କନକ ବ୍ୟୁରୋ: ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ମଙ୍ଗଳବାର ବ୍ରିଟେନର ପ୍ରଧାନମନ୍ତ୍ରୀ ଘୋଷିତ ହୋଇଥିବା ଋଷି ସୁନକଙ୍କୁ ନେଇ ଭାରତରେ ରାଜନୀତି ଜୋର ଧରିଛି । ବ୍ରିଟେନରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟରୁ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଭାରତରେ କେବେ ବୋଲି ପ୍ରଶ୍ନ କରିଥିଲେ ବିରୋଧି । ଆଉ ଏହାର ଜବାବ ରଖି ବିଜେପି ନେତା ଅମିତ ମାଲବ୍ୟ, ମୁକ୍ତାର ଅବାସ ନକବୀ, ରବିଶଙ୍କର ପ୍ରସାଦ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ।
- ଋଷି ସୁନକଙ୍କୁ ନେଇ ରାଜନୀତି
- ସଂଖ୍ୟାଲଘୁଙ୍କୁ ନେଇ ମୁହାଁମୁହିଁ ବିଜେପି-ବିରୋଧୀ
- “ଭାରତରେ କେବେ ହେବ ସଂଖ୍ୟାଲଘୁ ପ୍ରଧାନମନ୍ତ୍ରୀ?’’
ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାରତୀୟ ବଂଶଧର ଋଷି ସୁନକଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ଦୀର୍ଘ ୨୦୦ ବର୍ଷ ପରେ ଇଂଲଣ୍ଡର ସବୁଠୁ ଯୁବ ଏବଂ ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ଋଷିକୁ ନେଇ ଅଧିକାଂଶ ଭାରତୀୟ ଖୁସି ବ୍ୟକ୍ତ କରୁଥିବା ବେଳେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ବ୍ରିଟ୍ରେନରେ ହିନ୍ଦୁ ସଂଖ୍ୟାଲଘୁ ସମ୍ପ୍ରଦାୟ ଥିବା ସତ୍ୱେ ଋଷି ସୁନକ ପ୍ରଧାନମନ୍ତ୍ରୀ ହୋଇଥିବାରୁ ଭାରତରେ କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି କିଛି ବରିଷ୍ଠ କଂଗ୍ରେସ ଏବଂ ମୁସଲିମ ନେତା । ଆଉ ଏହାର ଜବାବ ରଖିଛି ବିଜେପି ।
ପି ଚିଦାମ୍ବରମ, କଂଗ୍ରେସ ନେତା
“ପ୍ରଥମେ କମଲା ହାରିସ ଏବେ ଋଷି ସୁନକ, ଆମେରିକା ଏବଂ ୟୁକେ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ଦେଶର ମୁଖ୍ୟ ସରକାରୀ ପଦବୀରେ ବସାଇଛନ୍ତି । ସଂଖ୍ୟାବହୁଳରେ ବିଶ୍ୱାସ ରଖୁଥିବା ଭାରତ ଏବଂ ରାଜନୈତିକ ଦଳମାନେ ଏଠାରୁ କିଛି ଶିଖିବା ଦରକାର’’
ଶଶି ଥରୁର, କଂଗ୍ରେସ ସାଂସଦ
“ ଯଦି ଏହା ଘଟେ, ତେବେ ଆମେ ଜାଣିବା ଦରକାର ଯେ ବ୍ରିଟିସର୍ସମାନେ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ସବୁଠୁ ଅଧିକ ଶକ୍ତିଶାଳୀ ପଦବୀରେ ବସାଇ ବିଶ୍ୱରେ କିଛି ନିଆରା କରିଛନ୍ତି । ଆମେ ଭାରତୀୟ ଏଥିରେ ଖୁସି ହେଉଛେ, ବାସ୍ତବରେ ଏହା ଏଠାରେ ସମ୍ଭବ କି ? ”
