ତେଜିଲା ଛାତ୍ର ସଂସଦ ନିର୍ବାଚନ ଦାବି । ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନକୁ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ । ଆନ୍ଦୋଳନ ପାଇଁ ଚେତାବନୀ ଦେଲା ଏବିଭିପି

61

କନକ ବ୍ୟୁରୋ: ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେବା ନେଇ ରାଜନୀତି ଜୋର ଧରିଛି । ତାତିଛନ୍ତି କଂଗ୍ରେସ କର୍ମୀ ଓ ଏବିଭିପି ସଦସ୍ୟ । ଛାତ୍ର କଂଗ୍ରେସର କର୍ମୀମାନେ ଉଚ୍ଚଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନ ଘେରାଉ କରିବା ସହ ଘର ଉପରକୁ ଅଣ୍ଡାମାଡ଼ କରିଛନ୍ତି । ଆଉ ଉକ୍ରଳ ବିଶ୍ୱବିଦ୍ୟାଳୟ ଆଗରେ ପ୍ରତିବାଦ କରିଛନ୍ତି ଏବିଭିପି ଛାତ୍ର । ତେବେ ସଫେଇ ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ଛାତ୍ରଛାତ୍ରୀଙ୍କ ଭଲ ପାଇଁ ଏଭଳି ନିଷ୍ପତି ନିଆଯାଇଛି ।

ଭିତରେ ଭିତରେ କୁହୁଳୁ ଥିବା ଅସନ୍ତୋଷର ନିଆଁ, ରାଜରାସ୍ତା ଉପରେ ଜଳିଛି । ମନ ଭିତରେ ଥିବା କ୍ଷୋଭ ଯେତେବେଳେ ବାହାରକୁ, ବାହାରି ଆସିଛି ସ୍ଥିତି ଅଣାୟତ ହୋଇଯାଇଛି । ପୋଡ଼ା ଜଳା ହୋଇଛି । ପୋଷ୍ଟର ପୋଡ଼ାଯାଇଛି । ଛାତ୍ର କଂଗ୍ରେସର କର୍ମୀମାନେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନ ଘେରାଉ କରିବା ସହ ତାଙ୍କ ଘର ଉପରକୁ ଅଣ୍ଡାମାଡ଼ କରିଛନ୍ତି ।

ଶିକ୍ଷାବର୍ଷ କ୍ୟାଲେଣ୍ଡରରୁ ଛାତ୍ର ସଂସଦ ନିର୍ବାଚନ ବାଦ୍ ପଡ଼ିବା, ଛାତ୍ର କଂଗ୍ରେସ କର୍ମୀଙ୍କ ଅସନ୍ତୋଷରେ ନିଆଁ ଲଗାଇ ଦେଇଛି । ଦୀର୍ଘ ୬ ବର୍ଷ ହେଲା, ଛାତ୍ରଙ୍କୁ କ୍ୟାମ୍ପସ ରାଜନୀତିରୁ ଜାଣିଶୁଣି ଦୂରେଇ ରଖାଯାଇଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ । ନିଷ୍ପତିକୁ ବିରୋଧ କରି ଛାତ୍ର କଂଗ୍ରେସର ନେତା ଓ ସଦସ୍ୟାମାନେ ଯେତେବେଳେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ପହଞ୍ଚିଥିଲେ, କଥା ଠେଲାପେଲା ଯାଏଁ ପହଞ୍ଚିଯାଇଥିଲା ।

ଖାଲି ସେତିକି ନୁହେଁ, ଛାତ୍ର କଂଗ୍ରେସ ଭଳି ଅନୁରୂପ ଢଙ୍ଗରେ ପ୍ରତିବାଦ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । କୁଆଡ଼େ ଗଲେ ଉଚ୍ଚଶିକ୍ଷା ମନ୍ତ୍ରୀ? ଛାତ୍ର ସଂସଦ ନିର୍ବାଚନ ଆମର ଦାବି । କ୍ୟାମ୍ପସରେ ବିଜେଡି ରାଜନୀତି ଚଳିବ ନାହିଁ । ଆଦି ନାରା ଦେଇ ଉକ୍ରଳ ବିଶ୍ୱବିଦ୍ୟାଳୟ ସାମ୍ନାରେ ପ୍ରତିବାଦ କରିଥିଲେ ଏବିଭିପିର ଛାତ୍ର । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଫଟୋରେ ନିଆଁ ଲଗାଇ ପ୍ରତିବାଦ କରିବା ସହ ଛାତ୍ର ସଂସଦ ନିର୍ବାଚନ ଦାବି କରିଥିଲେ ।

ସୂଚନାଯୋଗ୍ୟ ଯେ, ଶେଷଥର ପାଇଁ ୨୦୧୭ରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା । ଲିଙ୍ଗଡୋ କମିସନ ରିପୋର୍ଟକୁ ଆଳ କରି ସରକାର ଆଉ ଛାତ୍ର ସଂସଦ ନିର୍ବାଚନ କରୁନାହାନ୍ତି ବୋଲି ଅଭିଯୋଗ ହୋଇଆସୁଛି । ଚଳିତ ବର୍ଷ ନିର୍ବାଚନ କାହିଁକି ବନ୍ଦ ହେଲା, ଏ ନେଇ କିଛି ସ୍ପଷ୍ଟ କରାଯାଇନଥିବା ବେଳେ ଛାତଛାତ୍ରୀଙ୍କ ଭଲ ପାଇଁ ଏଭଳି ନିଷ୍ପତି ନିଆଯାଇଥିବା କହିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ତେବେ ବିଭାଗୀୟ ମନ୍ତ୍ରୀଙ୍କ ସଫେଇ କିନ୍ତୁ ଛାତ୍ରଛାତ୍ରୀଙ୍କ କ୍ଷୋଭକୁ ଦୂର କରିପାରିନି । ଯୋଜନାବନ୍ଧ ଭାବେ ଶାସକ ଦଳ, ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିଛନ୍ତି ବୋଲି ଉଭୟ ଛାତ୍ର କଂଗ୍ରେସ ଓ ଏବିଭିପି ଅଭିଯୋଗ କରିଛି ।