କନକ ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ବିଜେଡି ପଦାଧିକାରୀ ତାଲିକା ପ୍ରକାଶ ପାଇବା ପରେ ମୁଣ୍ଡ ଟେକିଛି ନୂଆ ବିବାଦ । ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ଜ୍ୟୋତିକାନ୍ତ ପରିଡାଙ୍କୁ ବିଜେଡି ଜିଲ୍ଲା ଉପ ସଭାପତି ଦାୟିତ୍ୱ ଦିଆଯାଇଥିବା ତାଲିକାରୁ ଜଣାପଡିବା ପରେ ମୁହାଁମୁହିଁ ହୋଇଛନ୍ତି ବିଧାୟକ ସମ୍ବିତ ରାଉତରାୟ ଓ ପ୍ରଶାନ୍ତ ମୁଦୁଲି । ଆଉ ବିବାଦ ଭିତରେ ସାମନାକୁ ଆସି ଜ୍ୟୋତି କହିଛନ୍ତି, ବରିଷ୍ଠ ନେତା ଦାମ ରାଉତ ତାଙ୍କୁ ରାଜନୀତିକୁ ଆଣିଥିଲେ । ଯାହାକୁ ନେଇ ଉଷ୍ଣ ହୋଇଛି ଜଗତସିଂହପୁର ଜିଲ୍ଳା ବିଜେଡି ରାଜନୀତି ।

Advertisment

ବିଜୁ ଜନତା ଦଳ ପକ୍ଷରୁ ଜାରି କରାଯାଇଥିବା ଜଗତସିଂହପୁର ଜିଲ୍ଲା ପଦାଧିକାରୀଙ୍କ ତାଲିକାରେ ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ଅଭିଯୋଗରେ ଗିରଫ ଜ୍ୟୋତିକାନ୍ତ ପରିଡାଙ୍କୁ ଜିଲ୍ଲା ଉପସଭାପତି ଭାବେ ଦାୟିତ୍ୱ ଦେଇଛି ଦଳ । ପଦାଧିକାରୀ ତାଲିକାରେ ଜ୍ୟୋତିଙ୍କ ନାଁ ପ୍ରକାଶ ପାଇବା ଜିଲ୍ଲା ବିଜେଡିରେ ମୁଣ୍ଡ ଟେକିଛି ବିବାଦ ।

  • ମୁହାଁମୁହିଁ ବିଧାୟକ
  • ସମ୍ବିତ ଓ ପ୍ରଶାନ୍ତ ଦୋଷ ଲଦାଲଦି

ତାଲିକା ପ୍ରକାଶ ପାଇବା ପରେ ପରେ, ଜ୍ୟୋତିଙ୍କୁ କେମିତି ଜିଲ୍ଲା ଉପସଭାପତି କରାଗଲା ସେ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ପାରାଦୀପ ବିଧାୟକ ସମ୍ବିତ ରାଉତରାୟ । ଏଥିପାଇଁ ଜଗତସିଂହପୁର ବିଧାୟକ ତଥା ପୂର୍ବତନ ଜିଲ୍ଲା ବିଜେଡି ସଭାପତି ପ୍ରଶାନ୍ତ ମୁଦୁଲିଙ୍କୁ ଦାୟୀ କରିଛନ୍ତି । କହିଛନ୍ତି, ତାଙ୍କ ବିନା ପରାମର୍ଶରେ ଅପରାଧିକ ମାମଲା ଥିବା ବାପୁ ପରିଡାଙ୍କୁ ଦଳୀୟ ସଂଗଠନରେ ସାମିଲ କରାଯାଇଛି । ପ୍ରଶାନ୍ତ ମୁଦୁଲି ଜ୍ୟୋତି ନାଁ ଦେଇଥିଲେ । ତେବେ ସମ୍ବିତଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଶାନ୍ତ ମୁଦୁଲି । କହିଛନ୍ତି, ସେ ଜିଲ୍ଲା ସଭାପତି ଥିବା ସମୟରେ ଏହା ହୋଇନାହିଁ । କିଏ କଣ ହେବ ବା ପଦବୀ ପାଇବ ତାହା ଦଳୀୟ ନିଷ୍ପତିରେ ହୁଏ । ଅନ୍ୟପଟେ ବର୍ତମାନର ଜିଲ୍ଲା ସଭାପତି କହିଛନ୍ତି, କମିଟିର ନିଷ୍ପତି ଅନୁସାରେ ପଦାଧିକାରୀ ଚୟନ କରାଯାଇଛି ।

ଜିଲ୍ଲା ଉପସଭାପତି ଭାବେ ଜ୍ୟୋତିଙ୍କୁ ନିଯୁକ୍ତ କରାଯିବା ପରେ ସମାଲୋଚନା କରିଛି ବିଜେପି । ତେବେ ଜ୍ୟୋତିଙ୍କୁ ନେଇ ବିବାଦ ବଢ଼ିବା ପରେ ସେ ନିଜେ ସାମନାକୁ ଆସିଛନ୍ତି । ପ୍ରେସମିଟ୍ କରି ସମ୍ବିତ ରାଉତରାୟ ଓ ତାଙ୍କ ବାପା ଦାମ ରାଉତଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାର ଫଟୋ ଓ ଭିଡିଓ ଦେଖାଇଛନ୍ତି ଏବଂ ତାଙ୍କ ବିରୋଧରେ ଥିବା ସମସ୍ତ ମାମଲାରେ ସେ ହାଇକୋର୍ଟରୁ ଖଲାସ ହୋଇଥିବା କହିଛନ୍ତି ।

୨୦୧୮ ମସିହାରେ ଟିଟୋ ଲିଙ୍କରେ ବାପୁ ପରିଡ଼ାକୁ ଏସଟିଏଫ୍ ଦ୍ୱାରା ଗିରଫ କରାଯାଇଥିଲା । ଜ୍ୟୋତିକାନ୍ତ ପରିଡାଙ୍କୁ ଟିଟୋର ଡାହାଣ ହାତ କୁହାଯାଉଥିଲା । ଟିଟୋ ଇସାରାରେ ବାପୁ କାମ କରୁଥିବା ବେଳେ ବାପୁ ଇଙ୍ଗିତରେ ଅପରାଧ ଘଟୁଥିବା ଅଭିଯୋଗ ହୋଇଥିଲା । ବାପୁ ପରିଡା ନାଁରେ ୨୮ଟି ସଂଗୀନ ମାମଲା ରହିଥିଲା । ହେଲେ, ପରବର୍ତ୍ତୀ ସମୟରେ ସେ ସ୍ଥାନୀୟ ରାଜନୀତିରେ ସକ୍ରିୟ ହୋଇଥିଲେ ।