ଆଜି ପୁଣି ବଡଦାଣ୍ଡରେ ଅଚେତ ହେଲେ ଶ୍ରଦ୍ଧାଳୁ । ଦର୍ଶନ ବ୍ୟବସ୍ଥାକୁ ନେଇ ଉଠାଇଲେ ପ୍ରଶ୍ନ । ଭିଡ ନିୟନ୍ତ୍ରଣ ପାଇଁ ତତ୍ପର ହେଲା ପ୍ରଶାସନ
କନକ ବ୍ୟୁରୋ: ଗତକାଲି ଭଳି ଶ୍ରୀମନ୍ଦିର ସମ୍ମୁଖରେ ଆଜି ବି ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ । ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୋଇଥିଲେ ଶ୍ରଦ୍ଧାଳୁ । ଆଉ ଧାଡିରେ ଛିଡା ହେବାବେଳେ କେତେ ଜଣ ଶ୍ରଦ୍ଧାଳୁ ଅଚେତ ହୋଇପଡିଥିଲେ । ସବୁଠୁ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ, ଛୋଟ ପିଲା ଓ ମହିଳା । ବ୍ୟାରିକେଡରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବା ପରେ କିଛି ଶ୍ରଦ୍ଧାଳୁ ବ୍ୟାରିକେଡରୁ ବାହାରି ଆସିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

Kanak News is now on WhatsApp
Join and get latest news updates delivered to you via WhatsApp
ଶ୍ରଦ୍ଧାଳୁଙ୍କ ଭିଡ ନିୟନ୍ତ୍ରଣରେ ପ୍ରଶାସନ ଫେଲ ହୋଇଥିବା ଅଭିଯୋଗ ଭିତରେ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବୟାନ ଆଲୋଚନାର ବିଷୟ ହୋଇଛି । ଏହାକୁ ନେଇ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କ୍ଷୋଭ ପ୍ରକାଶ କରିଛନ୍ତି । ଏଥିସହ ପୁଣି ଥରେ ଜୋର ଧରିଛି ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ଦାବି ।
ତେବେ ଏହା ଭିତରେ ଭିଡ ନିୟନ୍ତ୍ରଣ ପାଇଁ ତତ୍ପର ହୋଇଛି ଶ୍ରୀମନ୍ଦିର ପ୍ରଶାସନ । ପଞ୍ଚୁକ ସମୟରେ ଭିଡ ନିୟନ୍ତ୍ରଣ ପାଇଁ ବ୍ୟାରିକେଡକୁ ମରିଚିକୋଟ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଯେମିତି ଏହି ସ୍ଥାନରେ କୌଣସି ଉଠାଦୋକାନୀ ନ ବସନ୍ତି ତା ଉପରେ ଗୁରୁତ୍ୱ ଦିଆଯାଇଛି । ଅନ୍ୟପଟେ ନୀତିକୁ ଶୃଙ୍ଖଳିତ କରି ସଅଳ ଦର୍ଶନର ବ୍ୟବସ୍ଥା କରାଇବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତମାନଙ୍କୁ କୁହାଯାଇଛି ।
ସେହିପରି ଶ୍ରଦ୍ଧାଳୁଙ୍କ ଅସୁବିଧାକୁ ନଜରରେ ରଖି ତିନୋଟି ଅସ୍ଥାୟୀ ଶୌଚାଳୟ କରାଯାଇଛି । ବରିଷ୍ଠ ନାଗରିକ ଓ ହବିଷ୍ୟାଳୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହେଲେ, ନୀତି ସଅଳ କରିବା ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି ।