ଗୋଶାଳା ବୁଲିଲେ, ଯତ୍ନ ନେବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ । ରାଜନୀତିର ଗନ୍ଧ ବାରିଲା ବିଜେପି । କହିଲା, ଲୋକ ଦେଖାଣିଆ କାର୍ଯ୍ୟକ୍ରମ

ଗୋ-ସୁରକ୍ଷା ଆଇନ ଓଡ଼ିଶାରେ ଲାଗୁ କରିବାକୁ ବିଜେପିର ଦାବି

103

କନକ ବ୍ୟୁରୋ: ରାଜନୀତିରେ ଗୋମାତା । ମୁଖ୍ୟମନ୍ତ୍ରୀ ଗତକାଲି ନବୀନ ପଟ୍ଟନାୟକ ଜାମୁକୋଳିସ୍ଥିତ ବିଏମସି ଗୋଶାଳା ପରିଦର୍ଶନ କରିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ସମୟରେ ନବଜାତ ବାଛୁରୀର ନାମ କ୍ରିଷ୍ଣା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହା ସାଧାରଣ କାର୍ଯ୍ୟକ୍ରମ ନା ଏହା ପଛରେ କିଛି ରାଜନୈତିକ ଉଦ୍ଦେଶ୍ୟ ଅଛି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

  • ରାଜନୀତିରେ ‘ଗୋମାତା’
  • ଗୋଶାଳା ବୁଲିଲେ ନବୀନ
  • ବାଛୁରୀର ନାଁ ଦେଲେ ‘କ୍ରିଷ୍ଣା’

ଭୁବନେଶ୍ୱର ଉପକଣ୍ଠ ଜାମୁକୋଳିସ୍ଥିତ ବିଏମସି ଗୋଶାଳା ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୋରୁମାନଙ୍କ ରହିବା ପାଇଁ କି କି ବ୍ୟବସ୍ଥା ରହିଛି, ସେମାନଙ୍କୁ କଣ ଖାଇବାକୁ ଦିଆଯାଉଛି ପଚାରି ବୁଝିବା ସହ ଗାଈଗୋରୁଙ୍କୁ ନିଜ ହାତରେ ଫଳ ଓ ପନିପରିବା ଖୁଆଇଛନ୍ତି ନବୀନ । ସେମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ କର୍ମଚାରୀଙ୍କୁ ସେ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ୩ ଦିନର ଏକ ବାଛୁରୀର ନାଁ କ୍ରିଷ୍ଣା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବାଛୁରୀର ନାମକରଣ ଅନୁସାରେ ଗୋଶାଳାରୁ ନାଁକୁ ମଧ୍ୟ କ୍ରିଷ୍ଣା ଗୋଶାଳା ରଖିବାକୁ ଯୋଜନା କରିଛି ବିଏମସି ।

ଗୋଶାଳାର ସଂପ୍ରସାରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନିକଟରେ ଥିବା ସରକାରୀ ଜମିରୁ ୨୦ ଏକର ଜାଗା ଦେଇ ଏହି ଗୋଶାଳର ପରିସର ବଢ଼ାଇବାକୁ କୁହାଯାଇଛି । ଏପଟେ ବିଜେପି କହିଛି, ଏହା ମୁଖ୍ରମନ୍ତ୍ରୀଙ୍କ ଲୋକଦେଖାଣିଆ କାର୍ଯ୍ୟକ୍ରମ । ଓଡ଼ିଶାରେ ଗୋ ସୁରକ୍ଷା ଆଇନ ଲାଗୁ କରି ଗୋ-ଚାଲଣ ଓ ଗୋ-ହତ୍ୟା ବନ୍ଦ କରିବାକୁ ଦାବି କରିଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା ।

ଗୋ’ ସୁରକ୍ଷା, ଗୋ-ମାତା ସେବା ଆଦି ବିଜେପି ଏଜେଣ୍ଡାରେ ରହିଆସିଛି । ମୁଖ୍ୟମନ୍ତ୍ରୀଙ୍କ ଗୋ-ଶାଳା ପରିଦର୍ଶନକୁ ସହଜରେ ହଜମ କରିପାରିନି ଦଳ । ଏହା ସାଧାରଣ କାର୍ଯ୍ୟକ୍ରମ ଥିଲା କି ନବୀନଙ୍କ ଏଥିରେ କିଛି ରାଜନୈତିକ ସଂକେତ ରହିଛି, ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।