ମେହେବୁବା ମୁଫତି, ପିଡିପି ମୁଖ୍ୟ
“ପ୍ରଥମ ଭାରତୀୟ ବଂଶଧର ୟୁକେର ପ୍ରଧାନମନ୍ତ୍ରୀ ହେବା ଆମ ପାଇଁ ଗର୍ବ, ଆମେ ସମସ୍ତେ ଉତ୍ସବ ମନାଉଛେ, ୟୁକେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ବାଛିଛି, କିନ୍ତୁ ଆମେ ଏବେବି ସିଏଏ, ଏନଆରସି ଭଳି ବିଭାଜନକାରୀ ଏବଂ ପାତରଅନ୍ତର ଆଇନ ଲାଗୁ କରୁଛେ ।”
- ବିରୋଧୀଙ୍କୁ ବିଜେପିର ଜବାବ
- “ଜାମ୍ମୁ-କାଶ୍ମୀରରେ ହିନ୍ଦୁ ମୁଖ୍ୟମନ୍ତ୍ରୀ କର’’
ସଂଖ୍ୟାଲଘୁଙ୍କୁ ନେଇ କଂଗ୍ରେସ ଏବଂ ଜାମ୍ମୁ କାଶ୍ମୀରର ପିଡିପି ମୁଖ୍ୟ ମେହେବୁବା ମୁଫତିଙ୍କକୁ ଜବାବ ଦେଇଛନ୍ତି ବିଜେପି ନେତା ଅମିତ ମାଲବ୍ୟ । ଭାରତରେ ତିନି ଜଣ ମୁସଲିମ ଏବଂ ଜଣେ ଶିଖ ରାଷ୍ଟ୍ରପତି ଓ ଜଣେ ଶିଖ ୧୦ ବର୍ଷ ପ୍ରଧାନମନ୍ତ୍ରୀ ଅଛନ୍ତି । ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକେ ନ୍ୟାୟପାଳିକାର ମୁଖ୍ୟ ପଦବୀ ଏବଂ ସେନାବାହିନୀରେ ଅଛନ୍ତି । ଅନ୍ୟ କୌଣସି ଦେଶଠୁ ଏ ସମ୍ପର୍କରେ ଶିଖିବାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ମେହେବୁବା ଜାମ୍ମୁ କାଶ୍ମୀରରେ ହିନ୍ଦୁ ମୁଖ୍ୟମନ୍ତ୍ରୀ କରିବା ନେଇ କହିବାର ଆବଶ୍ୟକ ରହିଥିବା କହିଛନ୍ତି ମାଲଭ୍ୟ । ଏପଟେ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଅବାସ ନକବୀ କହିଛନ୍ତି, ଯେତେବେଳେ କୌଣସି ଭାରତୀୟ ବଂଶଧର ବିଶ୍ୱରେ ନାଁ କରୁଛନ୍ତି ସାରା ଦେଶ ଖୁସି ମନାଉଛି କିନ୍ତୁ ବିରୋଧୀ କିଛି ନା କିଛି ବିବାଦ ସୃଷ୍ଟି କରୁଛନ୍ତି । ଲୋକପ୍ରିୟ ରାଷ୍ଟ୍ରପତି ଅବଦୁଲ କଲାମ କଣ ଥିଲେ ବୋଲି ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି ବିଜେପି ନେତା ରବିଶଙ୍କର ପ୍ରସାଦ ।
ଇଷ୍ଟ ଇଣ୍ଡିଆ କମ୍ପାନୀ ପରେ ବ୍ରିିଟେନ ସରକାର ପ୍ରାୟ ୨୦୦ ବର୍ଷ ଭାରତକୁ ଶାସନ କରିଥିବା ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଜଣେ ଭାରତୀୟ ବଂଶଧର ହେବା ନିଶ୍ଚିତ ରୁପେ ଆମ ପାଇଁ ଗର୍ବର ବିଷୟ । କିନ୍ତୁ ଏହା ଭାରତ ପାଇଁ କେତେ ଫଳପ୍ରଦ ହେଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/10/sgerg.jpg)