କନକ ବ୍ୟୁରୋ : ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ପରେ ତେଜିଲା ରାଜ୍ୟ ରାଜନୀତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ବିଜେପି ସିଧାସଳଖ ବିଜେପୁରବାସୀଙ୍କୁ ଠକିବାର ପ୍ରୟାସ କରୁଛନ୍ତି ବୋଲି ଅଭିଯୋଗ ଆଣିଛି । ମୁଖ୍ୟମନ୍ତ୍ରୀ ଚଳିତଥର ଦୁଇଟି ଆସନରୁ ନିର୍ବାଚନ ଲଢିଥିଲେ । ଆଉ କେଉଁଟି ଛାଡିବେ, କେଉଁଟି ରଖିବେ ତାକୁ ନେଇ ଚର୍ଚ୍ଚା ଲାଗିରହିଥିଲା । ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ପ୍ୟାକେଜ ପରେ ନବୀନ ଏହି ଆସନକୁ ଛାଡି ପାରନ୍ତି ବୋଲି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।
ପ୍ରଥମ ଥର ପାଇଁ ୨ଟି ଆସନରୁ ନିର୍ବାଚନ ଲଢ଼ିଥିବା ନବୀନ ପଟ୍ଟନାୟକ କେଉଁ ଆସନ ଛାଡିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଜେପୁର ପାଇଁ ସ୍ପେଶାଲ ପ୍ୟାକେଜ୍ ଘୋଷଣାକୁ ଭିନ୍ନ ଦୃଷ୍ଟିରେ ଦେଖିଛି ଭାରତୀୟ ଜନତା ପାର୍ଟି । ବିଜେପି ଅଭିଯୋଗ କରିଛି । ବିଜେପୁରବାସୀଙ୍କୁ ବାରମ୍ବାର ଠକି ଆସିଛନ୍ତି ମୁଖ୍ୟମନ୍ତ୍ରୀ । ଉପ-ନିର୍ବାଚନ ବେଳେ ବିଜେପୁର ପାଇଁ ଯେଉଁ ସବୁ ଘୋଷଣା କରିଥିଲେ ତାକୁ ଏଯାଏଁ ପୁରଣ କରିନଥିବା ବେଳେ ପୁଣି ନୂଆ ଘୋଷଣା ପଛର ଉଦ୍ଦେଶ୍ୟ କ’ଣ ବୋଲି ପ୍ରଶ୍ନ କରିଛି ବିଜେପି ।
ଏପଟେ ବିଜେପୁର ପାଇଁ ୧୧୨୦ କୋଟିର ଦୁଇଟି ଜଳଯୋଗାଣ ପ୍ରକଳ୍ପ, ୩୪ ହଜାର କଚ୍ଚା ଘରକୁ ପକ୍କାଘର ଏବଂ ଦୁଇ ବର୍ଷ ମଧ୍ୟରେ ବିଜେପୁରର ସମସ୍ତ ଘରକୁ ପାଇପ୍ ଯୋଗେ ପାଣ ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏହାରି ଭିତରେ କେଉଁ ହିଞ୍ଜଳି ଆସନ ଛାଡିବେ ନା’ ବିଜେପୁର ଛାଡିବେ ତାକୁ ନେଇ ତେଜିଛି ରାଜନୀତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଆଗକୁ ବିଜେପୁରରେ ଉପନିର୍ବାଚନ ହୋଇପାରେ । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଦୃଷ୍ଟିରେ ରଖି ଏଭଳି ଘୋଷଣା କରିଛନ୍ତି । ଅନ୍ୟପଟେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, ବିଜେପୁର ସମେତ ପଶ୍ଚିମ ଓଡିଶାର ବିକାଶ ହେଉ ବୋଲି ଲୋକେ ଚାହୁଁଥିଲେ । ଯାହାକୁ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରୁଥିବା କହିଛନ୍ତି ସୁଶାନ୍ତ ।
ଆଉ ଏସବୁ ଭିତରେ ବିଧାନସଭାରେ ବିଧାୟକମାନଙ୍କ ଶପଥ ପାଠ କରାଇଛନ୍ତି କାମଚଳା ବାଚସ୍ପତି ଅମର ଶତପଥୀ । କିନ୍ତୁ ହେଉଥିବା ଚର୍ଚ୍ଚା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେବଳ ହିଞ୍ଜିଳି ବିଧାୟକ ଭାବେ ଶପଥ ନେଇଛନ୍ତି । ଯାହା ବିଜେପୁର ଆସନ ଛାଡିବା ନେଇ ହେଉଥିବା ଚର୍ଚ୍ଚାକୁ ବଢ଼ାଇ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/vlcsnap-error230-1.png)