କନକ ବ୍ୟୁରୋ: ୫-ଟି ସଚିବଙ୍କ ଗସ୍ତକୁ ନେଇ ବିବାଦ ଥମିନଥିବାବେଳେ, ମିଶନ ଶକ୍ତି ସଚିବଙ୍କ ଅଡିଓ କୁହାଯାଉଥିବା ଏକ କ୍ଲିପକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି । ବିଶେଷ କରି ଅଡିଓରେ କୁହାଯାଉଥିବା କେତେକ ଶବ୍ଦକୁ ନେଇ ବିରୋଧୀ ନିନ୍ଦା କରିଛନ୍ତି । ସଚିବଙ୍କୁ ଏଭଳି କହିବାକୁ ଅଧିକାର କିଏ ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ବିଜେଡି କହିଛି, ମିଶନ ଶକ୍ତି ଅଭିଯାନ ଯେଉଁଭଳି ଆଗଉଛି, ତାକୁ ସହିପାରୁ ନାହାନ୍ତି ବିରୋଧୀ ।

Advertisment

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଅଡିଓ କ୍ଲିପ୍ । ଏହି ଅଡିଓ କ୍ଲିପଟି ମିଶନ ଶକ୍ତି ସଚିବ ସୁଜାତା ଆର. କାର୍ତିକେୟନଙ୍କର ଓ ଏକ ବୈଠକରେ ଅଧିକାରୀମାନଙ୍କୁ ସମ୍ବୋଧନ କରିବା ସମୟରେ ବୋଲି ବିରୋଧୀ ଦାବି କରିଛନ୍ତି ।

  • ଅଡିଓରେ ଥିବା କଥାକୁ ନେଇ ବିବାଦ
  • ନିନ୍ଦା କଲେ ବିରୋଧୀ, ଖଣ୍ଡନ କଲା ବିଜେଡି

ଅଡିଓରେ କୁହାଯାଉଥିବା କେତେକ ଶବ୍ଦକୁ ନେଇ ଆପତି ଉଠାଇଛନ୍ତି ବିରୋଧୀ । ପିସିସି ସଭାପତି ଶରତ ପଟ୍ଟନାୟକ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହାର ନିନ୍ଦା କରିଛନ୍ତି । ପିସିସି ସଭାପତି କହିଛନ୍ତି, ନେତା ହୁଅନ୍ତୁ କିମ୍ବା ସରକାରଙ୍କ କୌଣସି କର୍ମଚାରୀ ଯିଏ ବି ମହିଳାଙ୍କ ପ୍ରତି ଏଭଳି ମନ୍ତବ୍ୟ ଦେଇଛି, କଂଗ୍ରେସ ତାର ନିନ୍ଦା କରୁଛି । ଦେଶରେ ସମସ୍ତଙ୍କର ସମାନ ଅଧିକାର ରହିଛି । ତେଣୁ ଯିଏ ଗାଁର ମହିଳା ବିରୋଧରେ ଏଭଳି ମନ୍ତବ୍ୟ ଦେଇଛନ୍ତି, ତାଙ୍କୁ ବିରୋଧ କର । କଂଗ୍ରେସ ମହିଳାଙ୍କ ସହ ରହିଛି । ସେହିପରି ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ସରକାରୀ କାର୍ଯ୍ୟକ୍ରମ କରିବାରେ ଅସୁବିଧା ନାହିଁ । କିନ୍ତୁ ଖରାପ ବ୍ୟବହାର କରିବାକୁ କାହାକୁ ଅଧିକାର ଦିଆଯାଇନି । ଦଳୀୟ କାର୍ଯ୍ୟକ୍ରମରେ ବ୍ୟବହାର କରିବାକୁ କହିବା ସମ୍ବିଧାନ ବିରୋଧୀ ।

ବୁଧବାର ସାମ୍ବାଦିକ ସମ୍ମିଳନୀ କରି ଅଡିଓ କ୍ଲିପ୍ ଶୁଣାଇବା ସହ ଏହାର ନିନ୍ଦା କରିଥିଲା ବିଜେପି । ବିଭାଗୀୟ ସଚିବ ମିଶନ ଶକ୍ତି ବୈଠକରେ ଏଭଳି ଅଶାଳୀନ ଶବ୍ଦର ବ୍ୟବହାର କେମିତି କଲେ, ବୋଲି ପ୍ରଶ୍ନ କରିଥିଲେ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା । ତେବେ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କଡା ଜବାବ ଦେବା ସହ ଅଭିଯୋଗକୁ ଖଣ୍ଡନ କରିଛନ୍ତି । କହିଛନ୍ତି, ମିଶନ ଶକ୍ତି ଅଭିଯାନ ଯେଉଁଭଳି ଭାବେ ଆଗଉଛି ତାକୁ ବିଜେପି ନେତା ସହ୍ୟ କରିପାରୁ ନାହାନ୍ତି । ଓଡ଼ଶା ବିଜେପି ମା’ମାନଙ୍କୁ ନେଇ ଯେଉଁ ଷଡଯନ୍ତ୍ର କରୁଛି ଏହା ସଫଳ ହେବ ନାହିଁ । ଆଗାମୀ ଦିନରେ ମିଶନ ଶକ୍ତିିର ମା’ମାନେ ଏହାର ଜବାବ ଦେବେ ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ୫-ଟି ସଚିବଙ୍କ ଗସ୍ତକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି । ଆଉ ଏତିକିବେଳେ ମିଶନ ଶକ୍ତି ସଚିବଙ୍କ ଅଡିଓ କୁହାଯାଉଥିବା କ୍ଲିପ୍ ନୂଆ ବିବାଦ ସୃଷ୍ଟି କରିଛି ।