ରତ୍ନଭଣ୍ଡାରକୁ ନେଇ ତେଜିଲା ରାଜନୀତି। କାହିଁକି ଖୋଲିନି ବୋଲି ପ୍ରଶ୍ନ କଲା ବିରୋଧୀ

67

କନକ ବ୍ୟୁରୋ: ରତ୍ନ ଭଣ୍ଡାର ଖୋଲିବାକୁ ଦାବି ବଢ଼ୁଥିଲେ ବି, କେବେ ଖୋଲିବ ସେ ନେଇ ସରକାର କୌଣସି ନିଷ୍ପତି ନେଇପାରୁନାହାଁନ୍ତି । ସରକାରଙ୍କ ଏଭଳି ଆଭିମୁଖ୍ୟକୁ ଦେଖି ବଡ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କହିଛନ୍ତି, କୌଣସି ଅଜଣା କାରଣରୁ ରାଜ୍ୟ ସରକାର ଭୟଭୀତ । ଏଏସଆଇ ଲେଖି ସାରିବା ପରେ ରତ୍ନଭଣ୍ଡାର ମରାମତି କରିବା ପାଇଁ ସରକାର ଆଇନତଃ ବାଧ୍ୟ । ସେଥିରେ କିଛି ବିଚାର କରିବାର ନାହିଁ । ବହୁତ ବର୍ଷ ହେଲା, ରତ୍ନ ଭଣ୍ଡାରର ଯାଞ୍ଚ ହୋଇନି । ଲୋକେ ଆଶଙ୍କା କରୁଛନ୍ତି, ରତ୍ନଭଣ୍ଡାରରୁ ଚୋରି ହୋଇଯାଇଛି ।

ରତ୍ନଭଣ୍ଡାର ନଖୋଲିବାକୁ ନେଇ ସରକାରଙ୍କ ଉପରେ ବିଜେପି ନେତା ମଧ୍ୟ ବର୍ଷିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ରତ୍ନଭଣ୍ଡାର ପ୍ରସଙ୍ଗରେ ଓଡ଼ିଶାବାସୀ କେବେ ସରକାରଙ୍କୁ କ୍ଷମା ଦେବେନାହିଁ । ରାଜ୍ୟବାସୀ ଚାହିଁବା ଅନୁସାରେ ସରକାର ଆଗେଇ ଆସିବା କଥା । ସରକାର ଜାଣିଶୁଣି ରତ୍ନଭଣ୍ଡାର ଖୋଲିବାକୁ ପଦକ୍ଷେପ ନେଉନାହାନ୍ତି । ତା ପଛରେ କ’ଣ ରହିଛି ରହସ୍ୟ ତାହାର ସତ୍ୟାସତ୍ୟ ସାମ୍ନାକୁ ଆସିବା ଦରକାର ।

ରତ୍ନଭଣ୍ଡାର ଖୋଲିବାକୁ ଏଏସଆଇର ଚିଠି ପରେ, କେବେ ଖୋଲିବ ଏହା ସରକାରଙ୍କ ଉପରେ ନିର୍ଭର କରୁଛି । ତେବେ ଏନେଇ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଦେଇଥିବା ବୟାନ ଚର୍ଚ୍ଚାର ବିଷୟ ହୋଇଛି । ରତ୍ନଭଣ୍ଡାର ସୁରକ୍ଷିତ ଅଛି ତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ରତ୍ନଭଣ୍ଡାରକୁ ଆପଣ ଦେଖିଛନ୍ତି ନା ମୁଁ ଦେଖିଛି । ରତ୍ନଭଣ୍ଡାର କଣ କିଏ ଦେଖିଛି । ଏଏସଆଇ ଦେଇଥିବା ଚିଠିର ତର୍ଜମା ଓ ସମସ୍ତ ଟିମ୍ ସହିତ ଆଲୋଚନା ପରେ ହିଁ ରତ୍ନଭଣ୍ଡାର ସମ୍ପର୍କରେ ନିଷ୍ପତି ନିଆଯିବ ।

ରତ୍ନଭଣ୍ଡାରର ମରାମତି ପାଇଁ ଏଏସଆଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିବା ପରେ, ଦୀର୍ଘ ୩୭ ବର୍ଷ ହେଲା ଯାଞ୍ଚ ହୋଇନଥିବା ଭଣ୍ଡାରକୁ ଖୋଲିବା ପାଇଁ ଦାବି ଜୋର ହେବାରେ ଲାଗିଛି । ହେଲେ, ରତ୍ନଭଣ୍ଡାର ଖୋଲିବା ପାଇଁ ସରକାର ଯେମିତି ତତ୍ପରତା ଦେଖାଇବା ତାହା ଦେଖିବାକୁ ମିଳୁନାହିଁ । ଯାହା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି ।