କନକ ବ୍ୟୁରୋ: ୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ବଢ଼ିବାରେ ଲାଗିଛି ବିବାଦ । ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇବା ପରେ, ଜବାବ ରଖିଥିଲେ ପରିବହନ ମନ୍ତ୍ରୀ । ହିସାବ ଦେଇ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କହିଥିଲେ । ଏପରିକି ବିଧାନସଭାରେ ତଥ୍ୟ ରଖିବେ ବୋଲି କହିଥିଲେ । କିନ୍ତୁ ଏବେ ସୂଚନା ଅଧିକାର ଆଇନରେ ପରିବହନ ବିଭାଗ ଦେଇଥିବା ଉତ୍ତର, ମନ୍ତ୍ରୀଙ୍କ ଉତ୍ତର ସହ ମେଳ ନଖାଇବାରୁ ପୁଣି ତେଜିଛି ରାଜନୀତି ।

Advertisment
  • ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ଥମୁନି ବିବାଦ
  • ମନ୍ତ୍ରୀଙ୍କ ପାଖରେ ଉତ୍ତର, ବିଭାଗ ପାଖରେ ନାହିଁ

୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତରେ ପ୍ରକୃତରେ କେତେ ଟଙ୍କା ଖର୍ଚ୍ଚ ହୋଇଛି । ବିରୋଧୀଙ୍କ ଅଭିଯୋଗ ଓ ଶାସକ ଦଳର ସଫେଇ ଭିତରେ ସତ ଜାଣିବା ପାଇଁ ସାଧାରଣ ଲୋକଙ୍କ ଭିତରେ ଉକ୍ରଣ୍ଠା ବଢ଼ିବାରେ ଲାଗିଛି । ଆଉ ଏହାରି ଭିତରେ ପରିବହନ ବିଭାଗ ମନ୍ତ୍ରୀ ଓ ପରିବହନ ବିଭାଗର ଅଲଗା ଅଲଗା ତଥ୍ୟ ଦ୍ୱନ୍ଦ୍ୱକୁ ବଢ଼ାଇ ଦେଇଛି । ଦିନକ ତଳେ ମନ୍ତ୍ରୀ ଟୁକୁନି ସାହୁ ଟୁଇଟ୍ କରି ଲେଖିଥିଲେ ହେଲିକପ୍ଟର ଗସ୍ତ ବାବଦକୁ ମାତ୍ର ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ଭି.କେ. ପାଣ୍ଡିଆନ୍ଙ୍କ ହେଲିକପ୍ଟର ଗସ୍ତ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୋଇଛି ଆରଟିଆଇରେ ମଗାଯାଇଥିବା ପ୍ରଶ୍ନର ଉତ୍ତରରେ ବିଭାଗ କହିଛି, ଏ ନେଇ ବିଭାଗ ପାଖରେ କୌଣସି ତଥ୍ୟ ନାହିଁ । ଏପରିକି ହେଲିକପ୍ଟର ବାବଦକୁ କାହାକୁ କେତେ ଟଙ୍କା ପୈଠ କରାଯାଇଛି, ସେ ପ୍ରଶ୍ନର ଉତ୍ତରରେ ତଥ୍ୟ ନଥିବା ଦର୍ଶାଇଛି ପରିବହନ ବିଭାଗ । ମନ୍ତ୍ରୀ ଓ ବିଭାଗର ଏଭଳି ଅଲଗା ଅଲଗା ତଥ୍ୟ ଦ୍ୱନ୍ଦ୍ୱ ବଢ଼ାଇଛି ।

  • ମନ୍ତ୍ରୀଙ୍କୁ ବିଜେପିର ପ୍ରଶ୍ନ
  • କେଉଁଠୁ ମନ୍ତ୍ରୀ ପାଇଲେ ହିସାବ?

ମନ୍ତ୍ରୀ ଓ ପରିବହନ ବିଭାଗର ଭିନ୍ନ ଭିନ୍ନ ତଥ୍ୟ ସାମନାକୁ ଆସିବା ପରେ ସରକାର ଓ ଶାସକ ଦଳକୁ ଘେରିଛି ବିଜେପି । ବିଜେପି ବିଧାୟକ ନାଉରୀ ନାୟକ ସିଧାସଳଖ ପରିବହନ ମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହ ସେ କେଉଁଠୁ ହିସାବ ପାଇଲେ ବୋଲି ପ୍ରଶ୍ନ କରିଛନ୍ତି । ପଚାରିଛନ୍ତି, ଯଦି ବିଭାଗ ପାଖରେ ତଥ୍ୟ ନାହିଁ, ମନ୍ତ୍ରୀ କେଉଁଠୁ ହିସାବ ପାଇଲେ? ଜଣେ ସଚିବଙ୍କ ପାଇଁ ଜଣେ ମନ୍ତ୍ରୀ ଉତ୍ତର ରଖୁଛନ୍ତି,ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଲୋକଙ୍କୁ ଭୁଆଁ ବୁଲାଇବାକୁ ପ୍ରହସନ ।

ତେବେ ବିଭାଗର ଆରଟିଆଇ ତଥ୍ୟକୁ ନେଇ ଶାସକ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଆଉ ଆଗକୁ ବିଧାନସଭା ମୌସୁମୀ ଅଧିବେଶନ ବସିବାକୁ ଯାଉଥିବାରୁ ଏହି ପ୍ରସଙ୍ଗ ଗୃହକୁ ସରଗରମ କରିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ବିଧାନସଭାରେ ମନ୍ତ୍ରୀ କଣ ଉତ୍ତର ରଖିବେ ତା ଉପରେ ସମସ୍ତଙ୍କ ନଜର ରହିବ ।