ମମିତା ମେହେର ହତ୍ୟାକାଣ୍ଡ ନେଇ ଥମୁନି ବିବାଦ । ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ବିକ୍ଷୋଭ ଓ ପ୍ରତିବାଦ ।

90

କନକ ବ୍ୟୁରୋ : ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ପ୍ରତିବାଦ ତେଜିବାରେ ଲାଗିଛି । କ୍ୟାପଟେନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାରୁ ଏବେ ନବୀନ ନିବାସକୁ ଟାର୍ଗେଟ କରିଛନ୍ତି ବିରୋଧୀ । ଛାତ୍ର କଂଗ୍ରେସ କର୍ମୀ ବ୍ୟାରିକେଡ ଭାଙ୍ଗି ନବୀନ ନିବାସ ଆଡକୁ ଯାଉଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି । ସେପଟେ ଯୁବ କଂଗ୍ରେସ କଟକ ଡିଜି ଅଫିସ ଘେରାଉ କରଥିବା ବେଳେ ବିଭିନ୍ନ ଜିଲ୍ଲାରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ହାଲ୍ଲାବୋଲ କରିଛି ବିଜେପି ।

ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହଲ୍ଲାବୋଲ୍ । ନବୀନ ନିବାସ ମୁହାଁ ଛାତ୍ର କଂଗ୍ରେସ କର୍ମୀ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ତୀବ୍ର ହେବାରେ ଲାଗିଛି । କିନ୍ତୁ ସରକାର ମନ୍ତ୍ରୀଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ବିରୋଧୀଙ୍କ ଟାର୍ଗେଟକୁ ଆସିଛି ନବୀନ ନିବାସ । ପୂର୍ବ ଯୋଜନା ଅନୁଯାୟୀ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଥିଲେ ଛାତ୍ରକଂଗ୍ରେସ କର୍ମୀ । ବ୍ୟାରିକେଡ଼ ଭାଙ୍ଗି ଆଗକୁ ଯିବାକୁ ଉଦ୍ୟମ କରିବା ବେଳେ ପୋଲିସ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଯୁବ କଂଗ୍ରେସର ଡିଜି ଅଫିସ ଘେରାଓ । ଖୋର୍ଦ୍ଧାରେ ପ୍ରତିବାଦ, ନାରାବାଜି । ଶିକ୍ଷୟିତ୍ରୀ ମମିତା ମେହେର ମାମଲାରେ ସବୁଠୁ ସନ୍ଦେହ ଘେରକୁ ଆସିଛି ପୋଲିସ । ମମିତାଙ୍କ ପରିବାର ଦେଇଥିବା ଏଫଆଇଆରକୁ ଗ୍ରହଣ ନକରିବା, ଗୋବିନ୍ଦ ସାହୁ ଫେରାର ହେବା, ପୋଲିସର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାର ପ୍ରତିବାଦରେ କଟକ ଡିଜି ଅଫିସ ଘେରାଉ କରିଛି ରାଜ୍ୟ ଯୁବ କଂଗ୍ରେସ । ସେହିପରି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି ସହ ଅଭିଯୁକ୍ତ ଗୋବିନ୍ଦ ସାହୁକୁ କଠୋର ଦଣ୍ଡ ଦେବା ଦାବିରେ ଖୋର୍ଦ୍ଧା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ସାରା ରାଜ୍ୟରେ ବିଜେପିର ପ୍ରତିବାଦ । ନୂଆପଡା ଏସପି ଅଫିସରେ ପଶିଲେ ବିଜେପି କର୍ମୀ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରଫ ଦାବିରେ ଆନ୍ଦୋଳନକୁ ଆହୁରି ଜୋରଦାର କରିଛି ବିଜେପି । ପୂର୍ବରୁ ପଶ୍ଚିମ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ କରିଛନ୍ତି ବିଜେପି କର୍ମୀ । ନୂଆପଡାରେ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା କର୍ମୀମାନେ ଏସପି ଅଫିସ ଘେରାଉ କରିବା ସହ ଧସେଇ ପଶିଥିଲେ । ପୁରୀରେ ମହିଳା ବିଜେପି ମହିଳା ମୋର୍ଚ୍ଚା କର୍ମୀମାନେ ମୁହଁରେ କଳା ପଟି ବାନ୍ଧି ବିରୋଧ ପ୍ରଦର୍ଶନ କରିଛନ୍ତି । ସମ୍ବଲପୁରରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ବରଗଡରେ ଶୋଭାଯାତ୍ରା କରିବା ସହ, ଥାନା ଘେରାଉ କରିଛି ବିଜେପି ମହିଳା ମୋର୍ଚ୍ଚା ।

ମମିତାଙ୍କ ଗାଁରେ ବିଜେପି ପ୍ରତିନିଧି ଦଳ । ମମିତାଙ୍କ ପରିବାରକୁ ଭେଟିଛନ୍ତି ବିଜେପି ରାଜ୍ୟସ୍ତରୀୟ ୧୫ଜଣିଆ ଟିମ୍, ଏବଂ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ତାପରେ ଯେଉଁ ଷ୍ଟାଡିୟମରେ ମମିତା ମେହେରଙ୍କୁ ହତ୍ୟା ପରେ ପୋତି ଦିଆଯାଇଥିଲା ସେଠାରେ ବିଜେପି ଟିମ ସ୍ଥିତି ଅନୁଧ୍ୟାନ କରିଛନ୍ତି । ମମିତା ପ୍ରସଙ୍ଗରେ ବିରୋଧୀଙ୍କ ରାଜନୀତିକୁ ନିନ୍ଦା କରିଛି ବିଜେଡି । ମନ୍ତ୍ରୀଙ୍କ ବିରୋଧରେ ଯଦି ପ୍ରମାଣ ଅଛି ତେବେ ଦେବାକୁ ଆହ୍ୱାନ ଦେଇଛି ବିଜୁ ଜନତା ଦଳ ।