ପୁରୀରେ ଉଚ୍ଛେଦ ଚାଲିବ, ବିରୋଧ ବି ଚାଲିବ । ସର୍ବଦଳୀୟ କମିଟି ବୈଠକରେ ବାହାରିପାରିଲାନି ସମାଧାନର ବାଟ, ପୁରୀ ଉଚ୍ଛେଦରେ ଲାଗିଲା ରାଜନୀତିର ରଙ୍ଗ ।

403

କନକ ବ୍ୟୁରୋ : ଉଚ୍ଛେଦ ଚାଲିବ , ବିରୋଧ ବି ଚାଲିବ । ସର୍ବଦଳୀୟ କମିଟି ସହ ପ୍ରଶାସନର ଆଲୋଚନାରୁ କୌଣସି ନିଷ୍କର୍ସ ବାହାରିପାରିନାହିଁ । ଜିଲ୍ଲାପାଳ କହିଛନ୍ତି, ମନ୍ଦିରର ୭୫ ମିଟର ଭିତରେ ଥିବା ଦୋକାନ ଘର ଓ ଅସୁରକ୍ଷିତ କୋଠାକୁ ଭାଙ୍ଗି ଦିଆଯିବ । ମଠର ଗାଦି ଓ ମୁଖ୍ୟ ମନ୍ଦିରକୁ ଉଚ୍ଛେଦ କରାଯିବ ନାହିଁ । ସେପଟେ ସର୍ବଦଳୀୟ କମିଟି କହିଛି, ଉଚ୍ଛେଦକୁ ବିରୋଧ କରାଯିବ ଏବଂ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଆବେଦନ କରାଯିବ ।

ପ୍ରାୟ ୩୫ ମିନିଟ୍ ଧରି ଚାଲିଥିବା ବୈଠକରୁ ବାହାରିପାରିଲାନି କୌଣସି ନିର୍ଯାସ । ଗୋଟିଏ ପଟେ ଥିଲା ପ୍ରଶାସନ, ଆଉ ଗୋଟିଏ ପଟେ ଥିଲା ୧୫ ଜଣିଆ ସର୍ବଦଳୀୟ କମିଟି ।ସେବାୟତ, ସ୍ୱେଚ୍ଛାସେବୀ ମଠମହନ୍ତ ଏବଂ ସ୍ଥାନୀୟ ଜନତାଙ୍କୁ ନେଇ ଗଠିତ ହୋଇଥିବା ଏହି ୧୫ ଜଣିଆ କମିଟି ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରିବା ସହ କମିଶନ ଏବଂ କ୍ୟାବିନେଟ ନିଷ୍ପତିକୁ ବିରୋଧ କରିଛି ।

ଏପଟେ ଶ୍ରୀମନ୍ଦିରରୁ ୭୫ ମିଟର ଭିତରେ ଥିବା କମରସିଆଲ୍ ଷ୍ଟ୍ରକଚର୍ ବା ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଅସୁରକ୍ଷିତ ନିର୍ମାଣ ସବୁକୁ ଉଚ୍ଛେଦ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । ସେହିପରି ୭୫ ମିଟର ପରିଧି ଭିତରେ ଆସୁଥିବା ମଠଗୁଡ଼ିକର ସଂରକ୍ଷଣ ଓ ସୁରକ୍ଷାକୁ ଧ୍ୟାନ ଦିଆଯିବ ।

ଆଉ ଏସବୁ ଭିତରେ ପୁରୀର ଉଚ୍ଛେଦ ପ୍ରସଙ୍ଗରେ ଲାଗିଛି ରାଜନୀତିର ରଙ୍ଗ । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି-ଶ୍ରୀକ୍ଷେତ୍ରକୁ କୁରୁକ୍ଷେତ୍ରରେ ପରିଣତ କରିଦିଆଯାଇଛି । ଆଉ ଉଚ୍ଛେଦ ପ୍ରକ୍ରିୟାକୁ ରାଜ୍ୟ ସରକାରଙ୍କ ଦିଗହରା ନିଷ୍ପତି ବୋଲି କହିଛନ୍ତି ବିଜୟ । ସେହିପରି କଂଗ୍ରେସ ନେତା ପଂଚାନନ କାନୁନଗୋ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଜବାବରେ ବିଜେଡି କହିଛି- ବିରୋଧୀ କରୁଥିବା ଅଭିଯୋଗରେ ଆଧାର ନାହିଁ ।

ଦୁଇ ଦିନ ଧରି ଉଚ୍ଛେଦ ପ୍ରକ୍ରିୟା ବନ୍ଦ ରହିବା ପରେ ଗତକାଲି ମଠ ମହନ୍ତଙ୍କୁ ନେଇ ଆଲୋଚନା ହୋଇଥିଲା । ଆଉ ଗଠନ ହୋଇଥିଲା ସର୍ବଦଳୀୟ କମିଟି । ହେଲେ ଆଜି ସର୍ବଦଳୀୟ କମିଟିର ଆଲୋଚନା ବିଫଳ ହୋଇଛି ।