କନକ ବ୍ୟୁରୋ: ପଲିଟିକ୍ସରେ କଳାହାଣ୍ଡି ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣା । ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିବା ଏହି ଘଟଣାକୁ ନେଇ ବିଜେପି-ବିଜେଡି ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ । ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ବିଜେଡି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଆଉ କହିଛନ୍ତି, ଜିଲ୍ଲାର ଜଣେ ବିଜେଡି ନେତାଙ୍କ ବସ୍ ଡ୍ରାଇଭର ଲଳିତେନ୍ଦୁ ଶବର ଏହି ଦୁଷ୍କର୍ମ ମାମଲାର ମୁଖ୍ୟ ଖଳନାୟକ । ତେବେ ଏନେଇ କାହିଁକି ଚୁପ୍ ବସିଛନ୍ତି ଗୃହମନ୍ତ୍ରୀ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।
ଏପରିକି ଜୁନାଗଡ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉତର ନରଖିବା ମୁଖ୍ୟ ଖଳନାୟକ ଲଳିତେନ୍ଦୁକୁ ସୁରକ୍ଷା ଦେବା ସହ ସମାନ । ତେଣୁ ଏହି ଘଟଣା ମନ୍ତ୍ରୀ ଦିବ୍ୟଶଙ୍କର ଉତ୍ତର ରଖନ୍ତୁ ବୋଲି ଦାବି କରିଛି ବିଜେପି । ଆଉ ମୁଖ୍ୟ ଅଭିଯୁକ୍ତକୁ ଧରିବା ବଦଳରେ ପୋଲିସର ତଦନ୍ତ ବାଟଣାରଣା ହୋଇଛି । ଅଭିଯୁକ୍ତକୁ କାହା ଚାପରେ ଛଡାଯାଇଛି ବୋଲି ଦଳ ପ୍ରଶ୍ନ କରିଛି ବିଜେପି ।
ସେପଟେ ଜୁନାଗଡ ଦୁଷ୍କର୍ମ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସେ କହିଛନ୍ତି, ଘଟଣାର ତଦନ୍ତ ହେଉଛି । ଯେ କୌଣସି ବ୍ୟକ୍ତି ଏଭଳି କାଣ୍ଡ ଭିଆଇଛି ସେ ଦୋଷୀକୁ ଛଡାଯିବନି । ଆଉ ବିଜେପି ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ । ଏବଂ ଏଭଳି ଘଟଣାକୁ ନେଇ ରାଜନୀତିକରଣ କରାନଯାଉ ବୋଲି ଅନୁରୋଧ କରିଛନ୍ତି ଗୃହମନ୍ତ୍ରୀ ଦିବ୍ୟଶଙ୍କର ।
ଅନ୍ୟପଟେ ଦିନକୁ ଦିନ ନୂଆ ମୋଡ଼ ନେଉଥିବା ଘଟଣାରେ ପୋଲିସର ରାଜସାକ୍ଷୀ ପାଲଟିଥିବା ଡ୍ରାଇଭର ଲଳିତେନ୍ଦୁ ଶବର ହିଁ ମୁଖ୍ୟ ଖଳନାୟକ ବୋଲି କହିଛନ୍ତି ପୀଡିତା । ପୀଡିତା କହିଛନ୍ତି, ଗତ ୧୪ ତାରିଖ ଦିନ ସେ ଭବାନୀପାଟଣା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରୁ ବସଷ୍ଟାଣ୍ଡକୁ ଆସିବା ସମୟରେ ବସ୍ ଡ୍ରାଇଭର ଲଳିତେନ୍ଦୁଙ୍କ ସହ ତାଙ୍କର ଦେଖା ହୋଇଥିଲା । ସେ ବାଇକରେ ତାଙ୍କୁ ଲିଫ୍ଟ ଦେଇଥିଲା । ଲଳିତେନ୍ଦୁ ତାଙ୍କୁ ବାଇକରେ ଜୁନାଗଡ ନେଇଥିଲେ । ବାଟରେ ଲଳିତେନ୍ଦୁଙ୍କ ଫୋନ ଆସିଥିଲା । ବନମାଳୀପୁର ଛକ ନିକଟରେ ସେ ବାଇକକୁ ଧିମା କରିବା ପରେ ୬ ଜଣ ଯୁବକ ଆସି ତାଙ୍କୁ ନିକଟସ୍ଥ ଜଙ୍ଗଲକୁ ଉଠାଇନେଇଥିଲେ । ପରେ ଡ୍ରାଇଭର ଓ ୬ ଜଣ ଦୁଷ୍କର୍ମ କରି ଭିଡିଓ ତିଆରି କରିଥିଲେ । ଲଳିତେନ୍ଦୁ ଓ ଅନ୍ୟ ୬ ଦୁଷ୍କର୍ମକାରୀଙ୍କୁ ଫାଶୀ ନ ଦେଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି । ସୂଚନା ମୁତାବକ ଲଳିତେନ୍ଦୁ ଦୁଷ୍କର୍ମ କରିଥିବା କଥା ପୀଡିତା ଏତଲାରେ ଦର୍ଶାଇନଥିଲେ । ତେଣୁ ତାଙ୍କୁ ରାଜସାକ୍ଷୀ କରାଯାଇଥିଲା ।