ତେଲ ଦରକୁ ନେଇ ତେଜିଲା ରାଜନୀତି । ଉତ୍ପାଦନ ଶୁଳ୍କ କମାଇଥିବାରୁ ମୋଦୀ ସରକାରଙ୍କୁ ରାଜ୍ୟ ବିଜେପିର ଧନ୍ୟବାଦ

ସେପଟେ ରାଜ୍ୟ ସରକାର ଆଉ ୧୪ଟଙ୍କା ଭାଟ କମାଇବାକୁ ଦଳର ଦାବି । ରୋଷେଇ ଗ୍ୟାସ ପ୍ରସଙ୍ଗରେ ବିଜେଡିର ଆନ୍ଦୋଳନ ଚେତାବନୀକୁ ଟାର୍ଗେଟ

124

କନକ ବ୍ୟୁରୋ : ତେଲ ଦରକୁ ନେଇ ତେଜିଲା ରାଜନୀତି । ତୈଳ ଦର ଉପରେ ଉତ୍ପାଦନ ଶୁଳ୍କ କମାଇଥିବାରୁ ମୋଦୀ ସରକାରଙ୍କୁ ରାଜ୍ୟ ବିଜେପି ଧନ୍ୟବାଦ ଦେଇଛି । ବିଜେପି କହିଛି, ପେଟ୍ରୋଲ ଓ ଡିଜେଲ ପାଇଁ ଭାରତ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ଥିବାରୁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇଲେ । ଏବଂ ଭାଟ କମାଇବାକୁ ରାଜ୍ୟ ଗୁଡିକୁ ଅନୁରୋଧ କରିଥିଲେ । ତେବେ ରାଜ୍ୟ ସରକାର ଆଉ ୧୪ଟଙ୍କା ଭାଟ କମାଇବାକୁ ଦଳ ଦାବି କରିଛି । ଏବଂ ରୋଷେଇ ଗ୍ୟାସ ପ୍ରସଙ୍ଗରେ ବିଜେଡିର ଆନ୍ଦୋଳନ ଚେତାବନୀକୁ ଟାର୍ଗେଟ କରିଛି ବିଜେପି । ବିଜେଡି ନେତା ବିଜେପି ସହ ତର୍କ କରିବାକୁ ଆହ୍ୱାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

ସେପଟେ, ଭାଟ କମିଲା, ଦର କମିଲା । ରାଜ୍ୟ ସରକାର ଭାଟ୍ କମାଇବା ପରେ ପେଟ୍ରୋଲ ଏବଂ ଡିଜେଲ ଦର କମିଛି । କାରଣ କେନ୍ଦ୍ର ସରକାର ଏକ୍ସାଇଜ ଡ୍ୟୁଟି କମାଇବା ପରେ ରାଜ୍ୟ ସରକାର ଭାଟ୍ କମାଇଛନ୍ତି । ଏ ନେଇ ଅର୍ଥ ବିଭାଗ ପକ୍ଷରୁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ପେଟ୍ରୋଲ ଉପରେ ରାଜ୍ୟ ସରକାର ୩୨ ପ୍ରତିଶତ ଭାଟ ନେଉଥିବା ବେଳେ ଏବେ ଏହାକୁ ୨୮ ପ୍ରତିଶତକୁ ହ୍ରାସ କରିଛନ୍ତି । ଫଳରେ ପେଟ୍ରୋଲ ଲିଟର ପିଛା ୩ ଟଂକା ୧୦ ପଇସା କମିଛି ।

ସେହିପରି ଡିଜେଲ ଉପରେ ପୂର୍ବରୁ ୨୮ ପ୍ରତିଶତ ଭାଟ ଆଦାୟ କରାଯାଉଥିବା ବେଳେ ଏହାକୁ ୨୪ ପ୍ରତିଶତକୁ କମାଇଛନ୍ତି ରାଜ୍ୟ ସରକାର । ଫଳରେ ଡିଜେଲ ଦର ଲିଟର ପିଛା ୨ ଟଂକା ୮୯ ପଇସା ହ୍ରାସ ପାଇଛି ।  ଭୁବନେଶ୍ୱରେ ଆଜି ପେଟ୍ରୋଲ ଲିଟର ପିଛା ଦର ୧୦୧ ଟଙ୍କା ୭୮ ପଇସା ରହିଥିବା ବେଳେ ଡିଜେଲ ଦର ୯୧ ଟଙ୍କା ୬୨ ପଇସା ରହିଛି । ସେହିପରି କଟକରେ ପେଟ୍ରୋଲ ଦର ୧୦୫ ଟଙ୍କା ୨୬ପଇସା ଥିଲା ଯାହା ଆଜି ୧୦୨ଟଙ୍କା ୧୫ପଇସା ରହିଛି । ଡିଜେଲ ଦର ୯୪ଟଙ୍କା ୮୭ପଇସା ଥିବା ବେଳେ ଆଜି ଏହା ୯୧ଟଙ୍କା ୯୬ପଇସା ରହିଛି ।