ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ରଘୁବର ଦାସ ଭେଟିବା ପରେ ତେଜିଲା ରାଜନୀତି: କଂଗ୍ରେସ କହିଲା, ଭାଙ୍ଗିଛି ପରମ୍ପରା, ଉତ୍ତର ରଖୁ ରାଜ୍ୟପାଳଙ୍କ ଅଫିସ

94

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ରଘୁବର ଦାସଙ୍କ ମଧ୍ୟରେ ସାକ୍ଷାତ ପରେ ରାଜନୀତି ତେଜିଛି । ସାମ୍ବିଧାନିକ ପଦରେ ଥାଇ ରାଜ୍ୟପାଳ, କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବୀନ ନିବାସ ଗଲେ ବୋଲି ପ୍ରାଶ୍ନ ଉଠାଉଛି କଂଗ୍ରେସ । ରାଜ୍ୟପାଳ ପରମ୍ପରା ଭାଙ୍ଗିଥିବା କଂଗ୍ରେସ କହୁଥିବା ବେଳେ ବିଜେପି ଓ ବିଜେଡି କହିଛନ୍ତି ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ।

ନୂଆ ରାଜ୍ୟପାଳ ରଘୁବର ଦାସ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ସହଜରେ ଗ୍ରହଣ କରିପାରିନି କଂଗ୍ରେସ । ଏହା ପଛରେ ରାଜନୀତିର ଗନ୍ଧ ବାରିଛି କଂଗ୍ରେସ । ବରିଷ୍ଠ ନେତା ପଂଚାନନ କାନୁନଗୋ, ଅଭିଯୋଗ କରି କହିଛନ୍ତି, ରାଜ୍ୟପାଳ ପରମ୍ପରା ଭଂଗ କରିଛନ୍ତି । ରାଜ୍ୟପାଳ ସାମ୍ବିଧାନିକ ପଦରେ ଅବସ୍ଥାପିତ ଥାଇ ମୁଖ୍ୟମନ୍ତ୍ରୀଙ୍କୁ ଏପରି କାହିଁକି ଭେଟିଲେ ବୋଲି ପ୍ରଶ୍ନ କରିଛନ୍ତି । ଏପରିକି ପ୍ରୋଟୋକଲ ଭାଂଗି କାହିଁକି ନବୀନ ନିବାସ ଗଲେ, ତାର ସ୍ପଷ୍ଟିକରଣ ମାଗିଛନ୍ତି ପଂଚାନନ ।

ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ଭେଟିବା ନେଇ, କଂଗ୍ରେସ ପ୍ରଶ୍ନ ଉଠାଇବା ପରେ, ବିଜେଡି ଓ ବିଜେପି ଜବାବ ରଖିଛନ୍ତି । ଉଭୟ ଦଳର ନେତା ଏହାକୁ ଔପଚାରିକ ସାକ୍ଷାତ ବୋଲି କହିବା ସହ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏଥିସହ ଭେଟଘାଟରେ ପ୍ରୋଟୋକଲ କେଉଁଠି ଭାଂଗିଲା ବୋଲି ପାଲଟା ପ୍ରଶ୍ନ କରିଛନ୍ତି । ବିଜେଡି-ବିଜେପିର ପ୍ରତିକ୍ରିୟା ପରେ ପାଲଟା ପ୍ରଶ୍ନ କରିଛନ୍ତି ପଂଚାନନ ।

ମଂଗଳବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ ଓଡିଶାର ନୂଆ ରାଜ୍ୟପାଳ ରଘୁବର ଦାସ । ଆଉ ଦିନକ ପରେ ଭୁବନେଶ୍ୱରରେ ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ରାଜ୍ୟପାଳ । ଭେଟିବା ପରେ ନିଜେ ରାଜ୍ୟପାଳ ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଆଉ ଦୀପାବଳୀ ଶୁଭେଛା ଜଣାଇବା ସହ ନବୀନଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଥିଲେ ବୋଲି ଲେଖିଥିଲେ ।