ଓବିସି ସଂରକ୍ଷଣକୁ ନେଇ ତେଜିଲା ରାଜନୀତି । ଧର୍ମେନ୍ଦ୍ର ପ୍ରଧାନ କହିଲେ, ଓବିସିଙ୍କୁ ଦିଆଯାଉ ୨୭ ପ୍ରତିଶତ ସଂରକ୍ଷଣ । ବିଜେଡି କହିଲା, ସଂରକ୍ଷଣ ନେଇ ଚାଲିଛି ପୁର୍ନବିଚାର ।

146

କନକ ବ୍ୟୁରୋ : ମହାରାଷ୍ଟ୍ର, ବିହାର, ଗୁଜୁରାଟ ରାଜ୍ୟ ଭଳି ଓଡିଶାରେ ଆରମ୍ଭ ହୋଇଛି ଜାତି ଭିତିକ ରାଜନୀତି । ଓଡିଶା ଲୋକସଂଖ୍ୟାର ଏକ ବଡ ଭାଗ ଓବିସି ବର୍ଗର ହୋଇଥିବାରୁ ସେମାନଙ୍କୁ ସଂରକ୍ଷଣ ଦେବା ପାଇଁ ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି ବୟାନବାଜି ।

ଉତରପ୍ରଦେଶ, ବିହାର, ମହାରାଷ୍ଟ୍ର ଓ ଗୁଜୁରାଟ ଭଳି ଓଡିଶାରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ଜାତିଭିତିକ ରାଜନୀତି । ରାଜ୍ୟର ପ୍ରାୟ ସବୁ ନିର୍ବାଚନ ମଣ୍ଡଳୀରେ ଓବିସି ବର୍ଗର ଏକ ବଡ ଭାଗ ଲୋକ ରହୁଛନ୍ତି । ତେଣୁ ଏହି ବର୍ଗର ଲୋକଙ୍କ ସଂରକ୍ଷଣକୁ ନେଇ ଜୋରଦାର ହୋଇଛି ବୟାନବାଜି । ମଣ୍ଡଳ କମିଶନଙ୍କ ସୁପାରୀଶର ୩୦ ବର୍ଷ ପରେ ବି ଓବିସି ବର୍ଗର ଲୋକଙ୍କୁ କାହିଁକି ସଂରକ୍ଷଣ ଦିଆଯାଉ ନାହିଁ ତାକୁ ନେଇ ବିଜେଡିକୁ ଘେରିଛି ବିଜେପି । ଆଉ ଏହି ପ୍ରସଙ୍ଗ ଠିକ୍ ସେତିକିବେଳେ ସାମନାକୁ ଆସିଛି, ଯେତେବେଳେ ଓବିସି କମିଶନ ରାଜ୍ୟରେ ତାଙ୍କର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ବିଜେଡି ମହିଳା ସଂରକ୍ଷଣ ନେଇ ଜାତୀୟ ଦଳମାନଙ୍କୁ ଟାର୍ଗେଟ କରିବା ପରେ ଓଡିଶାରେ ଓବିସି ଓ ଏସଇବିସି ବର୍ଗର ଲୋକଙ୍କ ପାଇଁ କାହିଁକି ସଂରକ୍ଷଣ ବ୍ୟବସ୍ଥା କରାଯାଇ ନାହିଁ ତାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲା ବିଜେପି । ଏହାର ଜବାବ ଦେବାକୁ ଯାଇ ବିଜେଡି ସାଂସଦ ସସ୍ମିତ ପାତ୍ର ଟୁଇଟ୍ କରି ଲେଖିଥିଲେ ବିଜେଡି ରାଜ୍ୟ ପରିଷଦ ଓବିସି ସଂରକ୍ଷଣ କାର୍ଯ୍ୟକାରୀ କରିବା ପାଇଁ ଏକ ପ୍ରସ୍ତାବ ପାରିତ କରିଛି ।

ଓବିସି ସଂରକ୍ଷଣକୁ ନେଇ ରାଜନୀତି ଭିତରେ ଓଏସସିବିସି କମିଶନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ରଘୁନାଥ ବିଶ୍ୱାଳ । ଦାୟିତ୍ୱ ଗ୍ରହଣ ପରେ କମିସନ କହିଛନ୍ତି, ସଂରକ୍ଷଣ ପାଇଁ ପାଇଁ ମଣ୍ଡଳ କମିସନଙ୍କ ସୁପାରୀଶ ଅଛି ତାକୁ ଲାଗୁ କରିବା ପାଇଁ ଚେଷ୍ଟା କରାଯିବ

ଓଡିଶା ରାଜନୀତିରେ ସାଧାରଣତଃ ଶିକ୍ଷା, ସ୍ୱାସ୍ଥ୍ୟ, ଚାଉଳ, ମହିଳା ଭୋଟର ଓ ସ୍ଥାନୀୟ ସମସ୍ୟା ନିର୍ବାର୍ଚନୀ ପ୍ରସଙ୍ଗ ପାଲଟିଥାଏ । ହେଲେ ଏବେ ଠୁ ଜାତିଭିତିକ ସଂରକ୍ଷଣକୁ ନେଇ, ଯେଉଁଭଳି ବୟାନ ବାଜି ଆରମ୍ଭ ହୋଇଛି ଆଗାମି ଦିନରେ ଏହା ଏକ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।