍ପ ରଥ ଓ ପ୍ରଚାର ପ୍ରସାରକୁ ନେଇ ତେଜିଛି ରାଜନୀତି । ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଜଗନ୍ନାଥ କେଉଁ ଦଳର ନୁହନ୍ତି । ସାଲବେଗଙ୍କୁ ଭେଟିବାକୁ ଜଗନ୍ନାଥ ୯ ଦିନ ବାହାରକୁ ବାହାରିଥିଲେ । ଏବେ ଆମେ ସାମିଲ ହେବା ଠିକ୍ କି ନୁହେଁ ଆପଣ ବିଚାର କରନ୍ତୁ । କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ କହିଛନ୍ତି, ବସ୍ ଷ୍ଟାଣ୍ଡ, ରାସ୍ତା ଭଳି ପରିକ୍ରମା ପ୍ରକଳ୍ପର ଉଦଘାଟନ କରାଯାଉଛି । ଏହି ଠାକୁର ଲୋକଙ୍କୁ ଖାଇବାକୁ ଦିଏ, ଚାଉଳ ମାଗେନି ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପରିକ୍ରମ ପ୍ରକଳ୍ପ ପାଇଁ ଗାଁ ଗାଁରେ ବୁଲୁଥିବା ରଥକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏବଂ ଏହି ଉତ୍ସବରେ ଯୋଗ ଦେବେନି ବୋଲି ସିଧାସଳଖ ମନା କରିଛନ୍ତି । ତେବେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସବୁ ଜଗା ଉପରେ ଛାଡି ଦେଇଛନ୍ତି । ଅନ୍ୟପଟେ ବିଜେଡି ବିଧାୟକ ଅମର ଶତପଥୀ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ କହିଛନ୍ତି, ଜଗନ୍ନାଥ ସମସ୍ତଙ୍କର । ଜଗନ୍ନାଥ କୌଣସି ନିର୍ଦ୍ଦିଷ୍ଟ ଦଳର ନୁହଁନ୍ତି । ତେଣୁ ସମସ୍ତେ ଆସନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହୁଅନ୍ତୁ ।

ତେବେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବାକୁ ମଝିରେ ଆଉ ମାତ୍ର ଦିନଟିଏ ଅଛି । ତେଣୁ କେଉଁ ନେତା ଯୋଗ ଦେଉଛନ୍ତି ଓ କେଉଁମାନେ ଯୋଗ ଦେଉ ନାହାନ୍ତି ତାକୁ ଅପେକ୍ଷା ।