ଏସଏଚଜି ସଦସ୍ୟାଙ୍କୁ ୟୁନିଫର୍ମ ପାଇଁ ମିଳିବ ୧ ହଜାର ଟଙ୍କା । କ୍ୟାବିନେଟ୍ ନିଷ୍ପତି ପରେ ତେଜିଲା ରାଜନୀତି

897

କନକ ବ୍ୟୁରୋ: ମହିଳାଙ୍କ ଭୋଟରକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି । ଏସଏଚଜି ସଦସ୍ୟାଙ୍କୁ ନେଇ ରାଜ୍ୟ କ୍ୟାବିନେଟର ଗତକାଲି ବଡ ଘୋଷଣା ହୋଇଥିଲା । ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କୁ ୟୁନିଫର୍ମ ପାଇଁ ହଜାରେ ଟଙ୍କା ଦେବାକୁ ସରକାର ନିଷ୍ପତି ନେବା ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଜବାବରେ ବିଜେଡି କହିଛି, ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି ।

  • ଏସଏଚଜି ସଦସ୍ୟାଙ୍କୁ ୟୁନିଫର୍ମ ପାଇଁ ୧ ହଜାର ଟଙ୍କା
  • କ୍ୟାବିନେଟ୍ ନିଷ୍ପତି ପରେ ତେଜିଲା ରାଜନୀତି
  • ଫୋକସରେ ମହିଳା ଭୋଟର

ସ୍ୱୟଂ ସହାୟିକା ଗୋଷ୍ଠୀର ସସସ୍ୟାଙ୍କୁ ୟୁନିଫର୍ମ ଦେବା ପାଇଁ ୧ ହଜାର ଟଙ୍କା ଦିଆଯିବା ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତି ନେବା ପରେ ସରକାରଙ୍କୁ ଘେରିଛନ୍ତି ବିଜେପି ଓ କଂଗ୍ରେସର ମହିଳା ମୋର୍ଚ୍ଚା । ମହିଳାମାନଙ୍କୁ ଟଙ୍କା ଦେଇ ସ୍ୱାବଲମ୍ବୀ କରାଯାଇ ପାରିବନି ବୋଲି କହିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ । ସେହିପରି କଂଗ୍ରେସ ମହିଳା ମୋର୍ଚ୍ଚା ସଭାନେତ୍ରୀ ମୀନାକ୍ଷୀ ବାହିନୀପତି କହିଛନ୍ତି ନିର୍ବାଚନ ଆସିଲେ ବିଜେଡିକୁ ମହିଳାଙ୍କ କଥା ମନେପଡେ । ଯାହାର ଜବାବ ଦେଇ ବିଜେଡି ବିଧାୟିକା ଲତିକା ପ୍ରଧାନ କହିଛନ୍ତି, ମହିଳା ସଶକ୍ତିକରଣ ପାଇଁ ଦେଶରେ ଅନନ୍ୟ ସ୍ଥାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର ।

ୟୁନିଫର୍ମ କିଣିବା ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାକୁ ଦିଆଯିବ ୧ ହଜାର ଟଙ୍କା । ଏଥିରେ ଉପକୃତ ହେବେ ୭୦ ଲକ୍ଷ ମହିଳା । ସେହିପରି କାର୍ଯ୍ୟନିର୍ବାହୀ ସଦସ୍ୟାଙ୍କୁ ବ୍ଲେଜର କିଣିବା ପାଇଁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏହି ପ୍ରସ୍ତାବକୁ ମିଳିଛି କ୍ୟାବିନେଟ୍ ମଂଜୁରୀ । ସରକାର ଗୋଟିଏ ପରେ ଗୋଟିଏ ଘୋଷଣା କରୁଥିବା ବେଳେ ଯାହାକୁ ନିର୍ବାଚନୀ ଚାଲ୍ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।