ରାଜନୀତିରେ ପ୍ରସଙ୍ଗ ବନିଲା ନିଟ୍ ଓ ଜେଇଇ ମେନ ପରୀକ୍ଷା । ୭ ମୁଖ୍ୟମନ୍ତ୍ରୀଙ୍କ ସହିତ ସୋନିଆଙ୍କ ବୈଠକରେ ପରୀକ୍ଷା ଘୁଂଚାଇବାକୁ ଦାବି, ନହେଲେ ସୁପ୍ରିମକୋର୍ଟରେ ଅପିଲ କରିବାକୁ ନିଷ୍ପତି ।

404

କନକ ବ୍ୟୁରୋ : ଜେଇଇ ଓ ନିଟ୍ ପରୀକ୍ଷାରେ ଲାଗିଛି ରାଜନୀତିର ରଙ୍ଗ । ଆଜି ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ବିରୋଧୀ ଶାସିତ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏକାଠି ହୋଇ ପରୀକ୍ଷା ଘୁଂଚାଇବାକୁ ଚାପ ପକାଇଛନ୍ତି । ନିଷ୍ପତି ନେଇଛନ୍ତି, ଯଦି କେନ୍ଦ୍ର ସରକାର ପରୀକ୍ଷା ନଘୁଂଚାନ୍ତି ତେବେ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ।

ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍, ଏବେ ରାଜନୀତିର ପ୍ରସଙ୍ଗ ବନିଯାଇଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କ ସହ କଂଗ୍ରେସ ଶାସିତ ରାଜ୍ୟ ଓ ମହାରାଷ୍ଟ୍ର, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀମାନେ ଭିଡିଓ କନଫରେନ୍ସିଂରେ ବସି ନିଟ୍ ଓ ଜେଇଇ ମେନ୍ ପରୀକ୍ଷା ଘୁଂଚାଇବା ପାଇଁ କେନ୍ଦ୍ର ଉପରେ ଚାପ ପକାଇବାକୁ ନିଷ୍ପତି ନେଇଛନ୍ତି । ଦରକାର ପଡିଲେ ସୁପ୍ରିମକୋର୍ଟରେ ମିଳିତ ଭାବେ ଅପିଲ କରିବେ ବୋଲି ନିଷ୍ପତି ନେଇଛନ୍ତି ।

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଏହି ଦୁଇ ପ୍ରମୁଖ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ କରିବା ପାଇଁ ଚିଠି ଲେଖିଥିଲେ । ଅନ୍ୟପଟେ ପୁଣି ଥରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପୂର୍ବ ଘୋଷଣା ଅନୁସାରେ ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ଜେଇଇ ମେନ୍ ଓ ୧୩ ତାରିଖରେ ନିଟ୍ ପ୍ରବେଶିକା ପରୀକ୍ଷା ସାରାଦେଶରେ ଅନୁଷ୍ଠିତ ହେବ ବୋଲି ସ୍ପଷ୍ଟ କରିଛି । ତେବେ କୋଭିଡ୍ କଟକଣା ଭିତରେ ସାମାଜିକ ଦୂରତା ସହ ପରୀକ୍ଷା ଅନୁଷ୍ଠିତ ହେବ ଏବଂ ଏଥିପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଉଛି ବୋଲି ଏନଟିଏ ସ୍ପଷ୍ଟ କରିଥିଲା । ଜେଇଇ ମେନ୍ ପରୀକ୍ଷା ଦେବା ପାଇଁ ଦେଶରେ ୯.୫୩ ଲକ୍ଷ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ନିଟ୍ ପାଇଁ ୧୫.୯୭ ଲକ୍ଷ ଛାତ୍ରଛାତ୍ରୀ ପଂଜିକରଣ କରିଛନ୍ତି ।