ରଥଯାତ୍ରାକୁ ନେଇ ଆରମ୍ଭ ହେଲା ଶ୍ରେୟ ରାଜନୀତି? ଟ୍ୱିଟ୍ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ, ପୁରୀବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଧନ୍ୟବାଦ । କଂଗ୍ରେସ କହିଲା, ରଥଯାତ୍ରା ପାଇଁ ବିଜେପି ଓ ବିଜେଡିର ଆରମ୍ଭରୁ ନଥିଲା ଆନ୍ତରିକତା ।

367

କନକ ବ୍ୟୁରୋ : କରୋନା ସଂକ୍ରମଣ ଭିତରେ କେମିତି ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ତାକୁ ନେଇ ଚିନ୍ତାରେ ଥିଲେ ସରକାର । କଟକଣା ଭିତରେ ରଥଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ହାତରେ ଖୁବ କମ ସମୟ ଥିଲା । ଆଉ ଏହି ଆହ୍ୱାନକୁ ଅବସରରେ ପରିଣତ କଲା ପୁରୀ ଜିଲ୍ଲା ପ୍ରଶାସନ । ନବ ଦିନାତ୍ମକ ଯାତ୍ରା ଶେଷ କରି ମହାପ୍ରଭୁ ଶ୍ରୀମନ୍ଦିର ଫେରିଛନ୍ତି । ହେଲେ ଏହାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ଶ୍ରେୟ ରାଜନୀତି ।

ଚତୁର୍ଦ୍ଧାମୂର୍ତିଙ୍କ ନୀଳାଦ୍ରି ବିଜେ ନୀତି ସହ ଶେଷ ହୋଇଛି ଚଳିତ ବର୍ଷର ରଥଯାତ୍ରା । ବିନା ଭକ୍ତରେ ସେବାୟତଙ୍କ ଗହଣରେ ସୁଚାରୁ ରୂପେ ଶେଷ ହୋଇଛି ରଥଯାତ୍ରାର ସମସ୍ତ ନୀତି । ଶ୍ରୀଜିଉଙ୍କ ଶ୍ରୀମନ୍ଦିର ପ୍ରବେଶ ଶେଷ ହେବାର କିଛି ସମୟ ମଧ୍ୟରେ ଟ୍ୱିଟ୍ କରି ସମସ୍ତଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ରଥଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ଆୟୋଜନ ଶୃଙ୍ଖଳିତ ହୋଇଥିବାରୁ ସେବାୟତ ବନ୍ଧୁ, ପ୍ରଶାସନ ଏବଂ ପୂର୍ଣ୍ଣ ସହଯୋଗ ପାଇଁ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଉଛି । ସର୍ବୋପରି ସବୁ ଲୀଳାମୟଙ୍କ ଇଚ୍ଛା । ଜୟ ଜଗନ୍ନାଥ । ସେପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ୍ କରି ରଥଯାତ୍ରାର ସଫଳ ଆୟୋଜନ ପାଇଁ ପୁରୀ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ, ମନ୍ଦିର ପ୍ରଶାସନ, ସମସ୍ତ ସେବାୟତ ଓ ପୁରୀ ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏପଟେ ରଥଯାତ୍ରାର ସୁରୁଖୂୁରୁରେ ଶେଷ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟସେବକ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ଦିବ୍ୟସିଂହ ଦେବ । ମହାପ୍ରଭୁଙ୍କ ଦୟାରୁ ରଥଯାତ୍ରା ସଂପନ୍ନ ହୋଇଛି ଏବଂ ଏଥିପାଇଁ ସେବାୟତ, ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

ସେପଟେ ରଥଯାତ୍ରା ନେଇ ଆରମ୍ଭ ହୋଇଛି ଶ୍ରେୟ ରାଜନୀତି । ରଥଯାତ୍ରା ହେବ କି ନାହିଁ ସନ୍ଦେହ ଥିଲା । ଭଗବାନଙ୍କ ଲୀଳା ଯୋଗୁ ରଥଯାତ୍ରା ଶେଷ ହୋଇଛି ଏବଂ ପ୍ରଧାନମନ୍ତ୍ରୀଙ୍କ ନିଷ୍ଠା ଯୋଗୁ ପରମ୍ପରା ରକ୍ଷା ସହ ଏହା ସମ୍ଭବ ହୋଇଛି ବୋଲି ବିଜେପି କହିଛି । ଅନ୍ୟପଟେ ଉଭୟ ବିଜେପି ଓ ବିଜେଡିର ଆରମ୍ଭରେ ଆନ୍ତରିକତା ନଥିଲା ବୋଲି କଂଗ୍ରେସ ଅଭିଯୋଗ କରିଛି । ତେବେ ପ୍ରଭୁଙ୍କ ପାଖରେ ସମର୍ପିତ ହୋଇ ରହିବା ସହ ରୀତିନୀତି ଠିକ୍ ଭାବରେ ଶେଷ ହୋଇଥିବାରୁ ସମସ୍ତେ ଖୁସିହେବା କଥା ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କଟକଣା ଭିତରେ ରଥଯାତ୍ରା ଶେଷ ହୋଇଥିବାରୁ ଓଡ଼ିଶାବାସୀ ଓ ପୁଲିସ କର୍ମକତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓଡ଼ିଶା ପୁଲିସ୍ ମହାନିର୍ଦ୍ଦେଶକ । ପୁରୀରେ ନିୟୋଜିତ ରହି, ରଥଯାତ୍ରାକୁ ସୁଚାରୁରୂପେ ତୁଳାଇବାରେ ସହଯୋଗ କରିଥିବା ପୁଲିସ୍ କର୍ମଚାରୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ପୁଲିସ୍ ଡିଜି ।