ଓବିସି ସଂରକ୍ଷଣକୁ ନେଇ ରାଜନୀତି ଜୋର । ଶାସକ ଓ ବିରୋଧୀ ବୟାନବାଜି ଜାରି, ମଧ୍ୟପ୍ରଦେଶରେ ବାତିଲ ହୋଇପାରେ ପଞ୍ଚାୟତ ନିର୍ବାଚନ !

125

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣ ନରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ତେଜିଛି ରାଜନୀତି । ଏହି ବର୍ଗ ପାଇଁ କାହାର କେତେ ଦରଦ ରହିଛି ତାକୁ ନେଇ ଜାରି ରହିଛି ବୟାନବାଜି । ଶାସକ ଦଳ ଓବିସି ବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ଦେବାକୁ ଘୋଷଣା କରିବା ପରେ ବି ଚୁପ ହୋଇ ନାହାନ୍ତି ବିରୋଧୀ । ସେପଟେ ସମାନ ପ୍ରସଙ୍ଗରେ ନିର୍ବାଚନ ଘୁଂଚାଇବାକୁ ଯୋଜନା କରୁଛନ୍ତି ମଧ୍ୟପ୍ରଦେଶର ଶିବରାଜ ସିଂହ ସରକାର ।

ଓବିସି ସଂରକ୍ଷଣକୁ ନେଇ ମଧ୍ୟପ୍ରଦେଶରେ ଅଡୁଆ । ବାତିଲ ହୋଇପାରେ ପଞ୍ଚାୟତ ନିର୍ବାଚନ ! ଓଡିଶାରେ ଯେତେବେଳେ ଓବିସି ସଂରକ୍ଷଣ ପ୍ରସଙ୍ଗରେ ରାଜନୈତିକ ବୟାନବାଜି ଜାରି ରହିଛି । ସେତିକିବେଳେ ସମାନ ପ୍ରସଙ୍ଗରେ ନିର୍ବାଚନ ବନ୍ଦ ରଖିବାକୁ କ୍ୟାବିନେଟରେ ପ୍ରସ୍ତାବ ପାରିତ କରିଛନ୍ତି ମଧ୍ୟପ୍ରଦେଶର ଶିବରାଜ ସରକାର । ଏହାକୁ ଅନୁମୋଦନ ପାଇଁ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଛି ।

ପଞ୍ଚାୟତ ନିର୍ବାଚନରେ ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦିଆଯାଇପାରିବନି ବୋଲି ସୁପ୍ରିମକୋର୍ଟ କହିବା ପରେ ବ୍ୟାକଫୁଟକୁ ଚାଲିଯାଇଛନ୍ତି ଶିବରାଜ ସିଂ ସରକାର । ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି । କିନ୍ତୁ ବର୍ତମାନ ପରିସ୍ଥିତିରେ ଓବିସିଙ୍କୁ ଛାଡି ପଞ୍ଚାୟତ ନିର୍ବାଚନ କରାଇବା ସପକ୍ଷରେ ନାହାନ୍ତି ମଧ୍ୟପ୍ରଦେଶ ସରକାର ।

ଓବିସି ସଂରକ୍ଷଣକୁ ନେଇ ରାଜନୀତି ଜୋର । ଶାସକ ଓ ବିରୋଧୀ ବୟାନବାଜି ଜାରି । ଆଗାମୀ ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ ସଂରକ୍ଷଣ ଦିଆଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିବା ପରେ ରାଜ୍ୟରେ ତେଜିଛି ରାଜନୀତି । ବିଜେପି ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ କରିଛି ଯେ, ରାଜ୍ୟରେ ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାର କେବେ ମିଳିବ ? ଦଳରେ ପ୍ରଥମେ ୨୭ ପ୍ରତିଶତ ଓ ପରେ ୪୦ ପ୍ରତିଶତ କଥା କହି ଲୋକଙ୍କୁ ଭୁଆଁ ବୁଲାଇ ହେବନାହିଁ ? କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ପିସିସି ସଭାପତି କହିଛନ୍ତି, ରାଜ୍ୟ ଚାହିଁଥିଲେ ଓବିସି ସଂରକ୍ଷଣ କରିପାରିଥାନ୍ତା ।

ବିରୋଧୀଙ୍କ ଅଭିଯୋଗର ଉତ୍ତର ରଖି, ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳୀୟ ଆଧାରରେ ୪୦ ପ୍ରତିଶତ ଓବିସି ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବ ବୋଲି ଦୋହରାଇଛନ୍ତି ବିଜେଡି ନେତା । ଓବିସି ବର୍ଗର ସଂଖ୍ୟା ମୋଟ ଜନସଂଖ୍ୟାର ଏକ ବଡଭାଗ ହୋଇଥିବାରୁ ଏହି ବର୍ଗକୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ସମସ୍ତ ରାଜନୈତିକ ଦଳ ଲାଗି ପଡିଛନ୍ତି । କିନ୍ତୁ ଏହା ଦ୍ୱାରା ସେହି ବର୍ଗର ଲୋକ କେତେ ଉପକୃତ ହେବେ ତାହା ସମସ୍ତଙ୍କୁ ଅଜଣା ।