କନକ ବ୍ୟୁରୋ: ୟୁ-ଟ୍ୟୁବର କାମିଆ ଜାନିଙ୍କୁ ନେଇ ସୋସିଆଲ୍ ମିଡିଆରେ ଝଡ଼ ସୃଷ୍ଟି ହେବା ପରେ ଏଥିରେ ଲାଗିଛି ରାଜନୀତିର ରଙ୍ଗ । ରାଜରାସ୍ତାରେ ପ୍ରତିବାଦ ହୋଇଛି ଆଉ ତୀବ୍ର ହେବାରେ ଲାଗିଛି ରାଜନୈତିକ ବୟାନବାଜି । ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରାଯାଉଥିବା ଅଭିଯୋଗ କରି ଭୁବନେଶ୍ୱର ଓ ନୟାଗଡ଼ରେ ପ୍ରତିବାଦ କରାଯାଇଛି । ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ଓ ଜଗନ୍ନାଥ ସେନା ବିକ୍ଷୋଭ କରିଛନ୍ତି । ଗୋ-ମାଂସର ପ୍ରଚାର କରୁଥିବା ବ୍ଳଗରଙ୍କ ଦ୍ୱାରା ଜଗନ୍ନାଥ ସଂସ୍କୃତି ଓ ମହାପ୍ରସାଦର ପ୍ରସାର ପ୍ରଚାର ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି । କାମିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

Advertisment

କାମିଆ ଜାନିକୁ ନେଇ ବିବାଦ ତେଜୁଥିବା ବେଳେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି – ଜନଭାବନାକୁ ଆଘାତ ଦେବା ଭଳି କେହି କାମ କରିବା ଉଚିତ ନୁହେଁ । ଓଡ଼ିଆ ଲୋକଙ୍କ ଆସ୍ଥା ଓ ଭାବାବେଗ ପ୍ରଭୁ ଜଗନ୍ନାଥଙ୍କ ସହ ଅଛି । ଅତି ଉତ୍ସାହିତ ହୋଇ ଏଥିରେ ନଖେଳିଲେ ଭଲ ।

ସେପଟେ ଧର୍ମେନ୍ଦ୍ରଙ୍କ ମତାମତ ପରେ ସୋସିଆଲ୍ ମିଡିଆ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ସେଥିରେ ସେ ଲେଖିଛନ୍ତି – ଆପଣ ଡେରିରେ ହେଉ ପଛେ ଠିକ କଥା କହିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଶା ଓ ଓଡ଼ିଶା ବାହାରେ ରହୁଥିବା ସମସ୍ତଙ୍କର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର । ହେଲେ ଆପଣଙ୍କ ଦଳର କିଛି ନେତା ଓଡ଼ିଶା ଓ ଶ୍ରୀକ୍ଷେତ୍ରକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି । କାମିଆ ଜାନି ଯଦି ରାମ ମନ୍ଦିରକୁ ପ୍ରମୋଟ୍ କରିବା ଠିକ, ତେବେ ପରିକ୍ରମା ପ୍ରକଳ୍ପକୁ ପ୍ରମୋଟ୍ କଲେ ଅସୁବିଧା କେଉଁଠି? ବୋଲି ପ୍ରଶ୍ନ କରିଛନ୍ତି ମାନସ ମଙ୍ଗରାଜ ।

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ସୋସିଆଲ୍ ମିଡିଆ ‘ଏକ୍ସ’ରେ କାମିଆ ଜାନିଙ୍କ ଫଟୋ ପୋଷ୍ଟ କରି ସମାଲୋଚନା କରିଛନ୍ତି । ସେ ଲେଖିଛନ୍ତି, ପୁରୀ ଶ୍ରୀମନ୍ଦିରର ପବିତ୍ରତା ନଷ୍ଟ କରିବା ଚିନ୍ତାଜନକ ଘଟଣା । ଏଥିପାଇଁ ଦାୟୀ ଲୋକଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏପଟେ ଦେଶର ପ୍ରସିଦ୍ଧ ମନ୍ଦିର ପରିସରରେ କାମିଆ ଜାନିଙ୍କ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହି ପ୍ରସଙ୍ଗକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଥିବା ବେଳେ କଂଗ୍ରେସ ମଧ୍ୟ ସରକାରଙ୍କୁ ଘେରିଛି ।

ସୋସିଆଲତ ମିଡିଆ ଇନଫ୍ଲୁଏନ୍ସର କାମିଆ ଜାନିଙ୍କୁ ନେଇ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଛି । ତେବେ କାମିଆ ଜାନି ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କେବେ ବିଫ୍ ଖାଇନାହାନ୍ତି ବୋଲି ନିଜ ତରଫରୁ ସ୍ପଷ୍ଟ କରି ସାରିଛନ୍ତି । ନିକଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କର ଏକ ସାକ୍ଷାତକାର ନେଇଥିଲେ କର୍ଲି ଟେଲ୍ସର ମୁଖ୍ୟ କାମିଆ ଜାନି । ସୋସିଆଲ୍ ମିଡିଆରେ ମହାପ୍ରସାଦ ଖାଉଥିବା ଦୃଶ୍ୟ ଭାଇରାଲ ହେବା ପରେ ଏହାକୁ ନେଇ ତେଜିଛି ବିବାଦ ।